Tue. Jan 7th, 2025

ନିର୍ବାଚନ କାହାପାଇଁ ନିର୍ବାସନ ହେବ

By amfnews Apr 25, 2019 #Featured
326 Views

 ପ୍ରଶାନ୍ତ ପଟ୍ଟନାୟକ

ଚଳିତ ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ମୁଖ୍ୟ ରାଜନୈତିକ ଦଳ ଯଥା ବିଜେପି, କଂଗ୍ରେସ ଓ ବିଜୁ ଜନତା ଦଳ ତରଫରୁ ଜୋର୍ସୋରରେ ପ୍ରଚାର କାର୍ଯ୍ୟ ଚାଲୁ ରହିଛି । ଆଗାମୀ ୨୭ତାରିଖରେ ରାଜ୍ୟରେ ସମାପ୍ତ ହେବାକୁ ଥିବା ଚତୁର୍ଥ ପର୍ଯ୍ୟାୟର ନିର୍ବାଚନ ବିଜେପି ଦଳ ତରଫରୁ ୧୪୭, ବିଜୁ ଜନତା ଦଳ ତରଫରୁ ୧୪୭ ଓ କଂଗ୍ରେସ ଦଳ ତରଫରୁ ୧୩୮ଜଣ ଏହିଭଳି ସର୍ବମୋଟ ୩୩୨ଜଣ ପ୍ରାର୍ଥୀଙ୍କ ବ୍ୟତୀତ ଅନ୍ୟାନ୍ୟ ଦଳମାନଙ୍କର ଓ ବହୁସଂଖ୍ୟକ ସ୍ୱାଧୀନ ପ୍ରାର୍ଥୀ ରଣାଙ୍ଗନରେ ଅବତୀର୍ଣ୍ଣ ଏହି ନିର୍ବାଚନର ଫଳାଫଳ ମଇ ୨୩ତାରିଖ ଦିନ ଘୋଷିତ ହେବ । ବିଜେଡ଼ି ବିଧାୟକ ବେଦ ପ୍ରକାଶ ଅଗ୍ରୱାଲଙ୍କ ମୃତ୍ୟୁ ଯୋଗୁଁ ସ୍ଥଗିତ ରଖାଯାଇଥିବା ପାଟକୁରା ନିର୍ବାଚନ ମଣ୍ଡଳୀ ପାଇଁ ମଇ ୧୯ତାରିଖରେ ଉପନିର୍ବାଚନ ହେବା ଲାଗି ସ୍ଥିର କରାଯାଇଛି । ଏହାର ଫଳାଫଳ ମଧ୍ୟ ମଇ ୨୩ତାରିଖ ଦିନ ପ୍ରକାଶ ପାଇଯାଇଥିବ । ତେଣୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ସମସ୍ତ ପ୍ରାର୍ଥୀମାନଙ୍କ ମଧ୍ୟରୁ କେବଳ ୧୪୭ଜଣ ନିର୍ବାଚିତ ହେବା ସ୍ଥଳେ ଅବଶିଷ୍ଟ ପ୍ରାର୍ଥୀମାନେ ନିର୍ବାଚନ କ୍ଷେତ୍ରରୁ ଯେ ନିଶ୍ଚିତ ଭାବରେ ନିର୍ବାସିତ ହେବେ ଏଥିରେ ସନ୍ଦେହ ନାହିଁ ।

ନିର୍ବାଚନ ପ୍ରଚାର ସମୟରେ ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସର୍ବମୟ କର୍ତ୍ତା ଶ୍ରୀ ନବୀନ ପଟ୍ଟନାୟକ ଓ ଅପରପକ୍ଷରେ ବିଜେପି ଦଳର ଜାତୀୟ ସଭାପତି ଶ୍ରୀ ଅମିତ ଶାହା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି ସ୍ୱରାଷ୍ଟ୍ର ବିଭାଗ ମନ୍ତ୍ରୀ ଶ୍ରୀ ରାଜନାଥ ସିଂ ଏବଂ କେନ୍ଦ୍ରମନ୍ତ୍ରୀ ମଣ୍ଡଳର ବହୁ ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ଓଡ଼ିଶା ଗ୍ରସ୍ତ କରି ଶ୍ରୀ ପଟ୍ଟନାୟକଙ୍କୁ କଠୋର ଭାବରେ ଆକ୍ରମଣ କରିଛନ୍ତି । ସେହିଭଳି କଂଗ୍ରେସ ତଥା ଶ୍ରୀ ରାହୁଲ ଗାନ୍ଧୀ ମଧ୍ୟ ନବୀନଙ୍କ ବିରୋଧରେ ଯୁଦ୍ଧ ଘୋଷଣା କରି ରାଜ୍ୟବାସୀଙ୍କୁ ଅନେକ ଗୁଡ଼ିଏ ପ୍ରଲୋଭନ ଦେଖାଇଛନ୍ତି । ପ୍ରଧାନନ୍ତ୍ରୀ ଶ୍ରୀ ମୋଦି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ଚରମ ବାଣୀ ଶୁଣାଇ ‘ନବୀନ ବାବୁ ଆପଣ ଏଥର ଯାଉଛନ୍ତି’ । ଆପଣଙ୍କ ବିଦା ହେବା ନିଶ୍ଚିତ ହୋଇଗଲାଣି ହାତଗଣତି ଅଳ୍ପ କିଛି ଅଫିସର ଆଉ ଆପଣଙ୍କୁ ରକ୍ଷା କରିପାରିବେନି । ଓଡ଼ିଶାର ଜନସାଧାରଣ ଏବେ ଆପଣଙ୍କୁ ବିଦାୟ ଦେବା ମୁଡ଼୍ରେ । ଆପଣ ଶାସନରେ ରହିବା ମୁସ୍କିଲ…. ।’

ଏଇ ଭାଷାରେ ଆଜି ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଚଣ୍ଡ ଆକ୍ରମଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କଟାକ୍ଷ କରି କହିଛନ୍ତି, ମୁଁ ଚାହୁଁଥିଲି ଆପଣ ମର୍ଯ୍ୟାଦାଜନକ ଭାବେ ଶାସନଗାଦିରୁ ବିଦା ହୁଅନ୍ତୁ । ଆପଣଙ୍କ ବିଦାୟ ପର୍ବ ଶାନ୍ଦାର୍ ହେଉ । ହେଲେ ଗତ ୧୦-୧୨ଦିନ ଭିତରେ ରାଜ୍ୟରେ ଯେଉଁଭଳି ଭାବେ ହିଂସା କାଣ୍ଡ ଚାଲିଛି ।, ବିଜେପି କାର୍ଯ୍ୟକର୍ତ୍ତାଙ୍କ ଉପରେ ଯେଉଁଭଳି ଆକ୍ରମଣ କରାଯାଉଛି, ଅଫିସରମାନେ ଯେଭଳି ଆଖିରେ ପଟିବାନ୍ଧି ବସିଛନ୍ତି, ତାହା ଓଡ଼ିଶାର ଲୋକଙ୍କୁ ତତାଇ ଦେଲାଣି । ଲୋକେ ରାଗିଲେଣି । ବିଜେଡ଼ି ଏବେ ଯେତେ ତାକତ୍ ଲଗାଉ, ଓଡ଼ିଶାରେ ବିଜେପିର ଡ଼ବଲ ଇଂଜିନ୍ ସରକାର ଆସିବାକୁ କେବେ ରୋକିପାରିବନି ।
ମୋଦିଜୀଙ୍କ କାଦୁଅ ଫୋପଡ଼ାର ଉତ୍ତରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ଓଡ଼ିଶାବାସୀଙ୍କ ଚରମ ବିପଦ ଓ ବିପର୍ଯ୍ୟୟ ସମୟରେ ମୋଦିଜୀ ଏବଂ ବିଜେପି ଦଳର କେନ୍ଦ୍ରୀୟ ନେତାମାନେ ଥରକ ପାଇଁ ହେଲେ ସେମାନଙ୍କ ନିକଟରେ ଛିଡ଼ା ହୋଇନଥିବା ସ୍ଥଳେ ଏବେ ଭୋଟ ପାଇଁ ବାରମ୍ବାର ଓଡ଼ିଶାକୁ ଆସି ଜନସାଧାରଣ ପାଇଁ କୁମ୍ଭୀର କାନ୍ଦଣା କାନ୍ଦିବା ସହ ମିଥ୍ୟା ପ୍ରତିଶୃତିମାନ ଦେଇ ଚାଲିଛନ୍ତି ।

ସମ୍ପ୍ରତ୍ତି ଓଡ଼ିଶା କେନ୍ଦ୍ରୀୟ ବିଜେପି ନେତାଙ୍କ ଇଲେକ୍ସନ୍ ଟୁରିଜିମ୍ କ୍ଷେତ୍ରରେ ପରିଣତ ହୋଇଛି । ‘୨୦୧୪ମସିହାର ‘ହୁଡ଼୍ହୁଡ଼୍’ ସହିତ ପ୍ରଳୟଙ୍କାରୀ ବନ୍ୟା, ୨୦୧୫ ମସିହାରେ ଭୟଙ୍କର ମରୁଡ଼ି ପରିସ୍ଥିତି, ୨୦୧୬ମସିହାରେ ବନ୍ୟା, ୨୦୧୭ ମସିହାରେ ପ୍ରଳୟଙ୍କାରୀ ବନ୍ୟା ଓ ଭୟଙ୍କର ମରୁଡ଼ି, ୨୦୧୮ମସିହାରେ ‘ତିତ୍ଲି’ ସହିତ ପ୍ରଳୟଙ୍କାରୀ ବନ୍ୟା । ଓଡ଼ିଶାବାସୀ ଦୁଃଖ କଷ୍ଟରେ ପାଣି ଘେରରେ ଥିଲେ, କିନ୍ତୁ ୫ବର୍ଷରେ ଥରେ ହେଲେ ବି ବିଜେପିର ବଡ଼ ବଡ଼ କେନ୍ଦ୍ରୀୟ ନେତା କେହି ଆସିଲେ ନାହିଁ । ଏବେ ଭୋଟ୍ ପାଇଁ ୧୫ ଦିନରେ ୧୫ଥର ଓଡ଼ିଶାକୁ ଦୌଡ଼ୁଛନ୍ତି ।’
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ନବୀନଙ୍କ ଶାସନର ଅନ୍ତ ଘଟିବାକୁ ଯାଉଛି ବୋଲି ଦୃଢ଼ ଭାବରେ ଭବିଷ୍ୟତ ବାଣୀ କରିଥିବା ସମୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ବାଚନରେ ବିଜୟ ହାସଲ କରି ନୂତନ ମନ୍ତ୍ରୀମଣ୍ଡଳ ଗଠନ କରିବା ସମୟରେ ସେହି ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା ପାଇଁ ମୋଦିଜୀଙ୍କୁ ନମ୍ରତାର ସହ ନିମନ୍ତ୍ରଣ ଜଣାଇଛନ୍ତି । ଏହି ଭଳି ତର୍କବିତର୍କ, ଆରୋପ ପ୍ରତ୍ୟାରୋପକୁ ଓଡ଼ିଶାର ଜନସାଧାରଣ ବେଶ୍ ଉପଭୋଗ କରୁଥିବା ଭଳି ମନେହୁଏ । ଏହି ଅତ୍ୟନ୍ତ ସମ୍ଭେଦନଶୀଳ ନିର୍ବାଚନର ପଳାଫଳ କାହାପାଇଁ ବିଜୟର ଗୌରବ ଆଣି ଏବଂ କାହାପାଇଁ ପରାଜୟର ଗ୍ଲାନି ଓ ନିର୍ବାସନ ହେବ ତାହା ଦେଖିବା ଲାଗି ସମଗ୍ର ଭାରତବାସୀ ଆଗ୍ରହର ସହ ଅପେକ୍ଷା କରିଛନ୍ତି ।

By amfnews

Related Post