Sun. Jan 12th, 2025

ନବବର୍ଷ ଅବସରରେ ସେଲ୍ ଅଧ୍ୟକ୍ଷଙ୍କ ସୁରକ୍ଷା ଓ ଉତ୍ପାଦନ ଅଗ୍ରାଧିକାର ଉପରେ ଗୁରୁତ୍ୱାରୋପ

By amfnews Jan 4, 2019 #Featured
82 Views

ରାଉରକେଲା, ୪ା୧ : ଦେଶର ସର୍ବବୃହତ ସାର୍ବଜନିକ ଇସ୍ପାତ କମ୍ପାନୀ ଷ୍ଟିଲ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ ନୂଆଦିଲ୍ଲୀସ୍ଥିତ କର୍ପୋରେଟ କାର୍ଯ୍ୟାଳୟ ଠାରେ ୧ ତାରିଖରେ ଅନୁଷ୍ଠିତ ଉତ୍ସବରେ ନୂତନ ବର୍ଷ ପାଳନ କରିଛି । ଏହି ଅବସରରେ ସେଲ ଅଧ୍ୟକ୍ଷ ଅନୀଲ କୁମାର ଚୌଧରୀ ସେଲ କର୍ମଚାରୀ ଓ ସେମାନଙ୍କ ପରିବାରବର୍ଗଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଜଣାଇଥିଲେ । ଗତବର୍ଷର ଘଟଣାବଳୀ ସ୍ମରଣ କରି ସେ କହିଲେ ଯେ, ଲାଭାର୍ଜନ ଦୃଷ୍ଟିରୁ ୨୦୧୮ ମସିହା କମ୍ପାନୀର ପଟ୍ଟପରିବର୍ତ୍ତନର ବର୍ଷ ଥିଲା ।

ଏହି ବର୍ଷରେ ବିଭିନ୍ନ ମହତ୍ତ୍ୱପୂର୍ଣ୍ଣ ଉପଲବ୍ଧି ହାସଲ ପାଇଁ କର୍ମଚାରୀମାନଙ୍କର ଅନନ୍ୟ ଯୋଗଦାନର ସେ ଭୂୟସୀ ପ୍ରଶଂସା କରିଥିଲେ । ସେଲ୍ ସାମୁଦାୟିକଙ୍କ ସମ୍ବୋଧନରେ ଶ୍ରୀ ଚୌଧରୀ ଆହୁରି ମଧ୍ୟ କହିଲେ ଯେ, ସେଲ୍ ପ୍ଲାଣ୍ଟ ଓ ୟୁନିଟଗୁଡିକୁ ଆଗାମୀ ଆହ୍ୱାନଗୁଡିକ ନିମନ୍ତେ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ହେବ । ନିରନ୍ତର ଅଭିବୃଦ୍ଧି ହାସଲ ନିମନ୍ତେ ସୁରକ୍ଷା ଓ ଉତ୍ପାଦନରେ ବୃଦ୍ଧି, ଗୁଣବତ୍ତା ଓ ବ୍ୟୟହ୍ରାସ ମୂଳମନ୍ତ୍ର ଉପରେ ଗୁରୁତ୍ୱାରୋପ କରିଥିଲେ । ନୂତନ ବର୍ଷରେ କମ୍ପାନୀର ଲକ୍ଷ୍ୟ ଅନୁସାରେ କର୍ମଚାରୀମାନେ ନିଜ ନିଜ ଲକ୍ଷ୍ୟ ନିର୍ଦ୍ଧାରିତ କରିବା ପାଇଁ ସେ ଆହ୍ୱାନ ଜଣାଇବା ସହ ଏହା ହାସଲ ନିମନ୍ତେ ସଂକଳ୍ପ କରିବା ପାଇଁ ସାମୁଦାୟିକଙ୍କୁ ଅନୁପ୍ରେରିତ କରିଥିଲେ ।

ଲଜିଷ୍ଟିକ୍ସ, ଆଇଟି ଏବଂ ଅନୁସନ୍ଧାନ ଓ ବିକାଶ କ୍ଷେତ୍ରରେ ନୂତନ ପ୍ରୟାସ ଗ୍ରହଣ କରି ପ୍ରଗତିର ଧାରାରେ ଅଗ୍ରସର ହେବା ପାଇଁ ମଧ୍ୟ ସେ ଆହ୍ୱାନ ଦେଇଥିଲେ । କର୍ପୋରେଟ ଗଭର୍ଣ୍ଣେନ୍ସ ଓ ପାରଦର୍ଶିତା କ୍ଷେତ୍ରରେ ସର୍ବଶ୍ରେଷ୍ଠ ମାନକ ବଜାୟ ରଖିବା ପାଇଁ ସେ କର୍ମଚାରୀମାନଙ୍କୁ ପରାମର୍ଶ ଦେଇଥିଲେ । ଉତ୍ପାଦନର ୬୦ ବର୍ଷ ପୂର୍ତ୍ତି ପାଳନ କରୁଥିବା ସେଲ୍ ଦେଶର ବିଭିନ୍ନ ରଣନୀତି ଓ ମହତ୍ତ୍ୱପୂର୍ଣ୍ଣ ପ୍ରକଳ୍ପରେ ସହଭାଗିତା ଦେଇଆସୁଛି ବୋଲି ଶ୍ରୀ ଚୌଧୁରୀ ଉଲ୍ଲେଖ କରିଥିଲେ ।

By amfnews

Related Post