Sun. Mar 8th, 2026

ପଞ୍ଚାୟତ ସମିତି ବୈଠକରେ ଅପ୍ରୀତିକର ପରିସ୍ଥିତି : ସମିତିସଭ୍ୟଙ୍କୁ ନିସ୍ତୁକ ମାଡ଼

142 Views

ଗୁଣପୁର : ରାୟଗଡ଼ା ଜିଲ୍ଲା ଗୁଣପୁର ପଞ୍ଚାୟତ ସମିତି ବୈଠକରେ ଆଜି ମୁଥମରା, ତଣ୍ଟିଚିପିବା ଭଳି ଘଟଣା ଘଟିଛି। ଜଣେ ଜିଲ୍ଲା ପରିଷଦ ସଭ୍ୟ ବୈଠକରେ ଉପସ୍ଥିତ ଥିବା ସମିତି ସଭ୍ୟଙ୍କୁ ଏହିଭଳି ଭାବେ ନିସ୍ତୁକ ମାଡ଼ ସହିତ ଆକ୍ରମଣ କରିଛନ୍ତି। ଘଟଣା ସମୟରେ ବିଧାୟକ ଓ ବିଡିଓ ମଧ୍ୟ ଉପସ୍ଥିତ ଥିଲେ। ଘଟଣାଟି ଏବେ ଚର୍ଚାର ବିଷୟ ପାଲଟିଥିଲାବେଳେ ଆକ୍ରମଣର ଶିକାର ହୋଇଥିବା ସମିତି ସଭ୍ୟ ଥାନାରେ ଏ ନେଇ ଅଭିଯୋଗ କରିଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ମଧ୍ୟାହ୍ନ ୧୨ଟା ସୁଦ୍ଧା ୧୯ଟି ପଞ୍ଚାୟତର ୩୮ ସରପଞ୍ଚ ଓ ସମିତିସଭ୍ୟଙ୍କ ମଧ୍ୟରୁ ମାତ୍ର ୯ ଜଣ ହିଁ ବୈଠକରେ ଯୋଗ ଦେଇଥିଲେ। ଫଳରେ ଘନାନ୍ତ୍ରି ପଞ୍ଚାୟତ ସମିତିସଭ୍ୟ ଶ୍ରୀଧର ଶବର କୋରମ ଅଭାବରୁ କେମିତି ବୈଠକ ଚାଲିଛି ବୋଲି ବିଡିଓଙ୍କୁ ପ୍ରଶ୍ନ କରିଥିଲେ। ବୈଠକ ନିମନ୍ତେ ଏକ ତୃତୀୟାଂଶ ସଭ୍ୟ ଉପସ୍ଥିତ ରହିବା ନିୟମ ଥିବା ବେଳେ ମାତ୍ର ୯ ଜଣ ହିଁ ଉପସ୍ଥିତ ଅଛନ୍ତି। ଏଣୁ ତୁରନ୍ତ ବୈଠକକୁ ବାତିଲ୍ କରାଯାଇ ପରବର୍ତୀ ଦିନ ଧାର୍ଯ୍ୟ କରିବାକୁ ଶ୍ରୀଧର ଦୃଢ଼ ଭାବରେ ଦାବି ଉପସ୍ଥାପନ କରିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ଜିଲ୍ଲା ପରିଷଦ ସଦସ୍ୟ ଅଶ୍ବିନୀ ଗମାଙ୍ଗ ସର୍ବସମ୍ମୁଖରେ ସମିତିସଭ୍ୟ ଶ୍ରୀଧରଙ୍କୁ ମୁଥ, ବିଧା ସହ ଧକ୍କା ମାରି ନିସ୍ତୁକ ପିଟିଥିଲେ। ଏହି ସମୟରେ ବୈଠକରେ ବିଧାୟକ ରଘୁନାଥ ଗମାଙ୍ଗଙ୍କ ସହ ବିଡିଓ ଅଗସ୍ତି ପ୍ରଧାନ ଉପସ୍ଥିତ ଥିଲେ ମଧ୍ୟ କେହି ଶ୍ରୀ ଗମାଙ୍ଗଙ୍କୁ ଅଟକାଇନଥିଲେ। ବରଂ, ଚୁପ୍‌ଚାପ୍‌ ବସି ଘଟଣାକୁ ଦେଖୁଥିଲେ। ଆଖପାଖରେ ବସିଥିବା ଅନ୍ୟ ସରକାରୀ ଅଧିକାରୀ ଘଟଣାରେ ହସ୍ତକ୍ଷେପ କରି ଶ୍ରୀ ଗମାଙ୍ଗଙ୍କୁ ଭିଡ଼ି ଆଣିବା ପରେ ସମିତିସଭ୍ୟ ମାଡ଼ରୁ ବର୍ତିଯାଇଥିଲେ। ସଂଧ୍ୟାରେ ସମିତିସଭ୍ୟ ଶ୍ରୀଧର ଶବର ଥାନାର ଦ୍ବାରସ୍ଥ ହୋଇ ଜିଲ୍ଲା ପରିଷଦ ସଭ୍ୟଙ୍କ ନାଁରେ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି।

By amfnews

Related Post