ନୂଆଦିଲ୍ଲୀ: କଂଗ୍ରେସ ନେତା ନବଜୋତ୍ ସିଂହ ସିଦ୍ଧୁ ପୁଣି ଏକ ବୟାନ୍ ଦେଇ ରାଜନୀତିରେ ହଟଚମଟ ଖେଳାଇଛନ୍ତି। ସେ କହିଛନ୍ତି ଯେ ମନ୍ତ୍ରୀ ପଦ ଛାଡ଼ିଛନ୍ତି ,ମାତ୍ର କଂଗ୍ରେସର ହାତ ଛାଡ଼ିବେ ନାହିଁ। ପଞ୍ଜାବ ମନ୍ତ୍ରିମଣ୍ଡଳରେ ନିଜ ବିଭାଗରେ ପରିବର୍ତ୍ତନ ହେବାପରେ ଇସ୍ତଫା ଦେଇଥିବା କଂଗ୍ରେସ ମନ୍ତ୍ରୀ ନବଜୋତ୍ ସିଂହ ସିଦ୍ଧୁ ନିଜ ସମର୍ଥକଙ୍କୁ ଭେଟି ପାର୍ଟିରେ ରହିଥିବା କଥା କହିଛନ୍ତି ।
ନିଜ ବାସଭବନରେ ସିଦ୍ଧୁ ସମର୍ଥକ ଏବଂ ସ୍ଥାନୀୟ କାଉନସିଲରମାନଙ୍କ ସହ ଭେଟ କରିଥିଲେ । ଏଥିରେ ଯୋଗ ଦେଇଥିବା କାଉନସିଲର୍ ମୋନିକା ଶର୍ମା ଗଣମାଧ୍ୟମକୁ କହିଛନ୍ତି ଯେ ସିଦ୍ଧୁ ପଞ୍ଜାବ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଥିଲେ ହେଁ ପାର୍ଟିରୁ ଇସ୍ତଫା ଦେଇନାହାନ୍ତି । ବୈଠକରେ ସେ ସମସ୍ତଙ୍କୁ ହତୋତ୍ସାହିତ ନ ହୋଇ ଅଧିକ ପରିଶ୍ରମ କରିବାକୁ କହିଥିଲେ ।
ସ୍ଥାନୀୟ ନେତାଙ୍କ କହିବାନୁସାରେ , ନବଜୋତ୍ ସିଂହ ସିଦ୍ଧୁ ବର୍ତ୍ତମାନ କ’ଣ ଭବିଷ୍ୟତରେ ବି କଂଗ୍ରେସ ଛାଡିବେ ନାହିଁ । ସିଦ୍ଧୁ ପ୍ରଥମେ ବିଜେପିରେ ଥିଲେ । ସେ ବିଜେପିର ରାଜ୍ୟସଭା ସାଂସଦ ବି ଥିଲେ। ୨୦୧୭ ପଞ୍ଜାବ ବିଧାନସଭା ନିର୍ବାଚନର ଠିକ୍ ପୂର୍ବରୁ ହିଁ ସେ ବିଜେପି ଛାଡ଼ି କଂଗ୍ରେସରେ ଯୋଗ ଦେଇଥିଲେ ।