ପୁନେ, ନଭେମ୍ବର ୧୯ : ଭୀମା କୋରେଗାଓ ହିଂସାର ଯାଞ୍ଚ କରୁଥିବା ପୁନେ ପୋଲିସକୁ ଏହି ମାମଲାର ତାର କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହ ସହିତ ଜଡ଼ିତ ଥିବା ସନ୍ଦେହ ହୋଇଛି । ପୋଲିସ କହିଛି, ଜାନୁୟାରୀରେ ହୋଇଥିବା ଏହି ହିଂସାରେ କଂଗ୍ରେସର ବରିଷ୍ଠ ନେତାଙ୍କ ଭୂମିକା ଥିବା ନେଇ ଯାଞ୍ଚ ଚାଲିଛି । ପୁନେ ପୋଲିସ ଡିସିପି ସବାସ ବାୱଚେଙ୍କ କହିଛନ୍ତି, ଯଦି ଆବଶ୍ୟକ ପଡ଼େ, ଆମେ ଦିଗବିଜୟଙ୍କୁ ଯାଞ୍ଚରେ ସହଯୋଗ କରିବା ପାଇଁ ସମନ ଜାରି କରିବୁ ।
ପୁନେ ପୋଲିସ ଅନୁସାରେ ଏହି ମାମଲାରେ ଜୁନରେ ଗିରଫ ହୋଇଥିବା ଆନ୍ଦୋଳନକାରୀ ରୋନା ଭିଲ୍ସନଙ୍କୁ କୁଖ୍ୟାତ ନକ୍ସଲି ନେତା ମିଲିନ୍ଦ ଟେଲଟୁମ୍ବେ ଚିଠି ଲେଖିଥିଲା, ଯେଉଁଥିରେ କୁହାଯାଇଥିଲା ଯେ, କଂଗ୍ରେସ ନେତା ଆମକୁ ସହଯୋଗ କରିବା ପାଇଁ ପ୍ରସ୍ତୁତ ଅଛନ୍ତି । ଏହି ଯାଞ୍ଚରେ ପୋଲିସ ଯେତେବେଳେ ଗିରଫ ମାଓବାଦୀ ସମର୍ଥକ ନେତା ପ୍ରକାଶ ଓରଫ ରିତୁପନ ଗୋସ୍ୱାମୀ ଓ ସୁରେନ୍ଦ୍ର ଗାଡଲିଙ୍ଗଙ୍କ ମୋବାଇଲ ନମ୍ବର ତଦନ୍ତ କରିଥିଲା, ଏଥିରେ କଂଗ୍ରେସ ନେତା ଦିଗବିଜୟ ସିଂହଙ୍କ ନମ୍ବର ମଧ୍ୟ ବାହାରିଥିଲା । ଡିସିପି ସୁବାସ କହିଛନ୍ତି, ପୋଲିସର ତଦନ୍ତ ବହୁ ସମ୍ବେଦନଶୀଳ ଏବଂ ହାଇ ପ୍ରୋଫାଇଲ ଲୋକଙ୍କ ସହିତ ଜଡ଼ିତ । ସେ କହିଛନ୍ତି ଆମେ ଏହି ମାମଲା ବିଭିନ୍ନ ଘଟଣାକୁ ନେଇ ତଦନ୍ତ କରୁଛୁ ।
ଏହା ପୂର୍ବରୁ ବିଜେପି ପକ୍ଷରୁ କଂଗ୍ରେସର ଏହି ବରିଷ୍ଠ ନେତାଙ୍କ ନକ୍ସଲ ଲିଙ୍କ ଥିବା ଅଭିଯୋଗ ହୋଇଛି । ଦିଗବିଜୟ ବିଜେପିର ଏହି ଅଭିଯୋଗ ଉପରେ ପ୍ରତିକ୍ରିୟା ଦେଇଥିଲେ । ସେ କହିଥିଲେ, ଯଦି ବିଜେପି ମୋ ଉପରେ ନକ୍ସଲ ସହିତ ଜଡ଼ିତ ରହିବା ନେଇ ଅଭିଯୋଗ ଆଣିଛି, ତା’ହେଲେ ସରକାର ମୋତେ କାହିଁକି ଗିରଫ କରୁ ନାହାନ୍ତି । କଂଗ୍ରେସ ନେତା କହିଛନ୍ତି, ତାଙ୍କୁ ପୂର୍ବରୁ ଦେଶଦ୍ରୋହୀ କୁହାଯାଇଛି । ଏଥି ପାଇଁ ସରକାର ତାଙ୍କୁ ଗିରଫ କରୁ । ସୂଚନାଯୋଗ୍ୟ, ବିଜେପି ନେତା ସମ୍ବିତ ପାତ୍ର ଅଭିଯୋଗ ଆଣିଥିଲେ ଯେ, ଦିଗବିଜୟ ସିଂହଙ୍କ ନକ୍ସଲ ସହିତ ଯୋଗାଯୋଗ ରହିଛି ।