Sat. Mar 7th, 2026

ନରବଳି ଲାଗି ଅନୁମତି ଲୋଡୁଛନ୍ତି କାପାଳିକ; କହୁଛନ୍ତି ପୁଅକୁ ପ୍ରଥମେ ବଳି ଦେବେ

369 Views

ସେୟାର୍‌ ହୋଇ ଚାଲିଥିବା ଏକ ଭିଡିଓରେ କାପାଳିକଜଣକ କହୁଛନ୍ତି ଯେ ନରବଳି ଅପରାଧ ନୁହେଁ। ପ୍ରଥମେ ସେ ତାଙ୍କ ଇଞ୍ଜିନିୟର୍‌ ପୁଅକୁ ବଳି ଦେବେ

ମୋଫୁସିଲ୍‌ ଥାନା ଅଞ୍ଚଳର ମୋହନପୁର ପହଡ଼ପୁର ଗାଁର କାପାଳିକ ସୁରେନ୍ଦ୍ର ପ୍ରସାଦ ସିଂହ ଜାନୁଆରି ୨୯ ତାରିଖ ଦିନ ବେଗୁସରାଇ ସବ୍‌ ଡିଭିଜ୍‌ନାଲ୍‌ ଅଫିସରଙ୍କ (ସଦର) ପାଖକୁ ଦରଖାସ୍ତ ଲେଖିଛନ୍ତି। ତାହା ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଥିଲେ ବି ସଡିଓ ସଞ୍ଜୀବ କୁମାର ଚୌଧୁରୀ ତାହା ପାଇ ନ ଥିବା କଥା କହିଛନ୍ତି।

ସେ କହିଛନ୍ତି: ଏଇଟା ବଡ଼ ଗୁରୁତର କଥା। ନରବଳି ବେଆଇନ କାର୍ଯ୍ୟ। ସେ ଦରଖାସ୍ତ ଓ କାପାଳିକଙ୍କୁ ଖୋଜି ପାଇବାକୁ ଆମେ ଉଦ୍ୟମ ଚଳାଇଛୁ। ଠିକଣା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

‘ଦରଖାସ୍ତଟି ବିନ୍ଦୁ ମା ମାନବ କଲ୍ୟାଣ ସଂସ୍ଥାନ’ ନାମକ ଗୋଟାଏ ଅଜଣା ସଂଗଠନର ଲେଟର୍‌ହେଡ୍‌ରେ ଲିଖିତ। ସିଂହ ଏହାର ମୁଖ୍ୟ ବୋଲି ଦାବି କରିଛନ୍ତି। ଏହା ସୋସାଇଟି ରେଜିଷ୍ଟ୍ରେସନ୍‌ ଆକ୍ଟ୍‌ରେ ପଞ୍ଜିକୃତ ବୋଲି ମଧ୍ୟ ସେ କହିଛନ୍ତି।

ଦରଖାସ୍ତ ସଂକ୍ରାନ୍ତରେ ସେ ସ୍ଥାନୀୟ ସାମ୍ବାଦିକମାନଙ୍କୁ କହୁଥିବାର ଗୋଟାଏ ଭିଡିଓ କ୍ଲିପ୍‌ ମଧ୍ୟ ସେୟାର୍‌ ହୋଇ ଚାଲିଛି।

ସେଥିରେ ସେ କହିଛନ୍ତି: ନରବଳି ଅପରାଧ ନୁହେଁ। ଦେବୀ କାମାକ୍ଷାଙ୍କ ଆଜ୍ଞାରେ ମୁଁ ବଳି ଦେବି। ମୁଁ ପ୍ରଥମେ ଯାହାକୁ ବଳି ଦେବି, ସେ ହେଉଛି ମୋ ପୁଅ। ବୃତ୍ତିରେ ଇଞ୍ଜିନିୟର୍‌, କିନ୍ତୁ ମନ୍ଦିର ନିର୍ମାଣ ପାଇଁ ଆର୍ଥିକ ସାହାଯ୍ୟ ଦେବାକୁ ମନା କରୁଛି। ସେଇଟା ରାବଣ ପରି।

ଗ୍ରାମବାସୀମାନେ କହୁଛନ୍ତି, ହାତରେ ମଣିଷ ଖପୁରି ଧରି ଦିଗମ୍ବର ହୋଇ ବୁଲିବା ଭଳି ଆଡ଼ବାୟା ଆଚରଣ ଯୋଗୁଁ ସିଂହଙ୍କୁ ପାଗଳ ବାବା କହନ୍ତି।

ପ୍ରଚାର ପାଇଁ ଏ ଭଳି କରିବା ତାଙ୍କର ଅଭ୍ୟାସ। ଏଇଟା ସେମିତି କିଛି କାରସାଦି ହୋଇଥିବ।

By amfnews

Related Post