ଯାଜପୁର,୩୦/୧୨ : ଅବକ୍ଷୟମୁଖୀ ବ୍ୟକ୍ତି ଚରିତ୍ର ଉଭୟ ରାଷ୍ଟ୍ର ଏବଂ ବ୍ୟକ୍ତିଗତ ଜୀବନ ପାଇଁ ଘୋର ସଂକଟ ଜନକ ହୋଇପଡିଛି । ଭାରତୀୟ ସମାଜିକ ବ୍ୟବସ୍ଥାରେ ଏବଂ ବ୍ୟକ୍ତି ଜୀବନରେ ନାରୀରେ ସମ୍ମାନ ବିଶ୍ୱ ଦରବାରରେ ନାରୀ ଜାତିର ସମ୍ମାନ ଓ ସ୍ୱାଭିମାନକୁ ବୃଦ୍ଧି କରିଛି । କେବଳ ଇତିହାସ ନୁହେଁ ବରଂ ପୁରାଣରେ ନାରୀ ସମ୍ମାନ ରକ୍ଷାର ମୂଳ ପୃଷ୍ଟଭୂମୀ ଉପରେ ଠିଆ ହୋଇଛି ମହାଭାରତ ଓ ରାମାୟଣ ପରି ମହାନ ପୁସ୍ତକ । ନାରୀର ସମ୍ମାନ ରକ୍ଷା ପ୍ରସଙ୍ଗକୁ ଜାତିର ପିତା ମହାତ୍ମା ଗାନ୍ଧୀ ଅତୀତରେ ଦେଶର ସ୍ୱାଧୀନତାର ସଫଳତା ସହ ଯୋଡି ଭାରତୀୟ ନାରୀଙ୍କ ସମ୍ମାନକୁ ଆମ ବ୍ୟବସ୍ଥା କେତେ ଗୁରୁତ୍ୱ ଦେଉଛି ତାର ସଂକେତ ଦେଇଥିଲେ । ହେଲେ ଜାତିର ପିତାଙ୍କ ନାରୀ ସୁରକ୍ଷା ପାଇଁ ଥିବା ସଂକଳ୍ପ ଧୂଳିସାତ ହେଉଥିବା ବେଳେ ଏ କ୍ଷେତ୍ରରେ ଗାନ୍ଧିଜୀଙ୍କ ଆଶଙ୍କା ଏବେ ଭାରତ ସ୍ୱାଧୀନତାର ସଫଳ ରୂପାୟନ କ୍ଷେତ୍ରରେ ସୃଷ୍ଟି କରିଛି ବଡ ପ୍ରଶ୍ନବାଚୀ । ଯାଜପୁର ଜିଲ୍ଲାର ମହାପୁରୁଷ ହାଡିଦାସ ମହାବିଦ୍ୟାଳୟରେ ରାଜନୀତି ବିଜ୍ଞାନ ବିଭାଗ ତରଫରୁ ଅନୁଷ୍ଠିତ ‘ଗାନ୍ଧୀ ଦର୍ଶନ’ ଶୀର୍ଷକ ସଂପାନରେ ହୋଇଥିବା ତାତ୍ତ୍ୱିକ ଆଲୋଚନାରେ ଏଭଳି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଏହି ସଂପାନ ଆଲୋଚନାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗାନ୍ଧୀ ଦର୍ଶନର ମହାନ ପ୍ରଚାରକ ତଥା କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଲେଖକ ପାବକ କାନୁନଗୋ କହିଥିଲେ ଯେ, ରାତି ୧୨ ଟାରେ ଜଣେ ନାରୀ ମୁକ୍ତ, ନିର୍ଭୟ ଏବଂ ଅବାଧରେ ଭ୍ରମଣ କରିପାରିଲେ ଦେଶ ବାସ୍ତବରେ ସ୍ୱାଧୀନ ହୋଇଛି ବୋଲି ଗାନ୍ଧିଜୀଙ୍କ ମତ ଏହାର ଏକ ଦୃଷ୍ଟାନ୍ତ । ୭୦ ବର୍ଷ ପୂର୍ବରୁ ସ୍ୱାଧୀନତା ପରବର୍ତ୍ତି ଭାରତୀୟଙ୍କ ବ୍ୟକ୍ତି ଚରିତ୍ରର ଅଧପତନ ନେଇ ଗାନ୍ଧିଜୀ ଯେଉଁ ଆଶଙ୍କା ପ୍ରକାଶ କରିଥିଲେ, ତାହା ଏବେ ସତ୍ୟ ହେବାରେ ଲାଗିଛି । ଏବେ ଦେଶରେ ନାରୀଜାତି ପ୍ରତି ହେଉଥିବା ପାଶବିକ ଅତ୍ୟାଚାର ଏବଂ ଏ କ୍ଷେତ୍ରରେ ଦେଶର ବ୍ୟବସ୍ଥାର ଅଧୋଗତିକୁ ସେତେବେଳେ ବି ଗାନ୍ଧିଜୀ ଜଣେ ଦୂରଦ୍ରଷ୍ଟା ମଣିଷ ଭାବେ ଅନୁଭବ କରିଥିଲେ ବୋଲି ଏହା କହିଥିଲେ ।
ଭାରତର ସ୍ୱାଧୀନତା କେବଳ ଗାନ୍ଧିଜୀଙ୍କ ଏକମାତ୍ର ସଫଳତା କିମ୍ବା ପ୍ରସିଦ୍ଧି ଅର୍ଜନ କରିବାର ମାଧ୍ୟମ ନଥିଲା । ଗାନ୍ଧି ଦର୍ଶନ, ଚିନ୍ତାଧାରା, କାର୍ଯ୍ୟ ପାଇଁ ଏହାର ଯଥେଷ୍ଟ ପୂର୍ବରୁ ଗାନ୍ଧିଜୀ ସମଗ୍ର ବିଶ୍ୱରେ ସୁଖ୍ୟାତି ଅର୍ଜନ କରି ସାରିଥିଲେ । ଏଥିପାଇଁ ଦେଶ ସ୍ୱାଧୀନତା ପୂର୍ବରୁ ଗାନ୍ଧିଜୀ ସମଗ୍ର ବିଶ୍ୱର ଆକର୍ଷଣୀୟ ବ୍ୟକ୍ତିତ୍ୱର ପରିଚୟ ପାଇ ସାରିଥିଲେ । ଦେଶ ସ୍ୱାଧୀନ ହେବାର ବହୁ ପୂର୍ବରୁ ଗାନ୍ଧୀ ଦର୍ଶନ ସମଗ୍ର ବିଶ୍ୱରେ ଶ୍ରଦ୍ଧା ଓ ସମ୍ମାନ ପାଉଥିବା ବେଳେ ସ୍ୱାଧୀନତାର ଛ ଦଶନ୍ଧି ପରେ ବି ଭାରତରେ ନାରୀ ମାନଙ୍କ ପ୍ରତି ପାଶବିକତା ନିଜ ଦେଶରେ ଗାନ୍ଧୀ ଦର୍ଶନର ଦୟନୀୟ ଅବସ୍ଥାର ସଂକେତ ହୋଇଛି । କେବଳ ଏହି କ୍ଷେତ୍ରରେ ନୁହେଁ ବରଂ ଦେଶରେ ହିଂସା, ଭ୍ରଷ୍ଟାଚାରର ବୃଦ୍ଧି ସାଙ୍ଗକୁ ସାଧୂତା, ନିଷ୍ଠାପରତାର ଅଭାବ ମଧ୍ୟ ଗାନ୍ଧୀ ଦର୍ଶନ କେବଳ ଉଚ୍ଚାରଣରେ ରହୁଥିଲେ ବି ଆଚରଣରେ ରହୁନଥିବାର ଦୃଷ୍ଟାନ୍ତ ହୋଇଛି । ଏଭଳି ଅବକ୍ଷୟମୁଖୀ ବ୍ୟବସ୍ଥାରୁ ମୁକୁଳିବା ପାଇଁ ଗାନ୍ଧୀ ଦର୍ଶନରେ ଜନମନକୁ ଅନୁୂପ୍ରାଣିତ କରିବା ପାଇଁ ବ୍ୟାପକ ପ୍ରଚାର ଓ ପ୍ରସାର ସହ ଯୁବଛାତ୍ର ସମାଜ ଏ କ୍ଷେତ୍ରରେ ଆଗକୁ ଆସିବା ଉଭୟ ରାଷ୍ଟ୍ର ଏବଂ ବ୍ୟକ୍ତି ସ୍ୱାର୍ଥ ପାଇଁ ଅବରିହାର୍ଯ୍ୟ ।
ଗାନ୍ଧିଜୀ ଭାରତର ସ୍ୱାଧୀନତା ଆନ୍ଦୋଳନର ନେତୃତ୍ୱ ନେବା ପୂର୍ବରୁ ବହୁ ବିଦେଶୀ ଗାନ୍ଧୀ ଦର୍ଶନର ଅନୁଗାମୀ ହୋଇ ସାରିଥିଲେ । ଏ କ୍ଷେତ୍ରରେ ମୀରାବେନଙ୍କ ପରି ବେଦେଶୀ ମାନେ ଗୋଟିଏ ଗୋଟିଏ ଦୃଷ୍ଟାନ୍ତ । ଏକାଧାରାରେ ସମାଜ ସଂସ୍କାରକ, ଲେଖକ, ସାମ୍ବାଦିକ, ସମାଜସେବୀ , ସଂଗଠକ, ରାଜନେତା ଆଦି ବହୁ ସୁଗୁଣର ଅଧିକାରୀ ହୋଇ ବି କ୍ଷମତା ଏବଂ ଅର୍ଥର ମୋହରୁ ନିଜକୁ ମୁକ୍ତି ରଖିବାର ଅସମ୍ବବ ନିଷ୍ଠା ପ୍ରଦର୍ଶନ କରିଥିଲେ ଗାନ୍ଧିଜୀ । ଉକ୍ରଳମଣୀ ପଣ୍ଡିତ ଗୋପବନ୍ଧୁଙ୍କ ଗୋଟିଏ ପତ୍ର ଗାନ୍ଧିଜୀଙ୍କୁ ଓଡିଶାକୁ ଟାଣି ଆଣିଥିଲା । ସେଥିରେ ସେ ଓଡିଶାର ଦାରିଦ୍ୟ ଏବଂ ଦୁର୍ଦ୍ଦଶା ନେଇ ବର୍ଣ୍ଣନା କରିଥିଲେ । ସେ ପର୍ଯ୍ୟନ୍ତ ଓଡିଶା ବିଷୟରେ କିଛି ଜାଣି ନଥିବା ଗାନ୍ଧିଜୀ ଓଡିଶାକୁ ଆସି ଏଠାରେ ପଦଯାତ୍ରା କରିଥିଲେ । ଭଦ୍ରଖର ସଭାରେ ଗାନ୍ଧିଜୀ କହିଥିଲେ ଯେ, ମୁଁ ଯଦି ଓଡିଶାରେ ଚାଲୁଛି, ତାହେଲେ ଜାଣ ମୁଁ ଭାରତରେ ଚାଲୁଛି । କାରଣ ଆଗାମୀ ଦିନରେ ଭାରତରେ ଓଡିଶା ସ୍ୱତନ୍ତ୍ର ସ୍ଥାନ ଦଖଲ କରିବ ବୋଲି ପାବକ କାନୁନଗୋ କହିଥିଲେ । ଏହି ଆଲୋଚନାରେ ଜେ.କେ.ବି.କେ କଲେଜର ରାଜନୀତି ବିଭାଗର ବିଭାଗୀୟ ମୁଖ୍ୟ ଦୀପକ ଦାସ ମୁଖ୍ୟବକ୍ତା, ସମାଜସେବୀ ମିହିର ପ୍ରତାପ ଦାସ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇଥିଲେ । କଲେଜ ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନାରେ ଅଧ୍ୟାପକ ଲଳିତେନ୍ଦୁ ଦାସ ଅତିଥି ପରିଚୟ, ସରୋଜିନୀ ସ୍ୱାଇଁ ସ୍ୱାଗତ ଭାଷଣ, ବିଶ୍ୱନାଥ ଦାସ ଧନ୍ୟବାଦ ପ୍ରଦାନ କରିଥିଲେ ।