Sat. Mar 7th, 2026

ନୂଆ ରୂପରେ ସମ୍ବଲପୁର-ପୁରୀ ଇଣ୍ଟରସିଟି, ଲାଗିଲା ଉତ୍କୃଷ୍ଟ କୋଚ୍‌

365 Views

ସମ୍ବଲପୁର : ଲୋକପ୍ରିୟ ଟ୍ରେନ୍‌ ସମ୍ବଲପୁର-ପୁରୀ-ସମ୍ବଲପୁର ଏକ୍ସପ୍ରେସ୍‌କୁ ଆଜିଠାରୁ ନୂଆ ରୂପରେ ଦେଖିବାକୁ ମିଳିଛି। ବୁଧବାରଠାରୁ ‘ଉତ୍କୃଷ୍ଟ’ ଯୋଜନାରେ ଏକ ନୂଆ ରଂଗୀନ ବଗିଯୁକ୍ତ ରୢାକ୍‌ ଏହି ଟ୍ରେନ୍‌ରେ ଲାଗିଛି। ଏଥିରେ ଅନେକ ଗୁଡ଼ିଏ ଅତିରିକ୍ତ ସୁବିଧା ସୁଯୋଗ ଓ ଯାତ୍ରୀ ପରିସେବା ଉପଲବ୍‌ଧ ରହିଛି। ଏହି ଟ୍ରେନ୍‌ରେ ଦୁଇଟି ଏସି ଚେୟାର କାର, ସାତଟି ଦ୍ବିତୀୟ ଶ୍ରେଣୀ ସଂରକ୍ଷିତ ଚେୟାର କାର, ପାଞ୍ଚଟି ଦ୍ବିତୀୟ ଶ୍ରେଣୀ ଅଣସଂରକ୍ଷିତ ବସିବା ବଗି ଓ ଦୁଇଟି ଗାର୍ଡ ତଥା ଲଗେଜ ଭ୍ୟାନ ସହିତ ମୋଟ ୧୬ଟି ବଗି ରହିଛି।

ଏହି ଟ୍ରେନ୍‌କୁ ହଳଦିଆ ଓ ଗାଢ଼ ମାଟିଆ ରଂଗ କରାଯାଇଛି। ଶୌଚାଳୟରେ ଉନ୍ନତ ମାନର ସୁବିଧା କରାଯାଇଛି। ରଂଗୀନ ମ୍ୟାଟ୍‌ ସହ ପିଭିସି ଓ ଏପୋକ୍ସି ଫ୍ଲୋରିଂ କରାଯାଇଛି। କ୍ରୋମପ୍ଲେଟ୍‌ ଯୁକ୍ତ ପିତଳ ଟ୍ୟାପ୍ ଲଗାଯାଇଛି। ଦ୍ୱୈତ କାର୍ଯ୍ୟ କରୁଥିବା ଫ୍ଲସିଂ ଭାଲଭ ବ୍ୟବସ୍ଥା କରାଯାଇଛି। ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ର ଡଷ୍ଟବିନ୍ ଓ ଅନ୍ୟ ଉପକରଣ ଲଗାଯାଇଛି। ଏସି କୋଚ୍‌ରେ ହାତ ଧୋଇବା ପାଇଁ ତରଳ ହ୍ୟାଣ୍ଡୱାସ୍‌ ବାହାରିବା ବ୍ୟବସ୍ଥା କରାଯାଇଛି। ଏସି କୋଚ୍‌ରେ ଟଏଲେଟ୍‌ ପେପର ଉପଲବ୍‌ଧ କରାଯାଇଛି।

ଦୁର୍ଗନ୍ଧ ପ୍ରତିହତ ପାଇଁ ଭେଞ୍ଚୁରି ଭଳି ପବନ ନିଷ୍କାସନ ସହ ସ୍ବୟଂଚାଳିତ ସୁଗନ୍ଧ ବ୍ୟବସ୍ଥା କରାଯାଇଛି। ସବୁ କୋଚ୍ ରେ ଶକ୍ତି ସଂରକ୍ଷଣ ପାଇଁ ଏଲଇଡି ଆଲୋକ ଓ ନୂତନ ଫ୍ୟାନ ବ୍ୟବସ୍ଥା ହୋଇଛି। ସୌନ୍ଦର୍ଯ୍ୟକରଣ ପାଇଁ ଏସି କୋଚ୍ ଗୁଡ଼ିକରେ ତୈଳଚିତ୍ର ଓ ଫଟୋ ଇତ୍ୟାଦି ଲଗାଯାଇଛି। ଫଟୋରେ ସମଲେଶ୍ବରୀ ମନ୍ଦିର, ହୀରାକୁଦ ଗାନ୍ଧୀ ମିନାର ସମେତ ଅନେକ ସ୍ଥାନୀୟ କୀର୍ତ୍ତିରାଜି ସ୍ଥାନ ପାଇଛି। ରେଳ ହେରିଟେଜ, ସ୍ବଚ୍ଛ ଭାରତ, ପରିବେଶ ରକ୍ଷା, ଏକ ଭାରତ ଶ୍ରେଷ୍ଠ ଭାରତ, ବାୟୋ ଟଏଲେଟ ସୂଚନା ସହିତ ଅନ୍ୟ ସୂଚନା ଗୁଡିକର ଷ୍ଟିକର ଗୁଡିକୁ ଏହି ଟ୍ରେନର କୋଚ୍‌ରେ ଅଲୁମିନିୟମ ବୋର୍ଡରେ ଲଗାଯାଇଛି।

ସମ୍ବଲପୁର-ପୁରୀ-ସମ୍ବଲପୁର ଇଣ୍ଟରସିଟି ଏକ୍ସପ୍ରେସ‌େର ଉତ୍କୃଷ୍ଟ କୋଚ୍‌ ଲାଗିବା ପୂର୍ବରୁ ପୂର୍ବତଟ ରେଳପଥର ଶାଖାପାଟଣା-ହଜରତ ନିଜ଼ାମୁଦ୍ଦିନ-ବିଶାଖାପାଟଣା ସମତା ଏକ୍ସପ୍ରେସ ଓ ପୁରୀ-ଦୁର୍ଗ-ପୁରୀ ଏକ୍ସପ୍ରେସରେ ପରୀକ୍ଷାମୂଳକ ଭାବେ ଉତ୍କୃଷ୍ଟ କୋଚ୍ ବ୍ୟବସ୍ଥା କରା ଯାଇଥିଲା। ପୂର୍ବତଟ ରେଳପଥରେ ସମ୍ବଲପୁର-ପୁରୀ-ସମ୍ବଲପୁର ଇଣ୍ଟରସିଟି ଏକ୍ସପ୍ରେସ ତୃତୀୟ ଟ୍ରେନ ଯେଉଁଥିରେ ଉତ୍କୃଷ୍ଟ କୋଚ୍ ଲାଗିଛି।

By amfnews

Related Post