Sat. Mar 7th, 2026

ପତ୍ନୀଙ୍କୁ ହତ୍ୟା କରି ସ୍ବାମୀ ଗିରଫ

174 Views

ଯୋଡ଼ା, ନଭେମ୍ବର ୨୨: ଯୋଡ଼ା ପୌରପାଳିକା ୬ ନ˚ ୱାର୍ଡର ବାଚୁ ହଟି˚ରେ ପାରିବାରିକ କଳହରୁ ପତ୍ନୀଙ୍କୁ ହତ୍ୟା କରିଛି ସ୍ବାମୀ। ଅଭିଯୁକ୍ତ ସ୍ବାମୀ ଦୁର୍ଗା ନାଏକକୁ ପୁଲିସ ଗିରଫ କରିଛି। ସାମାନ୍ୟ କଳହରୁ ଦୁର୍ଗା ଉତ୍‌କ୍ଷିପ୍ତ ହୋଇ ପତ୍ନୀ ବିମଳା ନାଏକ (୨୫)ଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି।
ଆଜି ଅପରାହ୍‌ଣ ୩ ଟାରେ ବିମଳାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଜଣାଇଥିଲେ।

ତାଙ୍କ ବେକ ନିକଟରେ ଏକ ଗାମୁଛା ପଡ଼ିଥିଲା। ଖବର ପାଇ ବଡ଼ବିଲ ଆଇଆଇସି ଅନିଲ ପ୍ରଧାନ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିବା ସହ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବଡ଼ବିଲ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛନ୍ତି। ଯୋଡା ଥାନାରେ ଏକ ହତ୍ୟା ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି। ଦୀର୍ଘ ଦିନ ହେବ ବିମଳା ଓ ଦୁର୍ଗାଙ୍କ ମଧୢରେ ପାରିବାରିକ କଳହ ଲାଗି ରହିଥିଲା।

କିଛିଦିନ ପୂର୍ବରୁ ବିମଳାଙ୍କ ଭାଇମାନେ ଓ ସ୍ଥାନୀୟ ସାଇ ଲୋକେ ଏକ ବୈଠକ କରି ସ୍ବାମୀସ୍ତ୍ରୀ ମଧୢରେ ଆଉ କଳହ ନକରି ମିଳିମିଶି ରହିବା ପାଇଁ ବୁଝାଇଥିଲେ। ମାତ୍ର ଏହି ବୁଝାମଣା କୌଣସି କାମ କରି ନଥିଲା। ଗତକାଲି ରାତିରେ ପୁଣି ଦୁଇଜଣଙ୍କ ମଧୢରେ କଳହ ସୃଷ୍ଟି ହୋଇଥିଲା।

ପୁଲିସର ପ୍ରାଥମିକ ତଦନ୍ତ ଅନୁଯାୟୀ ଗତକାଲି ରାତିରେ ଦୁର୍ଗା ଏହି ହତ୍ୟାକାଣ୍ଡ ଘଟାଇ ଫେରାର ହୋଇଯାଇଥିଲା। ସେହି ବସ୍ତିରେ ଅନ୍ୟ ଏକ ଜାଗାରେ ଦୁର୍ଗା ନିଜ ମା’ ରହୁଥିବା ଘରେ ଯାଇ ଲୁଚିଥିଲା। ଘର ବାହାର ପଟୁ ତାଲା ଲଗାଇ ଦିଆଯାଇଥିଲା। ପୁଲିସ ଖବର ପାଇ ସେଠାରୁ ଦୁର୍ଗାକୁ ଗିରଫ କରିଥିବା ତଦନ୍ତ ଅଧିକାରୀ ରଞ୍ଜିତ ପଟ୍ଟନାୟକ କହିଛନ୍ତି। ମା’କୁ ହତ୍ୟା କରି ବାପା ଜେଲ୍‌ ଯିବା ପରେ ଦୁଇ ଶିଶୁ ଅସହାୟ ହୋଇପଡ଼ିଛନ୍ତି।

By amfnews

Related Post