Sun. Mar 8th, 2026

ନବରଙ୍ଗପୁର : ଋଣ ଚିନ୍ତାରେ ଚାଷୀଙ୍କ ଆତ୍ମହତ୍ୟା

172 Views

ନନ୍ଦାହାଣ୍ଡି : ଫସଲ ହାନି ଯୋଗୁଁ ନବରଙ୍ଗପୁର ଜିଲ୍ଲାର ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଚାଷ ପାଇଁ ଋଣ ନେଇଥିଲେ। ତେବେ ଉତ୍ପାଦନ କମିଯିବାରୁ ଋଣ ସୁଝିବା ଚିନ୍ତାରେ ଗତ କିଛି ଦିନ ହେଲା ଚାଷୀ ଜଣକ ରହିଥିଲେ। ଶେଷରେ ମାନସକି ଭାରସାମ୍ୟ ହରାଇ ଗତକାଲି ରାତିରେ ବିଷ ପିଇ ଦେଇଥିବା ପରିବାର ଏବଂ ଗ୍ରାମବାସୀ କହିଛନ୍ତି।

ସୂଚନା ଅନୁଯାୟୀ, ନନ୍ଦାହାଣ୍ଡି ବ୍ଲକ ଦହଣା ପଞ୍ଚାୟତ ଅନ୍ତର୍ଗତ ବେଲଗୁଡ଼ା ଗାଁର ସଦନ ଗୌଡ଼ (୩୧)ଚଳିତ ବର୍ଷ ନିଜର ଜମି ବ୍ୟତୀତ ୩ଏକର ଜମିରେ ଭାଗ ଚାଷ କରିଥିଲେ। ଏଥିପାଇଁ ସେ କିଛି ଜଣଙ୍କଠାରୁ ଟଙ୍କା ହାତ ଉଧାରି କରିଥିଲେ। ତେବେ ଫସଲ ଉତ୍ପାଦନ ପୂର୍ବରୁ ଚକଡ଼ା ଏବଂ ଲେଣ୍ଡିପୋକ ଜାଗି ଯାଇଥିଲା। ଫସଲକୁ ରୋଗପୋକ ଦାଉରୁ ରକ୍ଷା କରିବା ନିମନ୍ତେ ସମସ୍ତ ଉଦ୍ୟମ ସତ୍ତ୍ବେ ସେ ସଫଳ ହୋଇ ନଥିଲେ। କିଛି ଦିନ ତଳେ ହିଁ ସେ ଫସଲ କାଟି ଘରକୁ ଆଣିଥିଲେ। ଯେତିକି ଜମିରେ ଚାଷ କରିଥିଲେ ୬୦କ୍ବିଣ୍ଟାଲ ଧାନ ଉତ୍ପାଦନ ହେବ ବୋଲି ଆଶା କରିଥିଲେ। କିନ୍ତୁ ଧାନ ଅମଳ ପରେ ମାତ୍ର ୩୫କ୍ବିଣ୍ଟାଲ ଧାନ ତାଙ୍କୁ ମିଳିଥିଲା। ଏହାପରେ ସେ ଚିନ୍ତାରେ ପଡ଼ି ଯାଇଥିଲେ। କେମିତି ଋଣ ଟଙ୍କା ସୁଝିବେ ସେଥିପାଇଁ ଉଦ୍ୟମ କରିଥିଲେ।

ହେଲେ ଋଣ ସୁଝିବା ଅସମ୍ଭବ ମନେ ହେବାରୁ ଗତକାଲି ରାତିରେ ବିଷ ପିଇ ଦେଇଥିଲେ। ପରିବାର ଲୋକ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନନ୍ଦାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ମଧ୍ୟ ଅବସ୍ଥାରେ ବିଶେଷ ପରିବର୍ତ୍ତନ ହୋଇ ନଥିଲା। ତେଣୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏ ନେଇ ତେନ୍ତୁଳିଖୁଣ୍ଟି ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ପୁଲିସ ଘଟଣାର ତଦନ୍ତ କରୁଛି। ଅପରପକ୍ଷରେ ଫସଲ ହାନି ଓ ଋଣ ଭାର ଯୋଗୁଁ ସଦନ ଆତ୍ମହତ୍ୟା କରିଥିବା ପରିବାର ଲୋକ କହିଛନ୍ତି। ସ୍ଥାନୀୟ ସରପଞ୍ଚ ମଧ୍ୟ ପରିବାର ଓ ଗ୍ରାମବାସୀଙ୍କ ସହ ଆଲୋଚନା କରିବା ପରେ ଋଣ ପରିଶୋଧରେ ଅକ୍ଷମ ହେବାରୁ ସଦନ ଆତ୍ମହତ୍ୟା କରିଥିବା ପ୍ରକାଶ କରିଛନ୍ତି।

By amfnews

Related Post