Sat. Mar 7th, 2026

ଧାରା ୩୭୦ ଉଚ୍ଛେଦ ବିଷୟରେ ସେପ୍ଟେମ୍ବର ପହିଲାରୁ ଦେଶବ୍ୟାପୀ ସଚେତନତା ଅଭିଯାନ ଆରମ୍ଭ କରିବେ ଅମିତ ଶାହା

247 Views

ନୂଆଦିଲ୍ଲୀ: ଧାରା ୩୭୦ ଉଚ୍ଛେଦ କରି ଜମ୍ମୁ ଓ କଶ୍ମୀରର ସ୍ୱତନ୍ତ୍ର ପାହ୍ୟା ପ୍ରତ୍ୟାହାର କରିନେବା ନିମନ୍ତେ ନରେନ୍ଦ୍ର ମୋଦୀ ସରକାରଙ୍କ ନିଷ୍ପତ୍ତି ସମ୍ବନ୍ଧୀୟ ସଚେତନତା ସୃଷ୍ଟି କରିବାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସେପ୍ଟେମ୍ବର ପହିଲାରୁ ବିଜେପି ତରଫରୁ ଦେଶବ୍ୟାପୀ ଅଭିଯାନ ଚଳାଇବେ।

କେନ୍ଦ୍ର ସରକାର ଗ୍ରହଣ କରିଥିବା କଶ୍ମୀର ନିଷ୍ପତ୍ତି ସମ୍ବନ୍ଧୀୟ ସଚେତନତା ସୃଷ୍ଟି ନିମନ୍ତେ ଶାସକ ଦଳ ଚଳଚ୍ଚିତ୍ର, କ୍ରୀଡ଼ା ଏବଂ ଶିକ୍ଷା ଆଦି କ୍ଷେତ୍ରର ସ୍ୱନାମଧନ୍ୟ ବ୍ୟକ୍ତିତ୍ୱଙ୍କ ସହାୟତା ନେବ। ଏ ସଂକ୍ରାନ୍ତରେ ଗୈରିକ ଦଳ ’ଜନ ଜାଗରଣ ଅଭିଯାନ’ ଆୟୋଜନ କରି ଦେଶବ୍ୟାପୀ ରାଜ୍ୟ ଏବଂ ଜିଲ୍ଲାସ୍ତରୀୟ ରୁଦ୍ଧଦ୍ୱାର ବୈଠକ କରିବ। ଏହି ଜନ ଜାଗରଣ ଅଭିଯାନ ସେପ୍ଟେମ୍ବର ୧ ରୁ ଆରମ୍ଭ ହୋଇ ସେପ୍ଟେମ୍ବର ୩୦ ଯାଏଁ ଚାଲିବ।

ଦେଶବ୍ୟାପୀ ଜିଲ୍ଲାସ୍ତରରେ ପୃଥକ୍‌ ୩୭୦ଟି ସ୍ଥାନରେ ୫୦୦ ରୁ ୧୦୦୦ ମତାଦାତା ସୃଷ୍ଟିକାରୀଙ୍କୁ ନେଇ ଛୋଟଧରଣର ରୁଦ୍ଧଦ୍ୱାର ବୈଠକ ବସିବ। ଦେଶର ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ୨୦୦୦ ଲୋକଙ୍କୁ ସାମିଲ କରି ୨୫ଟି ବଡ଼ ଧରଣର ରୁଦ୍ଧଦ୍ୱାର ବୈଠକ ଅନୁଷ୍ଠିତ ହେବ।

ବିଜେପି ଅଧ୍ୟକ୍ଷ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମେତ ବିଜେପିର ଶୀର୍ଷସ୍ତରୀୟ ନେତାମାନେ ରାଜ୍ୟସ୍ତରୀୟ ରୁଦ୍ଧଦ୍ୱାର ବୈଠକରେ ଯୋଗ ଦେବେ।

ଏହାଛଡ଼ା ଉଚ୍ଛେଦ ସଂକ୍ରାନ୍ତରେ ଦେଶର ୨୦୦୦ ବିଶିଷ୍ଟ ବ୍ୟକ୍ତିଙ୍କ ନିକଟରେ ପହଞ୍ଚିବାକୁ ପାର୍ଟି ଉଦ୍ୟମ କରିବ। ଏହି ବ୍ୟକ୍ତିବିଶେଷଙ୍କର ତାଲିକା ପ୍ରସ୍ତୁତି ଚାଲିଛି। ଏଥିରେ ଚଳଚ୍ଚିତ୍ର, କ୍ରୀଡ଼ା, ଶିକ୍ଷା, ଗଣମାଧ୍ୟମ ଓ ଆଇନ୍‌ ଏବଂ ଅନ୍ୟାନ୍ୟ ବହୁ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିଙ୍କୁ ସାମିଲ କରାଯିବ।

By amfnews

Related Post