Fri. Dec 27th, 2024

ନବୀନଙ୍କ ସପକ୍ଷରେ ପ୍ରଚାର କରୁଛନ୍ତି ଧର୍ମଶାଳାରେ ବିଧାୟକଙ୍କ ବିରୋଧୀ

By amfnews Nov 5, 2018 #Featured
127 Views

ଯାଜପୁର, ନଭେମ୍ବର,୫: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଦ୍ୱାରା ନିର୍ମିତ ଏକ୍ସେପ୍ରେସ ହାଇୱେ ଧର୍ମଶାଳାର ୨୦ ପଂଚାୟତକୁ ସ୍ୱତନ୍ତ୍ର ପରିଚୟ ଓ ଜୀବନ ଜୀବିକା ଦେଇଛି । ବିଜୁ ପରିବାର ଓ ନବୀନ ପଟ୍ଟନାୟକ ଏହି ଅଂଚଳ ପାଇଁ ସର୍ବାଧିକ ପୂଜ୍ୟ ଏବଂ ସର୍ବମାନ୍ୟ । ହେଲେ ବିଜୁ ଆଦର୍ଶ ଓ ନବୀନବାବୁଙ୍କ ଆହ୍ୱାନକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରତ୍ୟେକ ସଚ୍ଚା ବିଜୁ ପରିବାର ଅନୁଗତମାନେ ଧର୍ମଶାଳାରେ ଚାଲିଥିବା ପରିବାରବାଦ, ଭ୍ରଷ୍ଟାଚାର ବିରୋଧରେ ସ୍ୱର ଉଠାଇବାକୁ ଧର୍ମଶାଳାର ବି.ଜେ.ଡି ଯୁବନେତା ତଥା ବିଜୁ ଯୁବ ଜନତାର ପ୍ରାକ୍ତନ ରାଜ୍ୟ ସାଧାରଣ ସଂପାଦକ ସତୀଶ ବିଶ୍ୱାଳ ଆହ୍ୱାନ ଦେଇଛନ୍ତି । ଦୀର୍ଘବର୍ଷ ଧରି ଧର୍ମଶାଳା ବିଧାୟକ ବିରୋଧୀ ସଂଗଠନର ନେତୃତ୍ୱ ନେଉଥିବା ସତୀଶ ଜନସମ୍ପର୍କ ଅଭିଯାନରେ ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ସଭା କରିବା ଏବଂ ପଦଯାତ୍ରା କରି ନବୀନଙ୍କ ସପକ୍ଷରେ ଏଭଳି ପ୍ରଚାର ଧର୍ମଶାଳା ରାଜନୀତିରେ ଆଲୋଡନ ସୃଷ୍ଟି କରିଛି ।

ଧର୍ମଶାଳା ବ୍ଲକର ଜେନାପୁର ପଂଚାୟତ ଅନ୍ତର୍ଗତ ଏରସଣ୍ଡାରେ ଅନୁଷ୍ଠିତ ପଥପ୍ରାନ୍ତ ସଭାରେ ସତୀଶ କହିଥିଲେ ଯେ, ସେବା ଓ ତ୍ୟାଗ ନିକଟରେ କ୍ଷମତା, ପ୍ରତିପତ୍ତି ଓ ସମ୍ପତ୍ତି ମୂଲ୍ୟହୀନ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ କର୍ମିଙ୍କୁ ପରାମର୍ଶ ଦେଉଥିବା ବେଳେ ଧର୍ମଶାଳାରେ ବି.ଜେ.ଡି ନାମରେ କ୍ଷମତାରେ ଦୀର୍ଘ ୨୩ ବର୍ଷ ଧରି କ୍ଷମତାରେ ଥିବା ପରିବାର ବିଜୁ ଓ ନବୀନ ଆଦର୍ଶ ବିରୋଧୀ କାର୍ଯ୍ୟ କରି ଚାଲିଛନ୍ତି । ଏଠାରେ ଚାଷୀ ଜମିକୁ ଜଳ ପାଉନଥିବା ବେଳେ ପାହାଡ ପର୍ବତ ହରିଲୁଟ ହେଉଛି । ସମଗ୍ର ରାଜ୍ୟରେ ନବୀନବାବୁଙ୍କ ନିଷ୍ଠାପର ଉଦ୍ୟମରେ ବିକାଶ ହେଉଥିବା ବେଳେ ଏଠାରେ ନିର୍ଦ୍ଧିଷ୍ଟ ପରିବାର ବିକାଶର ଶ୍ରେୟ ନେବାକୁ ଚେଷ୍ଟା କରନ୍ତି । ହେଲେ ବାସ୍ତବରେ ଏଠାରେ ବିକାଶ ନାମରେ ନିର୍ଦ୍ଧିଷ୍ଟ ଠିକାଦାର ଗୋଷ୍ଠୀଙ୍କ ଓ କ୍ଷମତାସୀନ ନେତାଙ୍କ ସମ୍ପତ୍ତି ଆଖିବୁଜା ଭାବେ ବଢିଛି । ବିକାଶ ନାମରେ ହରିଲୁଟ ଚାଲିଥିବାରୁ ରାସ୍ତା ନିର୍ମାଣର ବର୍ଷକ ଭିତରେ ସବୁ ରାସ୍ତା ଅବସ୍ଥା ଖରାପ ହେଉଛି । ଧର୍ମଶାଳାର ଗୋଟିଏ ହେଲେ ଯୁବକଙ୍କୁ ଆତ୍ମ ନିଯୁକ୍ତି ଦିଆ ଯାଇନାହିଁ ।

ଧର୍ମଶାଳା ବାହାରର ଲୋକ ହୋଇ ବି ବି.ଜେ.ଡି ନାମରେ ବାପା ପରେ ପୁଅ ଏବଂ ଭାଇଙ୍କୁ ଚେୟାରମ୍ୟାନ କରାଯାଇ ଧର୍ମଶାଳାରେ କେହି ଯୋଗ୍ୟ ନଥିବାର ପ୍ରମାଣ କରାଯାଉଛି । ଅତୀତରେ ବି.ଜେ.ପିରୁ ଜନତା ଦଳରେ ସାମିଲ ହୋଇ ପରେ କ୍ରସଭୋଟ କରି ଦଳରୁ ନବୀନବାବୁଙ୍କ ଦ୍ୱାରା ସସପେଣ୍ଡ ହୋଇଥିବା ନେତାଙ୍କ ପରିବାର ବାସ୍ତବରେ ନବୀନବାବୁଙ୍କ ନୀତି ବିରୋଧ କାର୍ଯ୍ୟରେ ସାମିଲ ଥିବାରୁ ବିଭିନ୍ନ ପ୍ରକାର ଦୁର୍ନିତିରେ ଛନ୍ଦି ହୋଇ ପଡିଛନ୍ତି । ସେଥିପାଇଁ ସଚ୍ଚା ନବୀନ ଅନୁଗତମାନେ ଧର୍ମଶାଳାରେ ବିଧାୟକଙ୍କ ବିଜୁ ଆଦର୍ଶ ବିରୋଧୀ କାର୍ଯ୍ୟଧାରାକୁ ବିରୋଧ କରିବାକୁ ଆହ୍ୱାନ ଦେଇଥିଲେ ।

ସେ କହିଥିଲେ ଯେ, ବିଜୁବାବୁ ପ୍ରଥମେ କୃଷିଋଣ ଛାଡ କରିଥିବା ବେଳେ ନବୀନ ପଟ୍ଟନାୟକଙ୍କ ସରକାର ନିଷ୍ଠାପର ଉଦ୍ୟମ ଓ କୃଷକଙ୍କ ପ୍ରତି ଆନ୍ତରିକତା ସମଗ୍ର ଦେଶ ପାଇଁ ଦୃଷ୍ଟାନ୍ତ ହୋଇଛି । ଏଥିରେ ସ୍ଥାନୀୟ ସଂଗଠକ ସର୍ବଶ୍ରୀ ନୀରଞ୍ଜନ ସାହୁ, ଚୈତନ୍ୟ ପାତ୍ର, ଦିଲ୍ଲିପ ରାଉତ, ସୁରେନ୍ଦ୍ର ସାହୁ, ଚକ୍ରଧର ରାଉତ, ସଂଜୟ ସାହୁ, ପ୍ରଦୀପ ମହାନ୍ତି, ଶୁକଦେବ ସାମଲ, ଲକ୍ଷ୍ମଣ ପ୍ରଧାନ, ରମେଶ ଚନ୍ଦ୍ର ରାଉତ, ଭୀମସେନ ରାଉତ, ପ୍ରଭାତ କୁମାର ସାହୁ ପ୍ରମୁଖ ବହୁ କର୍ମୀ ଯୋଗ ଦେଇଥିଲେ । ଏହି ଅବସରରେ ପଦଯାତ୍ରାରେ ଯାଇ ସତୀଶ ବିଶ୍ୱାଳ ସ୍ଥାନୀୟ ଅଂଚଳର ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଥିଲେ ।

By amfnews

Related Post