Sat. Mar 7th, 2026

ନିଶା ଦେଇ ପୁଣି ୨ ଜଣଙ୍କୁ ଲୁଟିଲେ

202 Views

ଖଣ୍ଡଗିରି, ଜାନୁଆରୀ ୧୧ : ରାଜଧାନୀରେ ଲଗାତାର ଆତଙ୍କ ଖେଳାଇ ଆସୁଥିବା ନିଶାଦିଆ ଲୁଟେରା ଗ୍ୟାଙ୍ଗ୍ ପୁଣି ବୁଧବାର ରାତିରେ ଦୁଇ ଜଣ ଟ୍ରେନ୍ ଯାତ୍ରୀଙ୍କୁ ଶିକାର କରିଛନ୍ତି। ନିଶାଦିଆ ଲୁଟେରାଙ୍କ ଶିକାର ହୋଇଥିବା ଏହି ଦୁଇ ଯୁବକ ହେଲେ କେନ୍ଦୁଝର ଖାଡ଼ିଆସାହିର ଭାନୁକିଶୋର ଭୂୟାଁଙ୍କ ପୁଅ ପ୍ରଶାନ୍ତ ଓ ସେହି ଗାଁର ଦେବେନ୍ଦ୍ର ନାୟକଙ୍କ ପୁଅ ମୁନା। ଲୁଟେରାମାନେ ସେମାନଙ୍କଠାରୁ ୯ ହଜାର ଟଙ୍କା ଓ ମୋବାଇଲ୍‌ ଲୁଟି ନେବା ପରେ ସହିଦନଗର ଥାନା ଆନନ୍ଦବଜାର ଛକରେ ଫିଙ୍ଗି ଫେରାର୍ ହୋଇଯାଇଛନ୍ତି।

ସୂଚନାନୁସା‌ରେ, ବିଶାଖାପାଟଣାରେ ଏକ ଠିକାଦାର ନିକଟରେ କାମ କରୁଥିବା ଏହି ଦୁଇ ଯୁବକ ଗତକାଲି ରାତିରେ ଘରକୁ ଫେରୁଥିଲେ। ଟ୍ରେନ୍ ଯୋଗେ ସେମାନେ ଭୁବନେଶ୍ବରରେ ପହଞ୍ଚିବା ପରେ ବରମୁଣ୍ଡା ବସଷ୍ଟାଣ୍ଡରୁ କେନ୍ଦୁଝରକୁ ବସ୍‌ରେ ଯାଇଥାଆନ୍ତେ। କିନ୍ତୁ ଆଜି ସକାଳେ ସେମାନେ ଆନନ୍ଦ ବଜାର ଛକରେ ସଂଜ୍ଞାହୀନ ହୋଇ ପଡ଼ିଥିବା ଦେଖି ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରିଥିଲା। ସ୍ବେଚ୍ଛାସେବୀ ସଂଗଠନ ‘ସହାୟ’ ସହଯୋଗରେ ଓ କ୍ୟାପିଟାଲ ହସ୍ପିଟାଲ ଡାକ୍ତରଙ୍କ ଉଦ୍ୟମ ବଳରେ ସେମାନେ ସଂଜ୍ଞା ଫେରି ପାଇଥିଲେ। ଚା’ରେ ତାଙ୍କୁ ନିଶା ଦେଇ ଲୁଟିବା ପରେ ଦୁର୍ବୃତ୍ତମାନେ ରାସ୍ତାରେ ଫିଙ୍ଗି ଚାଲିଯାଇଥିବା ଜଣାପଡ଼ିଛି।

By amfnews

Related Post