Wed. Dec 25th, 2024

ନୂଆ ବର୍ଷରେ ନବୀନ – ବିଜୟଙ୍କ ସମ୍ପର୍କ ମଧୁର ହେବ ?

By amfnews Jan 1, 2019 #Featured
331 Views

ପ୍ରଶାନ୍ତ ପଟ୍ଟନାୟକ

ବିଗତ ୨୦୧୮ ମସିହାରେ ଓଡ଼ିଶା ରାଜନୀତିରେ ଘଟିଯାଇଥିବା ଘଟଣାବଳୀକୁ ପର୍ଯ୍ୟାଲୋଚନା କଲେ ଜଣାଯାଏ ଯେ ରାଜ୍ୟର ପାଣିପାଗରେ ୨୦୧୯ ମସିହାରେ କେତେକ ପରିବର୍ତ୍ତନ ଆସିବା ନିଶ୍ଚିତ । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ସ୍ତିତି ରାଜ୍ୟ ରାଜନୀତିରେ ଯେତେ ସୁଦୃଢ଼ ଥିଲେ ମଧ୍ୟ ଓଡ଼ିଶା ସାଶନକୁ କରାୟତ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ ମୋଦି ଏବଂ ବିଜେପି ରାଷ୍ଟ୍ରିୟସଭାପତି ଶ୍ରୀ ଅମିତ ଶାହାଙ୍କ ଲୋଲୁପ ଦୃଷ୍ଟି ସାଙ୍ଗକୁ ରାଜ୍ୟରେ ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟ କଂଗ୍ରେସ ଅପେକ୍ଷାକୃତ ଶକ୍ତିଶାଳି ହେଉଥିବା ଘଟଣାକୁ କେହି ଅସ୍ୱୀକାର କରିପାରିବେ ନାହିଁ ।

ଏଭଳି ପରିବର୍ତ୍ତିତ ରାଜନୈତିକ ଦୃଷ୍ଟପଟ୍ଟରେ ନବୀନଙ୍କ ନେତୃତ୍ୱରେ ବିଜୁ ଜନତା ଦଳକୁ ଅଧିକ ଜନପ୍ରିୟ ଓ ଶକ୍ତିଶାଳି କରିବାର ଆବଶ୍ୟକତା ଅନୁଭୂତ ହେବା ସ୍ୱାଭାବିକ୍ । ରାଜ୍ୟର ବିଭିନ୍ନ ଅଞ୍ଚଳରେ ମୁଖ୍ୟ ଦଳଗୁଡ଼ିକ ‘ମିଳନ ପର୍ବ’ର ଆୟୋଜନ କରି ଅନ୍ୟଦଳର ନେତା ଓ ସମର୍ଥକ ମାନଙ୍କୁ ନିଜ ଦଳରେ ସାମିଲ କରିବା ପାଇଁ ଉଦ୍ୟମ ଅବ୍ୟାହତ ରଖିଛନ୍ତି । ଏ ସମ୍ପର୍କିତ ସମ୍ବାଦମାନ ପ୍ରାୟତଃ ମଣମାଧ୍ୟମରେ ପ୍ରକାଶିତ ହୋଇଚାଲିଛି ।

ମୁଖ୍ୟତଃ ବିଜେଡି, ବିଜେପି ଓ କଂଗ୍ରେସ ଦଳର ସ୍ଥିତି ସମ୍ପର୍କରେ ରାଜନୈତିକ ପର୍ଯ୍ୟବେକ୍ଷକମାନେ ତୀକ୍ଷ୍ନଦୃଷ୍ଟି ରଖିଥିବା ସମୟରେ ବିଜେପି ଦଳରୁ ଦୁଇ ଟାଣୁଆ ନେତା ଶ୍ରୀ ବିଜୟ ମହାପାତ୍ର ଓ ଶ୍ରୀ ଦୀଲ୍ଲିପ ରାୟଙ୍କ ଇସ୍ତଫା ସମିକ୍ଷକ ମାନଙ୍କୁ ଖୋରାଖ ଯୋଗାଇ ଦେଇଛି । ଜଣେ ଦକ୍ଷ ଓ କୁଟିଳ ରାଜନୀତିଜ୍ଞଭାବେ ସୁପରିଚିତ ଶ୍ରୀ ମହାପାତ୍ର ଦୀର୍ଘଦିନ ଧରି କ୍ଷମତା ରାଜନୀତିରେ ନଥିଲେମଧ୍ୟ ତାଙ୍କର ଆଚରଣ ଓ ଉଚ୍ଚାରଣ ସବୁ ସମୟରେ ଗୁରୁତ୍ୱବହନ କରିଆସିଛି । ଅତୀତରେ ନବୀନଙ୍କ ପରାମର୍ଶଦାତା ଭାବରେ ପରିଗଣିତ ପ୍ୟାରିମୋହନ ମହାପାତ୍ରଙ୍କ ପ୍ରରୋଚନାରେ ନବୀନ ବିଜୟଙ୍କ ପ୍ରତି ଅନ୍ୟାୟ କରିଥିବା ଦୃଷ୍ଟିରୁ ନବୀନ ଓ ବିଜୟଙ୍କ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଥିବା କାହାରିକୁ ଅଛପା ନାହିଁ ।

ଆଗାମୀ ସାଧାରଣ ନିର୍ବାଚନରେ ଓଡ଼ିଶାରୁ ୧୨୦ରୁ ଅଧିକ ଆସନ ଦଖଲ କରିବା ପାଇଁ ଶ୍ରୀ ଅମିତ ଶାହା ବାହାସ୍ପଟ ମାରିବାସହ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଓଡ଼ିଶାକୁ ହାତେଇବା ପାଇଁ ସବୁ ପ୍ରକାର ଉଦ୍ୟମ ଚଳାଇଥିବା ବିଜେଡ଼ି ଦଳ ପାଇଁ ଗୁରୁତ୍ୱର ଆହ୍ୱାନ ଭାବରେ ଦେଖାଦେଇଛି । ସେହି ଦୃଷ୍ଟିରୁ ବିଜୁ ଜନତା ଦଳରୁ ଅଧିକ ସୁସଗଂଠିତ କରିବାର ଆବଶ୍ୟକତା ମୁଖ୍ୟମନ୍ତ୍ରୀ ଅନୁଭବ କରିବା ସ୍ୱାଭାବିକ । ତେଣୁ ଅତୀତର ତିକ୍ତତାକୁ ଭୁଲିଯାଇ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ଅତ୍ୟନ୍ତ ଅନ୍ତରଙ୍ଗ ଭାବରେ ସୁପରିଚିତ ଶ୍ରୀ ଦୀଲ୍ଲିପ ରାୟ ଓ ଶ୍ରୀ ବିଜୟ ମହାପାତ୍ରଙ୍କୁ ବିଜୁ ଜନତା ଦଳରେ ସାମିଲ କରି ଓଡ଼ିଶା ରାଜନୀତିରେ ନିଜର ପରାକାଷ୍ଠା ଜାହିର କରିବେ ବୋଲି ଆଶା କରାଯାଉଛି । ନବୀନ ଓ ବିଜୟଙ୍କ ସମ୍ପର୍କ ପୂନଶ୍ଚ ମଧୁର ହେଲେ ଏହା ଓଡ଼ିଶା ରାଜନୀତି ଓ ରାଜ୍ୟାର ପ୍ରଗତି ପାଇଁ ଅନୂକୁଳ ପରିସ୍ଥିତି ଓ ପରିବେଶ ସୃଷ୍ଟି କରିବ ବୋଲି ରାଜ୍ୟର ସଚେତନ ନାଗରିକ ମାନେ ଚିନ୍ତା କରିବା ସ୍ୱାଭାବିକ ।

By amfnews

Related Post