Mon. Nov 25th, 2024

ନେମାଳ ପୀଠରୁ ଶ୍ରଦ୍ଧାଳୁଙ୍କୁ ଅପହରଣ : ଘଟଣା ପଛରେ ଠିକାଦାରୀ ଓ ଟଙ୍କା କାରବାର!

By amfnews Aug 5, 2019 #Featured
135 Views

ନେମାଳ : କଟକ ଜିଲ୍ଲାର ନେମାଳ ଥାନାଠାରୁ ମାତ୍ର ୫ଶହ ମିଟର ଦୂରରେ ପୁଲିସ ପରିଚୟ ଦେଇ ସ୍ପଷ୍ଟ ଦିବାଲୋକରେ ନେମାଳ ପଦ୍ମବନ ପୀଠରୁ ଶ୍ରଦ୍ଧାଳୁଙ୍କୁ ଟେକିନେଲେ ଦୁର୍ବୃତ୍ତ। କିଏ ନେଲା, କାହଁକି ନେଲା ଓ ଏହା ପଛରେ କାରଣ କଣ, ଏସବୁର ଉତ୍ତର ଖୋଜୁଛି ପୁଲିସ। ଅପହରଣ ପରଠାରୁ ସନ୍ଦିଗ୍ଧଙ୍କ ପତ୍ତା ପାଉନି ପୁଲିସ। ତେବେ ଅପହରଣ ପରେ ପରିବାରବର୍ଗ ଅସହାୟ ହୋଇପଡିଥିବା ବେଳେ ଠାକୁରଙ୍କ ଦର୍ଶନ ପାଇଁ ଆସି ଏଭଳି ନାଟକୀୟ ଢଙ୍ଗରେ ଅପହରଣ ଘଟଣା ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ସୂଚନାଯୋଗ୍ୟ ଯେ, ଭୁବନେଶ୍ବର ଭୀମଟାଙ୍ଗୀ ଅଞ୍ଚଳର ଶୁଧେନ୍ଦୁ ମହାପାତ୍ର ସ୍ତ୍ରୀ ଲୋପାମୁଦ୍ରା, ଝିଅ ଓ ଝିଆରୀଙ୍କୁ ଧରି ନେମାଳ ଥାନା ଅନ୍ତର୍ଗତ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପଦ୍ମବନ ପୀଠକୁ ଦର୍ଶନ ପାଇଁ ଆସିଥିଲେ। ପୂଜାର୍ଚ୍ଚନା ସାରି ସେମାନେ ବେଢା ପରିକ୍ରମା କରି ଛିଡା ହୋଇଥିବାବେଳେ ହଠାତ୍‌ ୨ଜଣ ଦୁର୍ବୃତ୍ତ ପହଞ୍ଚି ଶୁଧେନ୍ଦୁଙ୍କୁ ଧମକ ଦେଇ କିଛି ଦୂରରେ ସେମାନେ ରଖିଥିବା ଇନୋଭ‌ା ପାଖକୁ ଟାଣି ଟାଣି ନେଇଥିଲେ। ତାଙ୍କୁ ଟାଣି ଟାଣି ଗାଡି ପାଖକୁ ନେବା ସମୟରେ ସେଠାରେ ଉପସ୍ଥିତ ଥିବା କିଛି ଲୋକ ପାଟି କରିବାରୁ ‌ଦୁର୍ବୃତ୍ତମାନେ ‘ଆମେ ପୁଲିସ, ଥାନାରୁ ଆସିଛୁ’ ବୋଲି ପରିଚୟ ଦେଇ କାର୍ଡ ଦେଖାଇଥିଲେ। କିଛି ମାମଲା ରହିଛି ଭାବି ସେମାନେ ମଧ୍ୟ ଚୁପ୍‌ ରହିଥିଲେ।ଦୁର୍ବୃତ୍ତମାନେ କିଛି ଦୂରରେ ରଖିଥିବା ସିଲ୍‌ଭର ରଙ୍ଗର ଇନୋଭାରେ ଶୁଧେନ୍ଦୁଙ୍କୁ ଜୋରଜବରଦସ୍ତ ବସାଇ ନେଇ ଯାଇଥିଲେ।

ତେବେ, ଶୁଧେନ୍ଦୁଙ୍କ ପତ୍ନୀ ଲୋପାମୁଦ୍ରା ନେମାଳ ଥାନାରେ ଅଭିଯୋଗ କଲା ପରେ ଅପହରଣ ସମ୍ପର୍କରେ ଜଣାପଡ଼ିଥିଲା। ଅନ୍ୟପକ୍ଷରେ, ସଂଧ୍ୟାରେ ଅପହୃତ ହୋଇଥିବା ବ୍ୟକ୍ତି ନିଜେ ତାଙ୍କ ସ୍ତ୍ରୀଙ୍କୁ ଫୋନ୍‌ କରି ‘ମୁଁ ଠିକ୍‌ ଅଛି, କାଲି ସକାଳେ ପହଞ୍ଚିବି’ ବୋଲି କହିବା ପରେ ଏହି ଘଟଣା ରହସ୍ୟାବୃତ୍ତ ହେବାରେ ଲାଗିଛି। ଠିକାଦାରୀ, ଜମିଜମା ଓ ଚାକିରି ପାଇଁ ଟଙ୍କା କାରବାର ଯୋଗୁଁ ଏଭଳି ଅପହରଣ ଘଟଣା ଘଟିଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି।

ପ୍ରକାଶଯୋଗ୍ୟ ଯେ, ଶୁଧେନ୍ଦୁ ଅଧିକାଂଶ ସମୟ ବରହମପୁର ଅଂଚଳରେ ରହି କିଛି କାରବାର କରୁଥିବାରୁ ଅପରାଧୀମାନେ ରାଜ୍ୟ ବାହାରର ହୋଇଥାଇପାରନ୍ତି ବୋଲି ଆଶଙ୍କା ପ୍ରକାଶ ପାଇଛି। ତେବେ ଘଟଣାର ତଦନ୍ତ ପରେ ପ୍ରକୃତ ସତ୍ୟାସତ୍ୟ ଲୋକଲୋଚନକୁ ଆସିବ ବୋଲି ଜଣାଯାଇଛି। ରିପୋର୍ଟ ଲେଖା ହେଲା ବେଳକୁ ଅପହରଣକାରୀଙ୍କର କୌଣସି ସନ୍ଧାନ ମିଳି ନାହିଁ କି ଅପହରଣର ପ୍ରକୃତ ରହସ୍ୟ ଜଣାପଡି ନାହିଁ। ଅପହୃତଙ୍କୁ ମଧ୍ୟ ଉଦ୍ଧାର କରାଯାଇପାରି ନଥିବା ଜଣାଯାଇଛି। ତେବେ ଏ ସଂପର୍କରେ ନେମାଳ ଥାନା ଅଧିକାରୀ କୁହନ୍ତି, ପୁଲିସ ମାମଲା ରୁଜୁ କରି ତଦନ୍ତ କରୁଛି।

By amfnews

Related Post