Sat. Mar 7th, 2026

ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ୍‌ରେ ଖାଦ୍ୟ ବିଷକ୍ରିୟା ଯୋଗୁଁ ୨୦ ଜଣ ଅସୁସ୍ଥ

285 Views

ନୂଆଦିଲ୍ଲୀ: ରବିବାର ଦିନ ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ୍‌ରେ ଖାଦ୍ୟ ବିଷକ୍ରିୟା ହେତୁ ଅନ୍ୟୂନ ୨୦ ଜଣ ଅସୁସ୍ଥ ହୋଇ ପଡ଼ିଛନ୍ତି।
ପୀଡ଼ିତଙ୍କ ମଧ୍ୟରେ ଛୋଟ ପିଲା ମଧ୍ୟ ଅଛନ୍ତି। ଅସୁସ୍ଥ ଯାତ୍ରୀଙ୍କୁ ଡାକ୍ତରୀ ସହାୟତା ଯୋଗାଇ ଦେବାକୁ ଟ୍ରେନ୍‌ଟି ବୋକାରୋ ଷ୍ଟେସନ୍‌ରେ ଅଟକି ଥିଲା। ଉତ୍ତ୍ୟକ୍ତ ଯାତ୍ରୀମାନେ ବୋକାରୋ ରେଳ ଷ୍ଟେସନରେ ଗୋଳମାଳ କରିଥିଲେ। ପରିସ୍ଥିତି ନିୟନ୍ତ୍ରଣ କରିବାକୁ ବରିଷ୍ଠ ରେଳବାଇ କର୍ମଚାରୀମାନେ ଷ୍ଟେସନରେ ପହଞ୍ଚି ଥିଲେ।

ଯାତ୍ରୀମାନେ କହିବା ଅନୁସାରେ, ଶନିବାର ସନ୍ଧ୍ୟାରେ ଟ୍ରେନ୍‌ ନୂଆ ଦିଲ୍ଲୀ ଛାଡ଼ିବା ପରେ ରାତିରେ ଯାତ୍ରୀମାନଙ୍କୁ ଉକ୍ତ ଖାଦ୍ୟ ଦିଆ ଯାଇଥିଲା। ଖାଦ୍ୟ ଖାଇବାର ଅଳ୍ପ ସମୟ ପରେ ବଗି ନମ୍ବର ବି ୩, ବି ୫, ବି ୭ ଏବଂ ବି ୯ରେ ଥିବା ଅନେକ ଯାତ୍ରୀ ଅସୁସ୍ଥତା ଅନୁଭବ କରିଥିଲେ। ସେମାନେ ପେଟଟଣା, ବାନ୍ତି ଓ ତରଳ ଝାଡ଼ା ହେଉଥିବା ଅଭିଯୋଗ କରିଥିଲେ। କେତେକ ଯାତ୍ରୀଙ୍କ ଅବସ୍ଥା ସଂକଟଜନକ ହେବାରୁ ଟ୍ରେନ୍‌ ବୋକାରୋ ଷ୍ଟେସନରେ ଅଟକି ଥିଲା।

ବୋକାରୋ ଷ୍ଟେସନ୍‌ରେ ଘଣ୍ଟାଏ ରହିଥିଲା। ସମସ୍ତ ଅସୁସ୍ଥ ଯାତ୍ରୀଙ୍କୁ ଡାକ୍ତରୀ ସହାୟତା ଯୋଗାଇ ଦିଆଯିବା ପରେ ଟ୍ରେନ୍‌ ପୁଣି ଯାତ୍ରା ଆରମ୍ଭ କରିଥିଲା। ରେଳବାଇ ଅଧିକାରୀମାନେ ଘଟଣାର ତଦନ୍ତ କରୁଛନ୍ତି।

By amfnews

Related Post