Sat. Mar 7th, 2026

ନନ୍ଦନକାନନରେ ୮ ବର୍ଷର ଆଫ୍ରିକୀୟ ସିଂହର ମୃତ୍ୟୁ, ସିଂହ ସଂଖ୍ୟା ୧୨କୁ ହ୍ରାସ

325 Views

ବାରଙ୍ଗ/ଭୁବନେଶ୍ୱର: ନନ୍ଦନକାନରେ ଆଜି ଏକ ଆଫିକୀୟ ସିଂହର ମୃତ୍ୟୁ ଘଟିଛି। ନନ୍ଦନକାନନ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଏହି ସିଂହଟିର ବୟସ ମାତ୍ର ୮ ବର୍ଷ ହୋଇଥିଲା। ସିଂହଟି ହଠାତ୍‌ ଅସୁସ୍ଥ ହୋଇ ପଡ଼ିଥିଲା ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ କହିଛନ୍ତି। ତେବେ ଗୋଟିଏ ମାସ ମଧ୍ୟରେ ୨ଟି ସିଂହର ମୃତ୍ୟୁ ଘଟଣା ନନ୍ଦନକାନନ କର୍ତ୍ତୃପକ୍ଷଙ୍କୁ ଚିନ୍ତାରେ ପକାଇଛି। ବର୍ତ୍ତମାନ ନନ୍ଦନକାନନରେ ଆଉ ୧୨ଟି ସିଂହ ରହିଛନ୍ତି।

ସୂଚନା ଯୋଗ୍ୟ ଯେ ସିଂହ ମାନେ ସାଧାରଣତଃ ୧୮ରୁ ୨୦ ବର୍ଷ ପର୍ଯ୍ୟନ୍ତ ବଞ୍ଚିଥାନ୍ତି। ୬ରୁ ୭ ବର୍ଷ ବୟସରେ ଏହି ସିଂହମାନେ ପ୍ରଜନନ କ୍ଷମ ହୋଇଥାନ୍ତି। ତେଣୁ ନନ୍ଦନକାନର ସିଂହ ସଫାରିରେ ସିଂହ ବଂଶ ବୃଦ୍ଧି କରିବା ଲକ୍ଷ୍ୟ ନେଇ ୨୦୧୫ ମସିହାରେ ୪ଟି ସଂହ ଇସ୍ରାଏଲରୁ ଅଣାଯାଇଥିଲା। ତେବେ ଗତ ଚଳିତ ମାସ ୧୦ ତାରିଖ ଦିନ ହଠାତ ସଂକ୍ରମଣ ହେବାରୁ ଇସ୍ରାଏଲର ତେଲଆଭିଭରୁ ଆସିଥିବା ଗୋଟିଏ ୮ ବର୍ଷର ସିଂହର ମୃତ୍ୟୁ ଘଟିଥିଲା। ଆଜି ପୁଣି ସେହି ଇସ୍ରାଏଲର ତେଲଆଭିଭରୁ ଆସିଥିବା ଆଉ ଏକ ୮ ବର୍ଷର ସିଂହର ମୃତ୍ୟୁ ଘଟିଛି। ଯୁବା ବୟସରେ ଏହି ଦୁଇ ସିଂହର ମୃତ୍ୟୁ ନନ୍ଦନକାନନ କର୍ତ୍ତୃପକ୍ଷଙ୍କୁ ଚିନ୍ତାରେ ପକାଇଛି। ତେବେ ସିଂହଟିର କେଉଁ ପରିସ୍ଥିତିରେ ମୃତ୍ୟୁ ଘଟିଛି ତାହା ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ଜଣାପଡ଼ିବ ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ କହିଛନ୍ତି।

By amfnews

Related Post