187 Views
କଥାରେ ଅଛି ଯିଏ ପର ପାଇଁ ଗାତ ଖୋଳେ ଗୋଟେ ଦିନ ସେହି ଗାତରେ ନିଜେ ପଡନ୍ତି।ଏହି ଲୋକ କଥାଟି ଆଜି ସଠିକ ପ୍ରମାଣିତ ହୋଇଛି।କାରଣ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର କବର୍ଧା ଜିଲ୍ଲାର ଭୈରମଦେବ ଅଭୟାରଣ୍ୟର ଧନଡବରା ଜଙ୍ଗଲରେ ପୁଲିସ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ଜଣେ ମହିଳା ମାଓବାଦୀ ମୃତ ହୋଇଥିବା ସୂଚନା ମିଳିଛି।ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ ହୋଇଛି।ଏହା ସହିତ ମାଓବାଦୀ ମାନଙ୍କ ଦ୍ୱାରା ସୁରକ୍ଷାକର୍ମୀଙ୍କୁ କ୍ଷତିଗ୍ରସ୍ତ କରିବା ଉଦ୍ଦେଶ୍ୟରେ ଲଗା ଯାଇଥିବା ଆମ୍ବୁସ ମଧ୍ୟରେ ମାଓବାଦୀ ନିଜେ ଫସିଯାଇଥିଲେ।ମିଳିଥିବା ସୂଚନାନୁସାରେ ଝଲାମଲା ଥାନା ଅନ୍ତର୍ଗତ ଅଞ୍ଚଳରେ ବିଳମ୍ବିତ ରାତିରେ ଏପରି ଘଟିବା ପରେ ପୁଲିସ ଉକ୍ତ ଜଙ୍ଗଲରେ କମ୍ବିଂ ଅପରେସନ ଜୋରଦାର କରିଛି।
ପୁଲିସ ଯବାନ ମାନେ ତଲାସୀ ଅଭିଯାନରେ ଯାଇଥିବା ବେଳେ ମାଓବାଦୀ ମାନେ ପୁଲିସକୁ ଦେଖି ଗୁଳି ବିନିମୟ କରିଥିଲେ।ପୁଲିସ ମଧ୍ୟ ମାଓବାଦୀଙ୍କ ଗୁଳିର ଜବାବ ଦେଇ ଗୁଳି ଚଳାଇଥିଲେ।ଫଳରେ ଜଣେ ମହିଳା ମାଓବାଦୀର ମୃତ୍ୟୁ ହୋଇଥିଲା।ପୁଲିସ ମହିଳା ମାଓବାଦୀ ଶବ ଓ ଅସ୍ତ୍ରଶସ୍ତ୍ର ଘଟଣା ସ୍ଥଳରୁ ଜବତ କରିଛି।ଜବତ ଶବକୁ ପୁଲିସ କବର୍ଧା ପୁଲିସ ମୁଖ୍ୟାଳୟ ଆଣିବା ପାଇଁ ବ୍ୟବସ୍ଥା କରୁଛି।ହେଲେ ମାଓବାଦୀଙ୍କ ଦ୍ୱାରା ଲଗାଯାଇଥିବା ଆମ୍ବୁସରେ ନିଜେ ମାଓବାଦୀ ମାନେ ଫସି ଯାଇଛନ୍ତି।ଯାହା ଦ୍ୱାରା କିଛି ମାଓବାଦୀ ଗୁରୁତର ଆହତ ହୋଇଥିବା ପୁଲିସ ଆଶଙ୍କା କରୁଛି।
ବିଗତ ଦିନରେ ଝଲାମଲା ଥାନା ଅନ୍ତର୍ଗତ ବୋଲଦା ଗାଁରେ ମାଓବାଦୀ ମାନେ ପୁଲିସ ଇନର୍ଫମର ସନ୍ଦେହରେ ଜଣେ ଲୋକକୁ ମାରି ଗାଁ ଠାରୁ ୨୦୦ ମିଟର ଦୂରରେ ପକାଇ ଦେଇଥିଲେ।ଏହାର ୨ ମାସ ପୂର୍ବରୁ ତରେଗାଓଁ ଥାନା ଅନ୍ତର୍ଗତ ଅଞ୍ଚଳରେ ପୁଲିସ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା।ସେଥିରେ ଜଣେ ମାଓବାଦୀକୁ ମାରିବାରେ ସଫଳତା ପାଇଥିଲେ।ସେହି ଦିନ ଠାରୁ ଏହି ଅଞ୍ଚଳରେ ମାଓବାଦୀ ମାନଙ୍କ ଗତିବିଧି ବଢିଯାଇଛି।ମାଓବାଦୀଙ୍କ ମୃତ୍ୟୁରେ ଭୟରେ ମାଓବାଦୀ ମାନେ ଆତଙ୍କିତ ହୋଇ ଯାଇଛନ୍ତି।