168 Views
ଗଜପତି, ଅଗଷ୍ଟ ୨୫ : ଅଲୋଡା ହେଲା ନବଜାତ ଶିଶୁ । ଜଣେ ଅଚିହ୍ନା ମହିଳା ପାଣି ପିଇବା ବାହାନାରେ ଆସି ଜଣକ ଘର ବାରଣ୍ଡାରେ ଶିଶୁକୁ ଛାଡି ପଳେଇ ଯାଇଛି । ଏଭଳି ଘଟଣା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି ଗଜପତି ଜିଲ୍ଲା ଆର,ଉଦୟଗିରି ଥାନା ଅଞ୍ଚଳରେ । ସୂଚନା ପ୍ରକାରେ ଏହି ଥାନା ଅର୍ନ୍ତଗତ ମହେନ୍ଦ୍ରଗଡ ପଞ୍ଚାୟତ ଅନ୍ତର୍ଗତ କୁଶପଲ୍ଲୀ ଗ୍ରାମର ପ୍ରିୟତମ ଭୁୟାଁ ନାମକ ଜଣେ ଯୁବତୀଙ୍କ ବାରଣ୍ଡାରୁ ଏକ ନବଜାତ ଶିଶୁ ପୁତ୍ରକୁ ଉଦ୍ଧାର କରାଯାଇଛି । ଶୁକ୍ରବାର ଅପରାହ୍ନରେ ଜଣେ ମହିଳା କୁଶପଲ୍ଲୀ ସ୍ଥିତ ପ୍ରିୟତମାଙ୍କ ଘରକୁ ଯାଇ ପିଇବାକୁ ପାଣି ମାଗିଥିଲେ । ବାରଣ୍ଡାରେ ଥିବା ପ୍ରିୟତମା ପାଣି ଆଣିବା ପାଇଁ ଘର ଭିତରକୁ ଯାଇଥିଲେ । ପାଣି ନେଇ ଫେରିବା ବେଳକୁ ଘର ବାହାରେ କେହି ନଥିଲେ କିନ୍ତୁ ବାରଣ୍ଡାରେ ଏକ ଶିଶୁ ପୁତ୍ର ପଡିଥିବାର ଦେଖିବାକୁ ପାଇଥିଲେ । ତେବେ ଘରେ ପୁରୁଷ ଲୋକ କେହି ନଥିବାରୁ ଏବଂ ସଂଧ୍ୟା ହୋଇଯାଇଥିବାରୁ ଉକ୍ତ ଯୁବତୀ ଜଣକ ଶନିବାର ଦିନ ଚାଇଲ୍ଡଲାଇନକୁ ଖବର ଦେଇଥିଲେ । ଖବର ପାଇ ଚାଇଲ୍ଡଲାଇନର ଦୁଇ ଜଣିଆ ପ୍ରତିନିଧି ଘଟଣା ସ୍ଥଳରେ ପହଞ୍ଚି ଶିଶୁଟିକୁ ଦେଖିବା ପରେ ଆର.ଉଦୟଗିରି ପୋଲିସକୁ ଖବର ଦେଇଥିଲେ । ପୋଲିସ ସହାୟତାରେ ଶିଶୁଟିକୁ ଉଦ୍ଧାର କରି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଛି । ତେବେ ଅମାନୁଷିକ ଭାବେ ଜନ୍ମଦାତ୍ରୀ ମାଆ କିଭଳି ଭାବରେ ଛୁଆଟିକୁ ଜଣକ ବାରଣ୍ଡାରେ ଛାଡି ଚାଲିଗଲା ତାକୁ ନେଇ ଉଠୁଛି ପ୍ରଶ୍ନ । ଶିଶୁର ଶରୀରରେ କୌଣସି ପ୍ରକାର ଆଘାତ ଲାଗିନଥିବା ବେଳେ ଶିଶୁଟି ସଂପୂର୍ଣ୍ଣ ଭାବେ ସୁସ୍ଥ ଥିବା ଜଣାପଡିଛି । ଅନ୍ୟ ପକ୍ଷରେ ଶିଶୁଟି କୌଣସି ହସ୍ପିଟାଲରେ ହିଁ ପ୍ରସବ କରାଯାଇଥିବା ସନ୍ଦେହ କରାଯାଉଛି । ତେବେ ଏତେ ସବୁ ସଚେତନ ସ୍ୱତ୍ତେ ଜୀବିତ ଅବସ୍ଥାରେ ଥିବା ଶିଶୁ ପୁତ୍ରଟିକୁ କିଏ ଏବଂ କାହିଁକି ଏଭଳି ଛାଡି ଦେଇ ଚାଲିଯାଇଛି ତାକୁ ନେଇ ଏବେ ସମଗ୍ର ଅଞ୍ଚଳରେ ଚର୍ଚ୍ଚା ହେଉଛି ।