Mon. Dec 23rd, 2024

ନିୟନ୍ତ୍ରଣରେ ଓଡ଼ିଶା ସ୍ଥିତି! ଆଗାମୀ ୨୧ ଦିନ ସବୁଠୁ ଗୁରୁତ୍ବପୂର୍ଣ୍ଣ

By amfnews Jun 3, 2020 #Featured
124 Views

ଭୁବନେଶ୍ବର  : କରୋନା ଭୂତାଣୁଜନିତ ଗୋଷ୍ଠୀ ସଂକ୍ରମଣ ଆଶଙ୍କାକୁ ଏଡ଼ାଇବାକୁ ହେଲେ ଜୁନ୍ ମାସରେ ସବୁଠୁ ଅଧିକ ସତର୍କ ରହିବାକୁ ପଡ଼ିବ। ଆଗାମୀ ୨୧ ଦିନ ସବୁଠୁ ଗୁରୁତ୍ବପୂର୍ଣ୍ଣ ଥିବାନେଇ ରାଜ୍ୟ ସରକାର ଚିନ୍ତା କରୁଛନ୍ତି ବୋଲି ଜଣେ ବରିଷ୍ଠ ଅଧିକାରୀ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଅନୌପଚାରିକ ଭାବେ ସୂଚନା ଦେଇଛନ୍ତି। ସେଇଥିପାଇଁ ବିଶ୍ବର ଅନ୍ୟତ୍ର ଏପରିକି ଆମ ଦେଶରେ ମଧ୍ୟ ସବୁଠାରୁ ପ୍ରଭାବିତ ଅଞ୍ଚଳ ଖୋଲୁଥିବା (ଅନ୍‌ଲକ୍-୧) ବେଳେ ଓଡ଼ିଶା ସରକାର ଏହି ଜୁନ୍ ମାସରେ କଟକଣା ବଢ଼ାଇଥିବା ସେ କହିଛନ୍ତି। ଏକ ପକ୍ଷରେ ଓଡ଼ିଶା ଫେରନ୍ତା ପ୍ରବାସୀଙ୍କ ସଂଖ୍ୟା କମିବା ଆରମ୍ଭ ହୋଇଥିବା ଆଶ୍ବସ୍ତିକର ହୋଇଥିବା ବେଳେ ଆଗକୁ ମୋସୁମୀ ଆସୁଥିବାରୁ ସଂକ୍ରମଣ ବୃଦ୍ଧି ପାଇବାର ଆଶଙ୍କା ମଧ୍ୟ ରହୁଛି। ତେଣୁକରି ଏ ଯାଏ ସଫଳତାର ସହ କୋଭିଡ୍ ପରିଚାଳନା କରିଥିବା ସରକାର ଆଗକୁ ସବୁ ପ୍ରକାର ସମ୍ଭାବ୍ୟ ବିପଦକୁ ଏଡ଼ାଇବାକୁ ୧୧ ଜିଲ୍ଲାରେ ସପ୍ତାହକୁ ୨ ଦିନର ସଟ୍‌ଡାଉନ୍ ନିଷ୍ପତ୍ତି ନେଇଛନ୍ତି ବୋଲି ଦର୍ଶାଇଛନ୍ତି।

ଓଡ଼ିଶା ଫେରନ୍ତା ପ୍ରବାସୀଙ୍କ ସଂଖ୍ୟା କମୁଛି
ବର୍ତ୍ତମାନ ରାଜ୍ୟରେ ଯେତିକି ଆକ୍ରାନ୍ତ ହେଉଛନ୍ତି, ସେଥିମଧ୍ୟରୁ ୯୫ ପ୍ରତିଶତ କେବଳ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହେଉଛନ୍ତି। ସରକାରଙ୍କ ତଥ୍ୟରୁ ଜଣାଯାଇଛି, ସୋମବାର ସୁଦ୍ଧା ରାଜ୍ୟକୁ ୪ ଲକ୍ଷ ୨୬ ହଜାର ପ୍ରବାସୀ ଫେରିଛନ୍ତି। ତେଣୁ ପ୍ରବାସୀଙ୍କ ସଂଖ୍ୟା ବଢ଼ିଲେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢ଼ିବାର ଆଶଙ୍କା ରହିଛି। ତେବେ ଆଶ୍ବସ୍ତିର ବିଷୟ ହେଉଛି ଯେ ଗତ କିଛିଦିନ ହେଲା ଓଡ଼ିଶାକୁ ପ୍ରବାସୀଙ୍କ ଫେରିବା ସଂଖ୍ୟା ଯଥେଷ୍ଟ କମିବା ଆରମ୍ଭ ହୋଇଛି। ସପ୍ତାହକ ତଳେ ଦିନକୁ ୧୦/୧୨ଟି ଶ୍ରମିକ ସ୍ପେସାଲ ଟ୍ରେନ୍‌ ଓ ବହୁସଂଖ୍ୟକ ବସ୍‌ରେ ପ୍ରାୟ ୨୦ ହଜାର ଲୋକ ଓଡ଼ିଶାକୁ ଆସୁଥିବା ବେଳେ ଏବେ ଓଡ଼ିଶା ଫେରନ୍ତା ପ୍ରବାସୀଙ୍କ ସଂଖ୍ୟା ଦୈନିକ ୩/୪ ହଜାରକୁ ଖସିଆସିଛି। ତେଣୁ ମୋଟ ୧୨ ଲକ୍ଷ ପ୍ରବାସୀ ଫେରିବାକୁ ପଂଜୀକରଣ  କରିଥିଲେ ମଧ୍ୟ ଏହି ମୋଟ ସଂଖ୍ୟା ପ୍ରାୟ ୫ ଲକ୍ଷ ମଧ୍ୟରେ ସୀମିତ ରହିବା ଆଶା କରାଯାଉଛି। ଆଉ ଏକ ଆଶ୍ବାସନାର ବିଷୟ ହେଲା, ଅବଧି ସରିବା ପରେ ଦୈନିକ ୧୫/୨୦ ହଜାର ଲୋକଙ୍କୁ ସଂଗରୋଧ କେନ୍ଦ୍ର ଛାଡ଼ିବାକୁ ଅନୁମତି ଦିଆଯାଉଛି। ଆଇସିଏମ୍‌ଆର୍ ନିୟମାବଳୀ ଅନୁସାରେ ଅଦ୍ୟାବଧି ପ୍ରାୟ ୨ ଲକ୍ଷ ଲୋକଙ୍କୁ ସଂଗରୋଧ ପରେ ଛାଡ଼ିଦିଆଗଲାଣି। ଅନ୍ୟ ପକ୍ଷରେ ଓଡ଼ିଶାକୁ ଫେରିଥିବା ପ୍ରବାସୀ ନିଜ ନିଜ କର୍ମସ୍ଥଳୀକୁ ଫେରିଯିବା ପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ ମଧ୍ୟ ବିଭିନ୍ନ ମହଲରୁ ରାଜ୍ୟ ସରକାରଙ୍କୁ ଅନୁରୋଧ ହେଲାଣି। ପରବର୍ତ୍ତୀ ୧୦ ଦିନ ଭିତରେ ଅଧିକାଂଶ ଆକ୍ରାନ୍ତଙ୍କ ଇନ୍‌କୁବେସନ୍ (ରୋ‌ଗୋଦ୍ଭବନ) ଅବଧି ସରିଯିବ। ତେଣୁ ଆସନ୍ତା ତିନି ସପ୍ତାହ ସତର୍କ ରହିଲେ ଓଡ଼ିଶା ଇତିହାସ ରଚିବା ସମ୍ଭବ ବୋଲି ସରକାରଙ୍କ ପକ୍ଷରୁ ଆଶା ପ୍ରକାଶ କରାଯାଇଛି।

ମୈାସୁମୀ ସଂକ୍ରମଣକୁ ବଢ଼ାଇବା ଆଶଙ୍କା

ମୌସୁମୀ ଆସୁଥିବାରୁ ଆଗାମୀ କିଛିଦିନର ଜଳବାୟୁ ସଂକ୍ରମଣ ବଢ଼ାଇବାରେ ମଧ୍ୟ ସହାୟକ ହେବ। ଗୋଷ୍ଠୀ ସଂକ୍ରମଣକୁ ଏଡ଼ାଇବାକୁ ହେଲେ ଦିନକୁ ୧୦ ଘଣ୍ଟା ଓ ୧୧ ଜିଲ୍ଲାରେ ସପ୍ତାହକୁ ୨ ଦିନର କର୍ଫ୍ୟୁ ଏକ ଉତ୍ତମ ବିକଳ୍ପ ବୋଲି ସରକାର ବିଚାର କରିଥିବା ସୂଚନା ଦିଆଯାଇଛି। ଆହୁରି ମଧ୍ୟ, ସ୍କୁଲ୍ କଲେଜ ଖୋଲିଲେ ଗଣସଂକ୍ରମଣର ଆଶଙ୍କା ରହୁଥିବାରୁ ଜୁଲାଇ ୩୧ ଯାଏ ବନ୍ଦ ରଖିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।

ପରିସଂଖ୍ୟାନରେ ଓଡ଼ିଶାର ଚିତ୍ର ଅପେକ୍ଷାକୃତ ଉଜ୍ଜଳ
କୋଭିଡ୍-୧୯ ପରିଚାଳନାରେ ଓଡ଼ିଶା ଅପେକ୍ଷାକୃତ ଉତ୍ତମ ସ୍ଥିତିରେ ଥିବା ନେଇ ବିଭିନ୍ନ ପରିସଂଖ୍ୟାନ ଜରିଆରେ ସଂପୃକ୍ତ ଅଧିକାରୀ ସୂଚନା ଦେଇଥିଲେ। ରାଜ୍ୟରେ କରୋନା ସଂକ୍ରମଣ ଆରମ୍ଭ ବେଳେ ପ୍ରଶାସନିକ କାରଣରୁ ୧୦୦ ପ୍ରତିଶତ ପ୍ରବାସୀଙ୍କର ପରୀକ୍ଷଣ ବାଧ୍ୟତାମୂଳକ ହୋଇଥିବା ବେଳେ ଏବେ ଆଇସିଏମ୍‌ଆର ନିୟମାବଳୀ ଅନୁସାରେ କେବଳ ଲକ୍ଷଣଯୁକ୍ତ ବ୍ୟକ୍ତି ତଥା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି(କଣ୍ଟାକ୍ଟ ଟ୍ରେସିଂ)ଙ୍କର ପରୀକ୍ଷା କରାଯାଉଥିବା ନେଇ ସୂଚନା ଦିଆଯାଇଥିଲା। ୩୭ ଦିନରେ ୧୦୦ରୁ ୨୦୦୦ (ସାରଣୀ-୧): ପ୍ରଥମ ୧୦୦ ସଂକ୍ରମଣରୁ ୨୦୦୦ରେ ପହଞ୍ଚିବା ପାଇଁ ଓଡ଼ିଶା ୩୭ ଦିନ ସମୟ ନେଇଥିବା ବେଳେ ମହାରାଷ୍ଟ୍ର ୨୧ ଦିନ, ଦିଲ୍ଲୀ ୧୯ ଦିନ, ଗୁଜରାଟ ୧୮ ଦିନ, ରାଜସ୍ଥାନ ଓ ମଧ୍ୟପ୍ରଦେଶ ୨୩ ଦିନ, ଉତ୍ତର ପ୍ରଦେଶ ୨୯ ଦିନ, ତାମିଲନାଡ଼ୁ ୨୮ ଦିନ, ପଶ୍ଚିମ ବଙ୍ଗ ୩୪ ଦିନ ସମୟ ନେଇଛନ୍ତି। ତେବେ ଏ ଦିଗରେ ଓଡ଼ିଶା ଅପେକ୍ଷା କିଛି ରାଜ୍ୟଙ୍କର ସ୍ଥିତି ଭଲ ରହିଛି। ଆନ୍ଧ୍ରପ୍ରଦେଶ ପ୍ରଥମ ୧୦୦ ସଂକ୍ରମିତଠୁ ୨୦୦୦ରେ ପହଞ୍ଚିବା ପାଇଁ ୩୯ ଦିନ ସମୟ ନେଇଥିବା ବେଳେ ପଂଜାବ ୪୨ ଦିନ, କର୍ଣ୍ଣାଟକ ଓ ଜମ୍ମୁକାଶ୍ମୀର ୫୪ ଦିନ, ହରିଆନା ୫୫ ଦିନ ଓ ତେଲେଙ୍ଗାନା ୫୬ ଦିନ ସମୟ ନେଇଛନ୍ତି। ନମୁନା ପରୀକ୍ଷଣରେ ଓଡ଼ିଶା ଆଗୁଆ (ସାରଣୀ-୨): ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୦୦୦ ପହଞ୍ଚିବା ବେଳକୁ ଓଡ଼ିଶା ମୋଟ ୧ ଲକ୍ଷ ୫୫ ହଜାର ୬୯୦ ଜଣଙ୍କ ନମୁନା ପରୀକ୍ଷା କରିଥିବା ଜଣାଯାଇଛି। ତୁଳନାତ୍ମକ ଭାବେ ଓଡ଼ିଶା ବହୁ ରାଜ୍ୟଙ୍କଠାରୁ ଅଧିକ ନମୁନା ପରୀକ୍ଷା କରିଥିବା ସୂଚନା ଦିଆଯାଇଛି। ଏ କ୍ଷେତ୍ରରେ କେବଳ କର୍ଣ୍ଣାଟକ (୨,୦୬,୩୧୩) ଓ ଆନ୍ଧ୍ର (୧,୯୧,୮୭୪) ଓଡ଼ିଶାଠାରୁ ଆଗୁଆ ରହିଥିବା ବେଳେ ହରିଆନା, ତାମିଲନାଡ଼ୁ, ରାଜସ୍ଥାନ ଭଳି ଅନ୍ୟ ସମସ୍ତ ରାଜ୍ୟ ଅପେକ୍ଷାକୃତ ଢେର୍ କମ୍ ପରୀକ୍ଷା କରିଥିବା ଜଣାଯାଇଛି। ଗୁଜରାଟ ଓ ଦିଲ୍ଲୀ ଯଥାକ୍ରମେ ମାତ୍ର ୩୫ ହଜାର ୮୨୯ ଓ ୨୪ ହଜାର ୩୮୭ ନମୁନା ପରୀକ୍ଷା କରିଛନ୍ତି।

ସଂକ୍ରମଣର ହାର କମ୍ (ସାରଣୀ-୩): ଓଡ଼ିଶା ପାଇଁ ଏ ଯାଏ ଆଉ ଏକ ଆଶ୍ବାସନାର ବିଷୟ ହେଲା, ଟେଷ୍ଟ ପିଛା ସଂକ୍ରମିତଙ୍କ ହାର ମଧ୍ୟ ଅପେକ୍ଷାକୃତ କମ୍ ରହିଛି। ମୋଟ ନମୁନା ପରୀକ୍ଷାରୁ ଓଡ଼ିଶାର ମାତ୍ର ୧.୩୫ ପ୍ରତିଶତ ସଂକ୍ରମିତ ହୋଇଥିବା ରିପୋର୍ଟ ମିଳିଥିବା ବେଳେ କେବଳ ଆନ୍ଧ୍ର ଓ କର୍ଣ୍ଣାଟକର ପରିସଂଖ୍ୟାନ ଏ କ୍ଷେତ୍ରରେ ଓଡ଼ିଶାଠାରୁ ସନ୍ତୋଷଜନକ ରହିଛି। ସୂଚନାଯୋଗ୍ୟ, ରାଜଧାନୀ ଦିଲ୍ଲୀରେ ଏହି ହାର ଚିନ୍ତାଜନକ ଭାବେ ୮.୨୧ ରହିଛି। ଜଣେ ସଂକ୍ରମିତଙ୍କ ପାଇଁ ୭୪ ଜଣଙ୍କୁ ପରୀକ୍ଷା (ସାରଣୀ-୪): ପ୍ରତି ଜଣେ ସଂକ୍ରମିତଙ୍କ ପଜିଟିଭ୍ ରିପୋର୍ଟ ପାଇଁ ଅନ୍ୟ ୭୪ ଜଣ (ଲକ୍ଷଣଯୁକ୍ତ ଓ କଣ୍ଟାକ୍ଟ ଟ୍ରେସିଂ)ଙ୍କୁ ଓଡ଼ିଶାରେ ପରୀକ୍ଷା କରାଯାଉଥିବା ବେଳେ ଉପରୋକ୍ତ ଦୁଇ ରାଜ୍ୟ ହିଁ ଓଡ଼ିଶାଠାରୁ ଆଗରେ ରହିଛନ୍ତି। ଏ କ୍ଷେତ୍ରରେ ମଧ୍ୟ ଅନୁରୂପ ଭାବେ ଦିଲ୍ଲୀ(୧୨ ଜଣ)‌ରେ ନମୁନା ପରୀକ୍ଷା ସଂଖ୍ୟା ନୈରାଶ୍ୟଜନକ ରହିଛି।

ପ୍ରବାସୀ ଶ୍ରମିକଙ୍କ ଆଗମନ ସତ୍ତ୍ବେ ସଂକ୍ରମିତଙ୍କ ସଂଖ୍ୟା ନିୟନ୍ତ୍ରିତ (ସାରଣୀ-୫): ସଂକ୍ରମିତ ସଂଖ୍ୟା ଦୁଇଗୁଣକୁ ବୃଦ୍ଧି ହେବାରେ ଓଡ଼ିଶାର ସ୍ଥିତି ବହୁତ ଭଲ ନଥିବା ଜଣାଯାଇଛି। ଏ ନେଇ ମୋଟ ୨୦୦୦ ବା ତଦୁର୍ଦ୍ଧ୍ବ ସଂକ୍ରମିତଙ୍କ ରାଜ୍ୟଗୁଡ଼ିକର ତୁଳନାତ୍ମକ ପରିସଂଖ୍ୟାନରୁ ଜଣାଯାଇଛି ଯେ ଓଡ଼ିଶା ଏଥିପାଇଁ ୧୨.୭୫ ଦିନ ସମୟ ନେଇଛି। କେବଳ ପଂଜାବ, ଆନ୍ଧ୍ର, ତେଲେଙ୍ଗାନା ଓ ତାମିଲନାଡୁ ଓଡ଼ିଶାଠାରୁ ଅଧିକ ସମୟ ନେଇଛନ୍ତି। ତେବେ ଗତ ଦୁଇ ସପ୍ତାହରେ ଓଡ଼ିଶାକୁ ବହୁ ସଂଖ୍ୟାରେ ପ୍ରବାସୀ ଶ୍ରମିକଙ୍କ ଆଗମନ ସତ୍ତ୍ବେ ଏହି ସଂଖ୍ୟା ନୈରାଶ୍ୟଜନକ ନୁହେଁ ବୋଲି ଯୁକ୍ତି କରାଯାଇଛି। ମୃତ୍ୟୁହାର ଓଡ଼ିଶାରେ ସର୍ବନିମ୍ନ (ସାରଣୀ-୬): ୨୦୦୦ରୁ ଅଧିକ ସଂକ୍ରମିତଙ୍କ ରାଜ୍ୟଗୁଡ଼ିକ ମଧ୍ୟରେ କରୋନା ଭୂତାଣୁ ଜନିତ ମୃତ୍ୟୁହାର ଏ ଯାଏ ଓଡ଼ିଶାରେ ସର୍ବନିମ୍ନ ହୋଇଥିବାରୁ ଏହା କୋଭିଡ୍-୧୯ ପରିଚାଳନାର ଏକ ଉପଲବ୍‌ଧି ବୋଲି କୁହାଯାଉଛି। ଓଡ଼ିଶାରେ ଏଯାଏ ‌ମାତ୍ର ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବିହାରରେ ୧୧ ଜଣ, ହରିଆନା‌, ଜାମ୍ମୁକାଶ୍ମୀର‌, ତାମିଲନାଡ଼ୁ ଓ ରାଜସ୍ଥାନରେ ଯଥାକ୍ରମେ ୨୦, ୨୮, ୨୫ ଓ ୨୭ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି। ସେହିପରି ପଶ୍ଚିମବଙ୍ଗ ଓ ମହାରାଷ୍ଟ୍ରରେ ସର୍ବାଧିକ ଯଥାକ୍ରମେ ୧୯୦ ଓ ୧୬୦ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି।

ରାଜ୍ୟରେ ମୋଟ ସଂକ୍ରମିତଙ୍କ ମଧ୍ୟରୁ ୯୫ ପ୍ରତିଶତ କେବଳ ସଂଗରୋଧରୁ ହିଁ ଫେରନ୍ତା ପ୍ରବାସୀଙ୍କ ରୂପରେ ବାହାରୁଥିବାରୁ କୋଭିଡ୍ ପରିଚାଳନା ନେଇ ସରକାର ବିଭିନ୍ନ ପରିସଂଖ୍ୟାନ ଜରିଆରେ ଆଶ୍ବସ୍ତି ପ୍ରକାଶ କରିଆସୁଛନ୍ତି। ଏହା ସତ୍ତ୍ବେ ମଙ୍ଗଳବାରର ହିଁ ଏକ ବ୍ୟତିକ୍ରମ ଦେଖିବାକୁ ମିଳିଛି। ଦିନକରେ ରାଜ୍ୟରେ ଚିହ୍ନଟ ହୋଇଥିବା ୧୪୧ ପଜିଟିଭ୍‌ଙ୍କ ମଧ୍ୟରୁ ୩୧ ଜଣ ସ୍ଥାନୀୟ ବାସିନ୍ଦା ହୋଇଥିବାରୁ ସରକାରଙ୍କ ପାଇଁ ଏହା ଅସ୍ବସ୍ତିକର ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି।

By amfnews

Related Post