Tue. Mar 10th, 2026

ଧୀବର ଓ ଗୃହିଣୀକୁ ମାରି ବାଂଲାଦେଶରେ ଖଣ୍ଡପ୍ରଳୟ କଲା ବାତ୍ୟା ବୁଲ୍‌ବୁଲ୍‌

196 Views

ଢାକା: ଶନିବାର ରାତିରେ ସାମୁଦ୍ରିକ ବାତ୍ୟା ‘ବୁଲ୍‌ବୁଲ୍‌’ ଦୁଇ ଜଣଙ୍କୁ ମାରି, ଅନେକଙ୍କୁ ଆହତ କରି ଏବଂ ଘରଦ୍ୱାରା ଭାଙ୍ଗିରୁଜି ବାଂଲାଦେଶରେ ଖଣ୍ଡପ୍ରଳୟ କରିଥିବା କଥା ରବିବାର ଦିନ ସରକାରୀ ଅଧିକାରୀମାନେ କହିଛନ୍ତି। ବହୁଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବାରୁ ଅନେକଙ୍କୁ ବଞ୍ଚାଯାଇ ପାରିଛି।

ପଡ଼ୋଶୀ ମିଆଁମାରରୁ ଆସି ବାଂଲାଦେଶର ଦକ୍ଷିଣପୂର୍ବସ୍ଥ କ୍ୟାମ୍ପ୍‌ରେ ବସବାସ କରୁଥିବା ଶହ ଶହ ଶରଣାର୍ଥୀଙ୍କର ବିଶେଷ କିଛି କ୍ଷୟକ୍ଷତି ହୋଇନାହିଁ ବୋଲି ଖବର ମିଳିଛି।ଶନିବାର ରାତିରେ ଚାଳଘର ଉପରେ ଗଛଟାଏ ଭାଙ୍ଗିପଡ଼ିବାରୁ ସେ ଘରଛାଡ଼ି ଯାଇ ନ ଥିବା ଜଣେ ୬୦ ବର୍ଷିୟ ମତ୍ସ୍ୟଜୀବୀଙ୍କର ମୃତ୍ୟୁ ହୋଇଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି।

ଘର ଉପରେ ଗଛ ଭାଙ୍ଗି ପଡ଼ିବାରୁ ଆଶ୍ରୟସ୍ଥଳୀରେ ରାତ୍ରୀଯାପନ କରି ରବିବାର ସକାଳୁ ଘରକୁ ଫେରୁଥିବା ଜଣେ ୫୨ ବର୍ଷୀୟା ମହିଳାଙ୍କର ମୃତ୍ୟୁ ଘଟିଛି।

ଶନିବାର ରାତିରେ ବାଂଲାଦେଶର ୧୩ଟି ଉପକୂଳବର୍ତ୍ତୀ ଜିଲ୍ଲାରୁ ପ୍ରାୟ ୨ ନିୟୁତ ଲୋକଙ୍କୁ ୫, ୫୫୮ଟି ଆଶ୍ରୟସ୍ଥଳରେ ରଖାଯାଇଥିଲା। ବାହାରେ ପବନର ବେଗ ଥିଲା ଘଣ୍ଟାପ୍ରତି ୧୦୦ ରୁ ୧୨୦ କିଲୋମିଟର। କେତେକ ତଳିଆ ଉପକୂଳ ଅଞ୍ଚଳ ଜଳାର୍ଣ୍ଣବ ହୋଇଯାଇଥିଲା।
କୋକ୍ସ୍‍ ବଜାର ଜିଲ୍ଲାର ସେଣ୍ଟ୍‌ ମାର୍ଟିନ୍‌ ଦ୍ୱୀପରେ ୧୨୦୦ ସରିକି ଦେଶୀ ପର୍ଯ୍ୟଟକ ଅଟକି ରହିଯାଇଥିଲେ। ସେମାନଙ୍କୁ ଉଦ୍ଧାର କରାଯାଇଛି।
ଏପ୍ରିଲ୍‌ରୁ ଡିସେମ୍ବର ହେଉଛି ବାଂଲାଦେଶରେ ଝଡ଼ବତାସର ବେଳା।

By amfnews

Related Post