ରାଉରକେଲା, ୧୫ା୧୧ : “ନିଜର ସାମର୍ଥ୍ୟକୁ ହୃଦବୋଧ କରିବା ଏବଂ ସେହି ମାର୍ଗରେ ଅଗ୍ରସର ହୋଇ ଏହାର ବିକାଶ ସାଧନ କରିବା ସଫଳତା ପ୍ରାପ୍ତିର ମୂଳମନ୍ତ୍ର ଅଟେ”, ବୁଧବାର ଇସ୍ପାତ ଷ୍ଟାଡିୟମଠାରେ ଆୟୋଜିତ ଶିଶୁ ଦିବସ ସମାରୋହରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ରାଉରକେଲା ଇସ୍ପାତ କାରଖାନାର ସିଇଓ ଅଶ୍ୱିନୀ କୁମାର ନିଜର ଅଭିଭାଷଣରେ ଉଲ୍ଳେଖ କରିଛନ୍ତି । ରାଷ୍ଟ୍ର ନିର୍ମାଣରେ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଅତୁଳନୀୟ ଯୋଗଦାନ ସମ୍ପର୍କରେ ଉଲ୍ଲେଖ କରି ସିଇଓ କହିଲେ ଯେ, ଭାରତକୁ ଆତ୍ମନିର୍ଭରଶୀଳ ଗଢିତୋଳିବା ଏବଂ ଏହାର ନାଗରିକମାନଙ୍କର ସୁଖ, ସମୃଦ୍ଧ ଓ ଶାନ୍ତିଭରା ଜୀବନ ଧାରଣ ତାଙ୍କର ମୁଖ୍ୟ ଲକ୍ଷ୍ୟ ଥିଲା । ଅଭିଯୋଗ ନକରି ସମସ୍ୟା ଓ ଆହ୍ୱାନଗୁଡିକୁ ଗ୍ରହଣ ପୂର୍ବକ ସେଗୁଡିକର ସମାଧାନର ପନ୍ଥା ବାହାର କରିବା ନିମନ୍ତେ ଶିଶୁମାନଙ୍କୁ ଶିକ୍ଷାପ୍ରଦାନ ଉପରେ ଶ୍ରୀ କୁମାର ଗୁରୁତ୍ୱାରୋପ କରିଥିଲେ । ସମସ୍ୟାର ସମାଧାନ କରିବା ମନୋଭାବ ଆନନ୍ଦ ଓ ସଫଳତା ଆଣି ଦେଇଥିବା ବେଳେ ଅଭିଯୋଗ କରିବା ମନୋଭାବ ଜଣଙ୍କୁ ନକରାତ୍ମକ ଗଢିତୋଳେ ଏବଂ ଭବିଷ୍ୟତର ଅଭିବୃଦ୍ଧିକୁ ପଥରୋଧ କରିଥାଏ” ବୋଲି ସେ ଉଲ୍ଲେଖ କରିଥିଲେ । ସମାଜରେ ସଂଖ୍ୟାଧିକ ଅବହେଳିତ ବର୍ଗର ଲୋକ ରହିଥିବା ଉଲ୍ଲେଖ କରି ସିଇଓ ଶିଶୁମାନଙ୍କୁ ଉପଲବ୍ଧ ସୁବିଧା ସୁଯୋଗଗୁଡିକର ପୂର୍ଣ୍ଣ ଉପଯୋଗ କରି ଏକ ସୁଖମୟ ରାଷ୍ଟ୍ର ଓ ସମାଜ ନିର୍ମାଣରେ ସମ୍ପୂର୍ଣ୍ଣ ଯୋଗଦାନ ଦେବା ନିମନ୍ତେ ଆହ୍ୱାନ ଜଣାଇଥିଲେ । ଏହି ଅବସରରେ ଦୀପିକା ମହିଳା ସଂଘତିର ଅଧ୍ୟକ୍ଷା ସବିତା କୁମାରୀ ସମ୍ମାନିତା ଅତିଥି ରୂପେ ଯୋଗ ଦେଇଥିଲେ । ଉତ୍ସବରେ କାର୍ମିକ ଓ ପ୍ରଶାସନ ବିଭାଗ ଇଡି ପି. କେ. ପ୍ରଧାନ, ପ୍ରକଳ୍ପ ବିଭାଗ ଇଡି ରାଜୀବ ଅଗ୍ରୱାଲ, ଦୀପିକା ମହିଳା ସଂଘତି ଉପାଧ୍ୟକ୍ଷା ମୀନାକ୍ଷୀ ପ୍ରଧାନ ଓ ରେଖା ଅଗ୍ରୱାଲ, ବହୁ ମହାପ୍ରବନ୍ଧକ, କାରଖାନାର ବହୁ ବରିଷ୍ଠ ଅଧିକାରୀ, ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଅଭିଭାବକ ଉପସ୍ଥିତ ଥିଲେ । ଅଶ୍ୱିନୀ କୁମାରଙ୍କ ଦ୍ୱାରା ଶିଶୁ ଦିବସ ପତାକା ଉତ୍ତୋଳନ ସହିତ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ପରେପରେ ସହରର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଏକ ଆକର୍ଷଣୀୟ ମାର୍ଚ୍ଚ ପାଷ୍ଟରେ ଭାଗ ନେଇଥିଲେ । ଅତିଥିମାନେ ପଣ୍ଡିତ ନେହେରୁଙ୍କ ଫଟୋରେ ଶ୍ରଦ୍ଧା ସୁମନ ଅର୍ପଣ କରିବା ସହିତ ପାରା ଓ ବେଲୁନ ଗୁଡିକୁ ଆକାଶରୁ ମୁକ୍ତ କରିଥିଲେ । ଏହପରେ ଏକ ମନୋରମ ସାଂସ୍କୃତିକ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ଅତି ମନଛୁଆଁ ନୃତ୍ୟ, କୌତୁକ ପୋଷାକ ଏବଂ ପିରାମିଡର ପ୍ରଦର୍ଶନ କରିଥିଲେ ଯାହ ଉପସ୍ଥିତ ବହୁ ସଂଖ୍ୟାରେ ଦର୍ଶକଙ୍କୁ ବିମୋହିତ କରିଥିଲା । ଅଶ୍ୱିନୀ କୁମାର ଏବଂ ଶ୍ରୀମତୀ ସବିତା କୁମାରୀ ଶ୍ରେଷ୍ଠ ମାର୍ଚ୍ଚ ପାଷ୍ଟ ଦଳ, ଶ୍ରେଷ୍ଠ ସାଂସ୍କୃତିକ ପ୍ରଦର୍ଶନକାରୀ ଦଳ, ଇସ୍ପାତ ସହର ଶ୍ରେଷ୍ଠ ଯୁବ ବକ୍ତା ପ୍ରତିଯୋଗିତାର ବିଜେତା ଏବଂ ମେଧାବୀ ଛାତ୍ର ପ୍ରୋତ୍ସାହନ ପୁରସ୍କାର ପ୍ରଦାନ କରିଥିଲେ । ଏହା ବ୍ୟତୀତ ହୋମ ଆଣ୍ଡ ହୋପ ଓ ରାଉରକେଲା ସ୍କୁଲ ଅଫ ଡିଫର ଅଂଶଗ୍ରହଣକାରୀଙ୍କୁ ସ୍ୱତନ୍ତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା । ଏଥିପୂର୍ବରୁ ସେକ୍ଟର-୨୦ ସ୍ଥିତ ଇସ୍ପାତ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଛାତ୍ରୀ ସୁଶ୍ରୀ ଆକାଂକ୍ଷା ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସେକ୍ଟର-୨୦ ସ୍ଥିତ ଇସ୍ପାତ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଛାତ୍ରୀ ସୁଶ୍ରୀ ସିମରନ ପଟ୍ଟନାୟକ ଏବଂ ସେକ୍ଟର-୧୯ ସ୍ଥିତ ଇସ୍ପାତ ବିଦ୍ୟାମନ୍ଦିରର ଛାତ୍ର ମନୀଷ ମହାପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଇସ୍ପାତ ବିଦ୍ୟା ମନ୍ଦିରର ଛାତ୍ରୀ ସୁଶ୍ରୀ ଶ୍ରୁତିପ୍ରିୟା ପାତ୍ର ଧନ୍ୟବାଦ ଜ୍ଞାପନ କରିଥିଲେ । ପରେ ଇସ୍ପାତ ଜେନେରାଲ ହସ୍ପିଟାଲର ଶିଶୁ ବିଭାଗରେ ଚିକିତ୍ସିତ ହେଉଥିବା ଶିଶୁମାନଙ୍କୁ ଫଳ ବିତରଣ କରାଯାଇଥିଲା । ଦୀପିକା ମହିଳା ସଂଘତି ଅଧ୍ୟକ୍ଷା ସବିତା କୁମାରୀ ଏବଂ ଦୀପିକା ମହିଳା ସଂଘତିର ଉପାଧ୍ୟକ୍ଷା ତଥା ନିର୍ବାହୀ ମଣ୍ଡଳୀ ସଦସ୍ୟାମାନେ ୱାର୍ଡରେ ଚିକିତ୍ସିତ ହେଉଥିବା ଶିଶୁମାନଙ୍କ ମଧ୍ୟରେ ସ୍ନାକ୍ସ ବିତରଣ କରିଥିଲେ । ଚିକିତ୍ସା ଓ ସ୍ୱାସ୍ଥ୍ୟସେବା ବିଭାଗର ନିର୍ଦ୍ଦେଶକ ଡକ୍ଟର ଏସ୍. ଏସ୍. ପତି ଏବଂ ଆଇଜିଏଚର ବହୁ ବରିଷ୍ଠ ଡାକ୍ତର ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଶିଶୁ ରୋଗ ବିଭାଗରେ ଏହି ଅବସରରେ ଆୟୋଜିତ ଚିତ୍ରାଙ୍କନ ପ୍ରତିଯୋଗିତାର ବିଜେତାମାନଙ୍କୁ ସବିତା କୁମାରୀ ପୁରସ୍କୃତ କରିଥିଲେ । ଏହି ଅବସରରେ ୱାର୍ଡରେ ଏକ କେକ ମଧ୍ୟ କଟାଯାଇଥିଲା । (ଫଟୋ ଯାଇଛି)
208 Views
