ନୂଆଦିଲ୍ଲୀ : ରାଜନୈତିକ ରଣନୀତିକାରରୁ ରାଜନେତା ବନିଥିବା ପ୍ରଶାନ୍ତ କିଶୋର ଆଜି ଏକ ବଡ଼ ଘୋଷଣା କରିବେ ବୋଲି ଜଣାଯାଇଛି। ଜେଡି(ୟୁ)ରୁ ବହିଷ୍କୃତ ପ୍ରଶାନ୍ତ କିଶୋର ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ପ୍ରତିଦ୍ବନ୍ଦ୍ବୀ ଭାବେ ଉଭା ହେବେ ବୋଲି ଚର୍ଚ୍ଚା ହେଉଛି। ଆଜି ଏନେଇ ଘୋଷଣା କରିବେ।
ଗତକାଲି ଏକ ସାକ୍ଷାତକାରରେ ପ୍ରଶାନ୍ତ ସ୍ପଷ୍ଟ କରିଛନ୍ତି ଯେ, ବିହାରରେ ଏବେ ସେ ପରିଚାଳକ ଭାବେ କିମ୍ବା ସାରଥୀ ଭାବେ ନୁହେଁ ବରଂ ରାଜନୈତିକ ଯୋଦ୍ଧା ଭାବେ ମଇଦାନକୁ ଆସି ମୁକାବିଲା କରିବେ । ପ୍ରଶାନ୍ତ କହିଛନ୍ତି ଯେ, ତାଙ୍କର ଜନ୍ମ ବିହାରରେ ହୋଇଥିଲା । ତେଣୁ ବିହାର ସହ ସମ୍ପର୍କ ଅତି ଘନିଷ୍ଠ। ସେ ଦେଶବ୍ୟାପୀ ବିଭିନ୍ନ ରାଜନୈତିକ ଦଳର ପରିଚାଳକଭାବେ କାମ କରିଛନ୍ତି, ହେଲେ ବିହାରରେ ଜଣେ ରାଜନୈତିକ ବ୍ୟକ୍ତିଭାବେ କାମ କରିଥିବାରୁ ସେ ନିର୍ବାଚନୀ ମଇଦାନକୁ ଓହ୍ଲାଇବେ ବୋଲି ସୂଚନା ଦେଇଛନ୍ତି ପ୍ରଶାନ୍ତ।
ପୂର୍ବରୁ ସେ ନିଜର ଆଗାମୀ ଭବିଷ୍ୟତରେ ଗ୍ରହଣ କରିବାକୁ ଥିବା କାର୍ଯ୍ୟକ୍ରମ ଓ ନିଷ୍ପତ୍ତି ସଂପର୍କରେ ଫେବ୍ରୁଆରି ୧୧ ତାରଖରେ ଘୋଷଣା କରିବେ ବୋଲି କହିଥିଲେ। ଉଲେଖଯୋଗ୍ୟ, ନିର୍ବାଚନୀ ରାଜନୀତି ପରିଚାଳନା ଓ ନିର୍ବାଚନୀ ରଣକୌଶଳ ନିର୍ଦ୍ଧାରଣରେ ଜଣେ ସଫଳ ନୀତି ନିର୍ଦ୍ଧାରକ ରୂପେ ବିବେଚିତ ପ୍ରଶାନ୍ତ କିଶୋରଙ୍କୁ କେନ୍ଦ୍ର କରି ଏବେ ଦେଶରେ ରାଜନୈତିକ ବାତାବରଣ ସରଗରମ ହୋଇ ଉଠିଛି।
167 Views