Sat. Nov 23rd, 2024

ନୂଆ ଟିମ ଚୟନକୁ ନେଇ ତେଜୁଛି ଅସନ୍ତୋଷ, ରାହୁଲଙ୍କ ଶରଣରେ ନିରଞ୍ଜନ !

By amfnews Jun 9, 2018 #Featured
188 Views

ଭୁବନେଶ୍ବର, ୦୯ ଜୁନ – ମେ ମାସ ସୁଦ୍ଧା ପିସିସିର ନୂଆ ଟିମ ଘୋଷଣା ହେବ  । ଆଗୁଆ ପ୍ରାର୍ଥୀ ଘୋଷଣା କରି କଂଗ୍ରେସ ନିର୍ବାଚନ ଲଢିବ  । ଏପରି କଥା କହି ଚର୍ଚ୍ଚାକୁ ଆସିଥିବା ପିସିସି ମୁଖିଆ ଏବେ ଅଧିକ ଚର୍ଚ୍ଚାକୁ ଆସିଛନ୍ତି ସମୟ ସୀମା ମଧ୍ୟରେ ନୂଆ ଟିମ ଗଠନ ନ କରିପାରିବାକୁ ନେଇ  ।

ଦଳରେ ଚାଲିଥିବା କନ୍ଦଳକୁ ମୁକାବିଲା କରି ଟିମ ଘୋଷଣା କରିବାରେ ବିଫଳ ହୋଇଛନ୍ତି ନୂଆ ମୁଖିଆ  । ସାହାର ପାଇଁ ଆଜି ଦଳର ମୁଖିଆ ରାହୁଲ ଗାନ୍ଧୀଙ୍କ ନିକଟରେ ଫେରାଦ ହେବେ ନିରଞ୍ଜନ  । ରାହୁଲଙ୍କୁ ସାକ୍ଷାତ କରିବା ପରେ ସେ ତାଙ୍କ ନୂଆ ଟିମ ଗଠନ କରିବେ ବୋଲି ଏବେ କଂଗ୍ରେସ ମହଲରେ ଚର୍ଚ୍ଚା  । ବିଶେଷ କରି ଜିଲା ସଭାପତି ଚୟନକୁ ନେଇ ଦଳରେ ଦେଖାଦେଇଥିବା ଅସନ୍ତୋଷ ଏହି ସାକ୍ଷାତ ପରେ ଦୂର ହେବ ବୋଲି ଚର୍ଚ୍ଚା ହେଉଛି  ।

ନିରଞ୍ଜନ ଦାୟିତ୍ବ ନେବାପରେ ତାଙ୍କ ଶିବିରର ଖାସ କୁହାଯାଉଥିବା ପ୍ରକାଶ ବେହେରା ଜିଲା ସଭାପତି ପଦବୀରୁ ଇସ୍ତଫା ଦେଇଥିଲେ  । ସେହିପରି ଯାଜପୁର ଜିଲାରେ ସଭାପତି ପଦବୀ ଚୟନକୁ ଅଖୁସି ହୋଇ ବିଶ୍ବାଳ ପରିବାରର ସଦସ୍ୟ କୁହାଯାଉଥିବା ଜନ୍ମେଜୟ ଲେଙ୍କା ମଧ୍ୟ ଦଳରୁ ଇସ୍ତଫା ଦେଇଥିଲେ  । ଜଣଙ୍କ ପରେ ଜଣେ ନେତା ଏପରି ନିଷ୍ପତ୍ତି ନେବାରୁ ପିସିସି ମୁଖିଆ ନୂଆ ଟିମ ଘୋଷଣା କରିପାରିନାହାନ୍ତି  । ସେପଟେ ଜଣେ ବ୍ୟକ୍ତି ଗୋଟିଏ ପଦବୀରେ ରହିବା ନିୟମ ଏବେ ଦଳ ପାଇଁ ଅଡୁଆ ବଢାଇବାରେ ଲାଗିଛି  । ଏହି କ୍ରମରେ କେନ୍ଦ୍ରାପଡା ଜିଲା ସଭାପତି ରହିଥିବା ଆଳିର ବିଧାୟକ ଦେବେନ୍ଦ୍ର ଶର୍ମା ଓ କନ୍ଧମାଳ ଜିଲା ସଭାପତି ଜ୍ୟାକବ ପ୍ରଧାନ ଚର୍ଚ୍ଚାକୁ ଆସିଛନ୍ତି  । ସେହିପରି ବିଧାୟକ କୃଷ୍ଣ ଚନ୍ଦ୍ର ଶଗରିଆ ଓ କୈଳାସ କୁଲେସିକା ମଧ୍ୟ ପିସିସିର ସାଙ୍ଗଠନିକ ପଦବୀ ସହ ଛାମୁଆଁ ସଙ୍ଗଠନର ଦାୟିତ୍ବରେ ରହିଛନ୍ତି  । ତେଣୁ କାହାକୁ କାଢିବେ କାହାକୁ ରଖିବେ ଏହାକୁ ନେଇ ଏବେ ଦଳ ପାଇଁ ଚିନ୍ତାରେ ବଢିଛି  ।

ସେହିପରି ପିସିସି ସଭାପତି ଭାବେ ଥିବା ସମୟରେ ପ୍ରସାଦ ହରିଚନ୍ଦନ ଯେଉଁ ଜୁମ୍ବୋ ଟିମ ଗଠନ କରିଥିଲେ ତାହାକୁ ପରିବର୍ତନ କରି ଏକ ଛୋଟ ଚିମ ଗଠନ କରିବା ପାଇଁ ଏବେ ଦଳୀୟ ସ୍ତରରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି  । ଏହି କ୍ରମରେ ମହିଳା କଂଗ୍ରେସର ସଭାନେତ୍ରୀ, ଯୁବ କଂଗ୍ରେସ ସଭାପତି , ମୁଖପାତ୍ର, ସାଧାରଣ ସମ୍ପାଦକ, ଉପସଭାପତି , ସେବାଦଳ ଠାରୁ ଆରମ୍ଭ କରି ସବୁ ସ୍ତରରେ ଏକ ବଡ ପରିବର୍ତନ କରିବା ପାଇଁ ତାଲିକା ପ୍ରସ୍ତୁତ ସରିଛି  । ଘୋଷଣା ହେଲେ କାଳେ ଦଳରେ ବିଦ୍ରୋହ ହେବ ଏଥିପାଇଁ ରାଜ୍ୟ ମୁଖିଆ ତାହା ପୂର୍ବରୁ ହାଇକମାଣ୍ଡଙ୍କ ଶରଣରେ ପସିବା ପାଇଁ ସାକ୍ଷାତ କରୁଥିବା କଥା ସାଧାରଣରେ ଆଲୋଚନା ହେଉଛି । ନିରଞ୍ଜନଙ୍କ ସହ ତିନି କାର୍ଯ୍ୟକାରୀ ସଭାପତି ମହୋଦୟ ରାହୁଲଙ୍କ ପାଖରେ ପହଞ୍ଚିଛନ୍ତି ।

By amfnews

Related Post