Sat. Jan 11th, 2025

ଧାରା ୩୭୦: ଭାରତ ସହ ସମସ୍ତ ପ୍ରକାରର ସାଂସ୍କୃତି ସମ୍ପର୍କ ଛିନ୍ନ କଲା ପାକ୍‌

By amfnews Aug 9, 2019 #Featured
216 Views

ଇସ୍‌ଲାମାବାଦ୍‌  : ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ପାକିସ୍ତାନ ଏବେ ଔଷଧ ବିକଳରେ ତାଟିଆ କାମୁଡ଼ିବା ଆରମ୍ଭ କରିଛି। ପୂର୍ବରୁ ଭାରତୀୟ ଫିଲ୍ମକୁ ନିଜ ଦେଶରେ ମୁକ୍ତିଲାଭ କରିବାକୁ ଦେବ ନାହିଁ ବୋଲି କହିଥିବା ପାକିସ୍ତାନ ଏବେ ଭାରତ ସହ ସମସ୍ତ ପ୍ରକାରର ସାଂସ୍କୃତିକ ସମ୍ପର୍କ ଛିନ୍ନ କରିବ ବୋଲି ଘୋଷଣା କରିଛି। ସାଂସ୍କୃତିକ ଓ ମନୋରଞ୍ଜନ କାର୍ଯ୍ୟକ୍ରମ କ୍ଷେତ୍ରରେ ଭାରତ ଓ ପାକିସ୍ତାନର କଳାକାରମାନେ ସାମିଲ ରହିଆସିଛନ୍ତି।

ପାକିସ୍ତାନ କଳାକାରମାନେ ଭାରତୀୟ ଫିଲ୍ମରେ ଗୀତ ଗାଇବା ଓ ଅଭିନୟ କରି ଆସିଛନ୍ତି। ହେଲେ ଏହି ସାଂସ୍କୃତିକ ସମ୍ପର୍କକୁ ପାକିସ୍ତାନ ଆଜି ଛିନ୍ନ କରିଛି। ଖାଲି ସେତିକି ନୁହେଁ, ପାକିସ୍ତାନର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ‘ସେ ନୋ ଟୁ ଇଣ୍ଡିଆ’ ନାମରେ ଏକ ପ୍ରଚାର ଅଭିଯାନ ମଧ୍ୟ ଆରମ୍ଭ କରିଛି।

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସୂଚନା ଓ ପ୍ରସାରଣ ବିଭାଗର ସ୍ୱତନ୍ତ୍ର ସହାୟକ ଫିରଦୌସ୍‌ ଆଶିକ ଆୱନ କହିଛନ୍ତି, “ଭାରତୀୟ କଣ୍ଟେଣ୍ଟ ଥିବା ସମସ୍ତ କାର୍ଯ୍ୟକ୍ରମ ପ୍ରସାରଣ ଉପରେ ବ୍ୟାନ୍‌ ଲଗାଯାଇଛି। ଏଥିସହ ପାକିସ୍ତାନ ଇଲେକଟ୍ରୋନିକ ମିଡିଆ ରେଗୁଲେଟରୀ ଅଥରିଟିକୁ ଭାରତର ଡିଟିଏଚ୍‌ ସରଞ୍ଜାମ ଯେମିତି ପାକିସ୍ତାନରେ ବିକ୍ରି କିମ୍ବା ବ୍ୟବହାର ନ ହୋଇ ପାରିବ, ତା’ ଉପରେ ନଜର ରଖିବାକୁ କୁହାଯାଇଛି।

ଭାରତର ସାଂସ୍କୃତିକ କାର୍ଯ୍ୟକ୍ରମର ପ୍ରଚାର ଓ ପ୍ରସାର ଯୋଗୁ ପାକିସ୍ତାନୀ ଯୁବକଙ୍କ ଉପରେ ନକାରାତ୍ମକ ପ୍ରଭାବ ପଡ଼ୁଛି। ପାକିସ୍ତାନର ଜାତୀୟ ସୁରକ୍ଷା ପରିଷଦ ଏକ ଗ୍ରୁପ୍‌ ଗଠନ କରିବ। ଏହି ଗ୍ରୁପ୍‌ ଭାରତର ହିନ୍ଦୁତ୍ୱବାଦ ଆଦର୍ଶ ବିରୋଧରେ ଲଢ଼େଇ କରିବ। ଏଥିସହ କଶ୍ମୀରରେ ଭାରତର ଏକଚାଟିଆ ନିଷ୍ପତ୍ତି ପ୍ରସଙ୍ଗକୁ ବିଭିନ୍ନ ଫୋରମରେ ଉପସ୍ଥାପନ କରିବ। ବର୍ତ୍ତମାନ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ଚାଲିଛି। ଏହି ସମୟରେ ଭାରତର ନିଷ୍ପତ୍ତି ବିରୋଧରେ ପାକିସ୍ତାନ ମିଡିଆ ଲଢ଼େଇ କରିବା ଦରକାର। ଭାରତୀୟ ଫିଲ୍ମ ଠାରୁ ଆରମ୍ଭ କରି ଡ୍ରାମା ଓ ଭାରତୀୟ କନଟେଣ୍ଟ କୌଣସି କାର୍ଯ୍ୟକ୍ରମ ପାକିସ୍ତାନରେ ପ୍ରସାରଣ ହୋଇପାରିବ ନାହିଁ। ଉଲ୍ଲେଖଯୋଗ୍ୟ, ପୂର୍ବରୁ ପାକିସ୍ତାନ ସରକାର ଭାରତ ସହ କୂଟନୀତିକ ଓ ବାଣିଜ୍ୟିକ ସମ୍ପର୍କ ଛିନ୍ନ କରିଛନ୍ତି।

By amfnews

Related Post