Sun. Nov 24th, 2024

ନିର୍‌ତାର ନିର୍ଦ୍ଦେଶକଙ୍କ ଗାଡ଼ି ଉପରକୁ ବୋମା ଓ ଗୁଳିମାଡ଼

By amfnews Jul 4, 2019 #Featured
65 Views

କଟକ/କଣ୍ଟାପଡା : କଟକ ଜିଲ୍ଲାର ଓଲଟପୁରସ୍ଥିତ ଏସ୍‌ଭି ନିର୍‌ତାରର ନିର୍ଦ୍ଦେଶକ ଡାକ୍ତର ଶକ୍ତିପ୍ରସାଦ ଦାସଙ୍କୁ ହତ୍ୟା ଉଦ୍ୟମ। ଦୁଇ ଜଣ ଅଜଣା ଦୁର୍ବୃତ୍ତ ଆଜି ବାଇକ୍‌ରେ ଆସି ତାଙ୍କ ଗାଡ଼ି ଉପରକୁ ଅତର୍କିତ ଭାବେ ବୋମାମାଡ଼ ଓ ଗୁଳିମାଡ଼ କରି ଫେରାର ହୋଇ ଯାଇଛନ୍ତି। ଏଥିରେ ଗାଡ଼ିର ପଛପଟ କାଚ ସଂପୂର୍ଣ୍ଣ ଭାଙ୍ଗିଯାଇଥିବାବେଳେ ନିର୍ଦ୍ଦେଶକ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ତେବେ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିବା ଜଣାପଡ଼ିଛି। ଏହି ଘଟଣା ସମଗ୍ର ଅଂଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ‌ଅନ୍ୟପଟେ ପୁଲିସ କିନ୍ତୁ ବୋମାମା‌ଡ଼ ଓ ଗୁଳିମାଡ଼କୁ ଅସ୍ବୀକାର କରିଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବାବେଳେ ଦୁର୍ବୃତ୍ତ ଦେଶୀ ପିସ୍ତଲ ଫିଙ୍ଗି ଦେବା ଫଳରେ ଗାଡ଼ିର କାଚ ଭାଙ୍ଗିଯାଇଥିବା ପୁଲିସ କହିଛି।

ସୂଚନାଯୋଗ୍ୟ ଯେ ଡା. ଦାସ ଆଜି ଅଫିସ୍‌ କାର୍ଯ୍ୟ ସାରି ଅପରାହ୍ନ ପ୍ରାୟ ସାଢେ ୫ଟାରେ ଇଣ୍ଡିକା କାର (ଓଡି୦୨ଏଜେ୫୨୫୬)ରେ କଟକସ୍ଥିତ ଘରକୁ ଫେରୁଥିଲେ। ସବୁଦିନ ଭଳି ସେ ଗାଡ଼ିର ପଛପଟ ସିଟ୍‌ରେ ବସିଥିଲେ। ତେବେ ଫୁଲନଖରା-ନିଆଳି ରାସ୍ତାର କଣ୍ଟାପଡ଼ା ନିକଟ କଅଁରପୁର ବାଙ୍କ ନିକଟରେ ତାଙ୍କ କାର ଉପରକୁ ଆକ୍ରମଣ ହୋଇଥିଲା। ତାଙ୍କ କାର୍‌କୁ ପିଛା କରି ଦୁଇଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ପ୍ରଥମେ ପଛପଟୁ ବୋମାମାଡ଼ ପରେ ଗୁଳିମାଡ଼ କରିଥିଲେ। ଫଳରେ ଗାଡ଼ିର ପଛପଟ କାଚ ଭାଙ୍ଗି କାଚ ସବୁ ସିଟ୍‌ ଉପରେ ପଡ଼ିଥିଲା। ଏପରିକି ଅତି ପାଖରୁ ଗୁଳିମାଡ଼ କରୁଥିବାବେଳେ ଦୁବୃର୍ତ୍ତଙ୍କ ହାତରୁ ବନ୍ଧୁକ ଖସି ଗାଡ଼ିରେ ପଡ଼ିଥିଲା। ବନ୍ଧୁକ ଖସିପଡ଼ିବା ପରେ ଦୁଇ ଦୁର୍ବୃତ୍ତ ଖସି ପଳାଇଥିଲେ। ହଠାତ୍‌ କିଛି ବୁଝିପାରି ନଥିଲେ ନିର୍ଦ୍ଦେଶକ ଓ ଗାଡ଼ିଚାଳକ। ସେମାନେ ତୁରନ୍ତ ଏ ସଂପର୍କରେ ପୁଲିସକୁ ଖରର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ଓ ବନ୍ଧୁକକୁ ଜବତ୍‌ କରିଥିଲା।

ଓଲଟପୁର ଥାନାରେ ପହଞ୍ଚି ଡା.ସାସ ଏ ସଂପର୍କରେ ଲିଖିତ ଅଭିଯୋଗ କରିଛନ୍ତି। ତାଙ୍କ ସହ ଉପନିର୍ଦ୍ଦେଶକ ଡାକ୍ତର ରଶ୍ମିରଂଜନ ‌ସେଠୀ, କିଶୋର ଚନ୍ଦ୍ର ମହାପାତ୍ର, ପ୍ରଶାନ୍ତ ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ନିର୍ଦ୍ଦେଶକଙ୍କୁ ହତ୍ୟା କରିବାକୁ ଏହି ଆକ୍ରମଣ ଏକ ଯୋଜନାବଦ୍ଧ ଷଡଯନ୍ତ୍ର ବୋଲି ଅଭିଯୋଗ କରିଛନ୍ତି ନିର୍ଦ୍ଦେଶକ। ଏହା ପୂର୍ବରୁ ମଧ୍ୟ ତାଙ୍କୁ ବିଭିନ୍ନ ସମୟରେ ଧମକପୂର୍ଣ୍ଣ ଚିଠି ଆସୁଥିଲା। ଏପରିକି ପଦ ଛାଡ଼ିବାଠାରୁ ଆରମ୍ଭ କରି ବିଭିନ୍ନ ନିଯୁକ୍ତିକୁ ନେଇ ତାଙ୍କୁ ଜୀବନରେ ମାରିଦେବାକୁ ଧମକ ଆସୁଥିଲା। ସେ ୨ବର୍ଷ ତଳେ ଏ ସଂପର୍କରେ ପୁଲିସ ନିକଟରେ ଅଭିଯୋଗ କରିବା ପରଠାରୁ ଏହି ଚିଠି ଆସିବା ବନ୍ଦ ରହିଥିଲା।

ଏ ସଂପର୍କରେ କଟକ ଗ୍ରାମାଞ୍ଚଳ ଏସ୍‌ପି ରାଧାବିନୋଦ ପାଣିଗ୍ରାହୀଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି, ଗାଡ଼ିର କାଚ ସଂପୂର୍ଣ୍ଣ ଭଙ୍ଗିଛି। କିନ୍ତୁ ଗୁଳିମାଡ଼ କି ବୋମାମାଡ଼ ହୋଇନି। ଏହି ଆକ୍ରମଣ ପଛରେ କାହାର ହାତ ‌ଅଛି ସେ ନେଇ ପୁଲିସ ତଦନ୍ତ କରୁଛି। କଟକ ସଦର ଏସ୍‌ଡିପିଓ ସୁବାସ ପଣ୍ଡାଙ୍କ ନେତୃତ୍ବରେ ନିଆଳି, ଗୋବିନ୍ଦପୁର, ଓଲଟପୁର ଥାନାର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ବିଭିନ୍ନ ସ୍ଥାନରେ ତନଖି ଅଭିଯାନ ଜାରି ରଖିଛନ୍ତି।

By amfnews

Related Post