Fri. Mar 6th, 2026
233 Views

କଟକ : ଆଉ ଦିନ କେଇଟା ପରେ ଧରାବତରଣ କରିବେ ମା’।  ଏଥିପାଇଁ ସଜେଇ ହେଲାଣି କଟକ ସହର। ଛକରେ ଛକରେ ମା’ଙ୍କ ଆଗମନ ନେଇ ଜୋରସୋରରେ ଚାଲିଛି ପ୍ରସ୍ତୁତି। ବିଭିନ୍ନ ପୂଜାମଣ୍ଡପରେ ମୂର୍ତ୍ତି କାମ ଆଗେଇ ଚାଲିଥିବା ବେଳେ ମେଢ଼ କାରିଗରଙ୍କ ହାତକୁ ବି ଫୁରସତ୍ ନାହିଁ। ମୂର୍ତ୍ତି ଓ ତୋରଣ ନିର୍ମାଣରେ ଦିନରାତି ଲାଗିଛନ୍ତି କାରିଗର। ତେବେ ଚାନ୍ଦିମେଢ଼ ପାଇଁ ପ୍ରସିଦ୍ଧ କଟକ ସହରରେ ଆଜିବି ନିଜର ସ୍ୱତନ୍ତ୍ରତା ବଜାୟ ରଖିପାରିଛି ଜରିମେଢ଼।

ଭଳିକି ଭଳି ଡିଜାଇନର ଜରି ମେଢ଼, ଝାଲେରୀ, ଗମ୍ଭୁଜ, ମାଆଙ୍କ ମୁକୁଟ ସହ ବିଭିନ୍ନ ଗହଣା ପ୍ରସ୍ତୁତ କରୁଛନ୍ତି କାରିଗର। ରଙ୍ଗବେରଙ୍ଗ ଭେଲଭେଟ୍, ମାଳି, ଚୁମକି ଓ କାଚରେ ମେଢ଼କୁ ଆକର୍ଷଣୀୟ କରିବା ପାଇଁ ଆଗେଇ ଚାଲିଛି କାମ।


କଟକ ସହର ବାଙ୍କା ବଜାର ଅଞ୍ଚଳରେ ରହୁଥିବା ଜାହିର ଖାଁଙ୍କ ଜରିମେଢ଼ କାରିଗରୀର ବେଶ୍ ଚାହିଦା ରହିଛି। ଏହାସହ ଅଞ୍ଚଳର ଆହୁରି ଅନେକ ମୁସଲମାନ ପରିବାର ମା’ ଦୁର୍ଗାଙ୍କ ସେବାରେ ନିଜକୁ ନିୟୋଜିତ କରିଛନ୍ତି।

ତେବେ ଧଳା ଜରି ଅପେକ୍ଷା ଗୋଲଡେନ୍ ମେଢ଼ର ଚାହିଦା ଅଧିକ ଥିବାରୁ ଏଥିପାଇଁ ବରାଦ ବି ଅଧିକ ଆସିଥାଏ। ତେବେ ଆବଶ୍ୟକ ମୁତାବକ ଡିଜାଇନ୍ ଯୋଗାଇ ଦିଆଯାଉଥିବା କହିଛନ୍ତି କାରିଗର।

ଜରି ମେଢ଼ କାରିଗର ଜାହିର ଖାଁ କହିଛନ୍ତି,“ ଜରି ମେଢ଼ ତିଆରି କରିବା ପାଇଁ ବାଉଁଶ ଦରକାର ହୋଇଥାଏ। ଏହି ବାଉଁଶକୁ ପ୍ରଥମେ ଚିରା ଯାଇ ସାଇଜ୍ କରି କଟାଯାଇ ଥାଏ। ତା’ପରେ କାଗଜ ବୋର୍ଡରେ ରଙ୍ଗ ପକାଇ ଜିଙ୍କ୍ ପକାଇ ମେଢ଼ କରାଯାଏ। ଏହି ଜରି ମେଢ଼ ୨୦ ବର୍ଷ ହେଲା ତିଆରି କରି ଆସୁଛି। ଏହା ପୂର୍ବରୁ ମୋ ଜେଜେବାପା, ବାବା କରୁଥିଲେ।”

ମେଢ଼ କାରିଗର ସାହିଦ ଖାଁ କହିଛନ୍ତି,“, ପ୍ରତିବର୍ଷ ଏହି ଜରି ମେଢ଼ର ଡିଜାଇନ୍ ପରିବର୍ତ୍ତନ କରାଯାଇଥାଏ। ସେଥିପାଇଁ ଜରି ମେଢ଼ ଚାହିଦା ରହିଛି। ସୁନା ଓ ଚାନ୍ଦିମେଢ଼ର ଡିଜାଇନ୍ ପରିବର୍ତ୍ତନ ହୋଇ ନଥାଏ।”

ବିଜୟ ପ୍ରସାଦ ଭଗତ କହିଛନ୍ତି,“ ବିଭିନ୍ନ ମଣ୍ଡପରେ ସୁନା ଓ ଚାନ୍ଦିରେ ମେଢ଼ କରାଗଲାଣି। କିନ୍ତୁ ଏବେବି ଜରି ମେଢ଼ର ଚାହିଦା ରହିଛି।”

By amfnews

Related Post