Sat. Mar 7th, 2026

ନନ୍ଦନକାନନକୁ ଆସିବେ ଧୂସର ଗଧିଆ, ୩ କୁଜି ହରିଣ

295 Views

ବାରଙ୍ଗ : ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ପ୍ରଥମଥର ପାଇଁ ‘ଗ୍ରେ ଉଲଭ୍‌ସ’ ବା ଧୂସର ରଙ୍ଗର ଗଧିଆ ଆସିବ। ଏଥିପାଇଁ ପ୍ରାଣୀ ବିଶେଷଜ୍ଞ ଦେବଦତ୍ତ ମହାପାତ୍ରଙ୍କ ନେତୃତ୍ୱରେ ୮ ଜଣିଆ ଏକ ଦଳ ମହୀଶୂର ଅଭିମୁଖେ ଯାତ୍ରା କରିଛନ୍ତି। ଏହି ଦଳ ୩ଟି କୁଜି ହରିଣ(ଗୋଟିଏ ଅଣ୍ଡିରା ଓ ଦୁଇଟି ମାଈ)ଙ୍କୁ ସାଥିରେ ନେଇଥିବା ଜଣାଯାଇଛି। ଚୁକ୍ତି ମୁତାବକ, ୩ଟି କୁଜି ହରିଣ ବଦଳରେ ମହୀଶୂର ଚିଡ଼ିଆଖାନାରୁ ହଳେ ଧୂସର ରଙ୍ଗର ଗଧିଆ ଅଣାଯିବ ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ସବୁ ଠିକ୍‌ଠାକ୍‌ ରହିଲେ, ଏହି ଦଳ ଆସନ୍ତା ୨୭ତାରିଖ ସୁଦ୍ଧା ଗଧିଆଦ୍ୱୟଙ୍କୁ ସାଥୀରେ ଧରି ପ୍ରତ୍ୟାବର୍ତ୍ତନ କରିବେ ବୋଲି ଆଶା କରାଯାଉଛି।

ଏହି ଶିକାରୀ ପ୍ରଜାତିର ବିଲୁପ୍ତପ୍ରାୟ ଜୀବ ଆଫ୍ରିକା, ଆଲାସ୍କା ଓ ଏସିଆ ମହାଦେଶର କେତେକ ସ୍ଥାନରେ ଦେଖିବାକୁ ମିଳନ୍ତି। ଏକ ସର୍ଭେ ରିପୋର୍ଟ ମୁତାବକ, ଏମାନଙ୍କ ସଂଖ୍ୟା ଏବେ ୭ହଜାରରୁ ୧୧ ହଜାର ୨ ଶହ ମଧ୍ୟରେ ସୀମିତ। ଏମାନେ ଜଙ୍ଗଲ ଓ ଏହାର ଆଖପାଖ ଅଞ୍ଚଳରେ ସଂଘବଦ୍ଧ ଭାବେ ରହନ୍ତି। ମୂଷା ଭଳି କ୍ଷୁଦ୍ର ସ୍ତନ୍ୟପାୟୀଠାରୁ ଆରମ୍ଭ କରି ହରିଣ ଓ ବିଭିନ୍ନ ପକ୍ଷୀ ଏମାନଙ୍କର ଆହାର। ଶରୀର ରଙ୍ଗ ଧଳା, ଧୂସର ଓ ଆଂଶିକ କଳା ଓ ମାଟିଆ ରଙ୍ଗମିଶ୍ରିତ। ସେହିପରି ଶରୀର ତୁଳନାରେ ମୁଣ୍ଡ ଓ ଗୋଡ଼ ବଡ଼। ବୟସ ଅନୁପାତରେ ସେମାନଙ୍କ ଶରୀରର ଓଜନ ୩୦ରୁ ୮୦ କେଜି ମଧ୍ୟରେ ହୋଇଥିବା ବେଳେ ଉଚ୍ଚତା ୬୦ରୁ ୯୦ ସେମି ଓ ଲମ୍ବ ୧.୬ ମଧ୍ୟରେ ରହିଥାଏ। ମହୀଶୂର ଗସ୍ତରେ ଯାଇଥିବା ଏହି ଦଳରେ ଦେବଦତ୍ତ ମହାପାତ୍ରଙ୍କ ସମେତ ବାୟୋଲୋଜିଷ୍ଟ୍‌ ରାଜେଶ ମହାପାତ୍ର, ଏଲ୍‌ଆଇ ପ୍ରଦୀପ କୁମାର ନନ୍ଦୀ, ସୁଧୀର ବେହେରା, ସୁବାସ ମହାପାତ୍ର, ଫରେଷ୍ଟର ସୁଧୀର ପଟ୍ଟନାୟକ, ଜନ୍ତୁ ରକ୍ଷକ ଅର୍ଜୁନ ସାମଲ ଓ ପ୍ରଫୁଲ୍ଲ ବାଗ ଥିବା ଜଣାଯାଇଛି।

By amfnews

Related Post