Thu. Dec 26th, 2024

ଦ୍ୱିତୀୟ ବ୍ରାହ୍ମଣୀ ସେତୁର ସ୍ଥାନ ପରିବର୍ତ୍ତନ କାହା ସ୍ୱାର୍ଥରେ: ଜର୍ଜ ତିର୍କୀ

rklsanchar@gmail.com' By J.N. Pradhan Jul 10, 2018 #Featured
203 Views

ରାଉରକେଲା, ୧୦/୭: ଦ୍ୱିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣକୁ ନେଇ ଅନେକ ହଟଚମଟ ଏବଂ ବିଭିନ୍ନ ରାଜନୈତିକ ଦଳ ପରସ୍ପର ଉପରେ କାଦୁଅ ଫିଙ୍ଗାଫିଙ୍ଗି ନେଇ ରାଉରକେଲା ଓ ଓଡିଶାବାଶୀ ହୃଦ୍ବୋଧ କରିସାରିଛନ୍ତି । ନରେନ୍ଦ୍ର ମୋଦି ଗତ ୨୦୧୪ ମସିହା ଅପ୍ରେଲ ୪ ତାରିଖ ଦିନ ସାଧାରଣ ନିର୍ବାଚନ ପ୍ରଚାରରେ ରାଉରକେଲା ଆସିଥିବା ବେଳେ ଓ ପ୍ରଧାନମନ୍ତ୍ରୀ ହେବା ପରେ ଗତ ୨୦୧୫ ମସିହା ଅପ୍ରେଲ ମାସ ୧ ତାରିଖ ଦିନ ବ୍ରାହ୍ମଣୀ ସେତୁ ନିର୍ମାଣ ନେଇ ଜିଲାବାସୀଙ୍କୁ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ ।

ପରବର୍ତ୍ତୀ ସମୟରେ ମନ୍ତ୍ରୀ ନିତୀନ ଗଡକରୀ ଦେଇଥିବା ବିବୃତି ସମସ୍ତଙ୍କୁ ଉଣାଅଧିକେ ଜଣାଅଛି । ସେତୁ ନିର୍ମାଣରେ ଅହେତୁକ ବିଳମ୍ବକୁ ନେଇ ବିଧାୟକଙ୍କ ଅସନ୍ତୋଷ ସମ୍ପର୍କରେ ଗଣମାଧ୍ୟମରେ ପ୍ରକାଶିତ ହୋଇସାରିଛି ଏବଂ ଆଗ ମାଟି ପରେ ପାର୍ଟି ଉକ୍ତିକୁ ମଧ୍ୟ ସହରବାସୀ ପାଶୋରୀ ନାହାନ୍ତି । ବହୁ ପ୍ରତୀକ୍ଷିତ ସେତୁର ପାଇଲିଂ କାମ ଆରମ୍ଭ ହୋଇଥିବା ବେଳେ କୁତ୍ସିତ ରାଜନୀତି ଜନସାଧାରଣ ହୃଦ୍ବୋଧ କରିସାରିଲେଣି । କହିବା ବାହୁଲ୍ୟ ମାତ୍ର ଯେ ଏହା ଏକ ହାଇ ଭୋଲଟେଜ୍ ଡ୍ରାମା ଏବଂ ନେତାମାନଙ୍କ ସ୍ୱାର୍ଥ ସାଧନ ପାଇଁ ସେତୁ ନିର୍ମାଣରେ ଅହେତୁକ ବିଳମ୍ବ ଏହାର ଏକମାତ୍ର କାରଣ ସ୍ପଷ୍ଟ ପ୍ରମାଣିତ ।

ଏହି ପ୍ରକଳ୍ପ ଅନୁମୋଦନ ପାଇସାରିବା ପରେ ଜମି ଅଧିଗ୍ରହଣ ପ୍ରକ୍ରିୟା ଶେଷ ହୋଇ ଏ ବାହଦକୁ କ୍ଷତିଗ୍ରସ୍ତ ଜମି ମାଲିକଙ୍କୁ କ୍ଷତିପୂରଣ ଅର୍ଥ ଆବଣ୍ଟନ କରାଗଲା । ସମ୍ପୂର୍ଣ୍ଣ ଆଇନ୍ଗତ ବ୍ୟବସ୍ଥା ଓ ପ୍ରକ୍ରିୟା ସରିବା ପରେ ଜଙ୍ଗଲ ଜମି କ୍ଲିୟରାନ୍ସକୁ ଅସ୍ତ୍ର ଭାବେ ପୁନର୍ବାର ପ୍ରୟୋଗ କରାଗଲା । ଏହାପରେ ରାଜ୍ୟ ସରକାରଙ୍କ ଉପରେ ମଧ୍ୟ ଜମି ଯୋଗାଇ ନ ଦେବାର ଆଳ ଦେଖାଇ ଯୁକ୍ତି ଉପସ୍ଥାପନ କରାଗଲା ।

ଏଠାରେ ପ୍ରଶ୍ନଉଠୁଛି ଯେ, ବେଦବ୍ୟାସ ଛକଠାରୁ ଟିସିଆଇ-ପାନପୋଷ-ହକିଛକ-ତରକେରା ପ୍ରଭୃତି ଅଞ୍ଚଳର ଜମି ଅଧିଗ୍ରହଣ ହୋଇ କ୍ଷତିପୂରଣ ଆବଣ୍ଟନ କାର୍ଯ୍ୟ ସରିଥିବା ବେଳେ କେଉଁ ଜମିକୁ ନେଇ ରାଜ୍ୟ ସରକାରଙ୍କ ଉପରେ ଦୋଷ ଲଦାଯାଉଛି? ଏଠାରେ ସୂଚନାଯୋଗ୍ୟ ଯେ, ଦାଣ୍ଡିଆପାଲି ଠାରେ ଏଯାବତ ଭୂମି ଅଧିଗ୍ରହଣ ହୋଇନାହିଁ ଏବଂ ଏହା ପ୍ରକ୍ରିୟା ମଧ୍ୟରେ ଅଛି କିନ୍ତୁ କାହା ସ୍ୱାର୍ଥରେ ଜମି ଅଧିଗ୍ରହଣ କରାଗଲା ଏବଂ ଏ ବାବଦକୁ କ୍ଷତିପୂରଣ ପାଇସାରିଥିବା ବେଳେ ୬ ଲେନ୍ ରାସ୍ତା ଆଳ ଦେଖାଇ ହଠାତ୍ ରାତିଅଧିଆ ସେତୁ ଓ ରାସ୍ତା ନିର୍ମାଣର ସ୍ଥାନ ଦାଣ୍ଡିଆପାଲିକୁ ସ୍ଥାନାନ୍ତର ହେଲା କାହା ସ୍ୱାର୍ଥରେ? ଏହା ଏକ ଜାତୀୟ ପ୍ରକଳ୍ପ ଏବଂ ଏହା ଅନୁମୋଦନ ପାଇସାରିଥିବା ବେଳେ କେଉଁ ନ୍ୟାୟରେ ଟିସିଆଇ ଛକରେ ଥିବା ସାଇ ଆପାର୍ଟମେଣ୍ଟ ଏବଂ ବ୍ରାହ୍ମଣୀ ନଦୀ କୂଳରେ ଥିବା ଆପାର୍ଟମେଣ୍ଟ ନିର୍ମାଣ ପାଇଁ ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷ ଅନୁମତି ଦେଲା କିପରି? ବର୍ତ୍ତମାନ ମାର୍ ମାର୍ ଭଣ୍ଡିରିଆକୁ ମାର୍ ନୀତିରେ ଦାଣ୍ଡିଆପାଲିରେ ଜମି ଅଧିଗ୍ରହଣ ହୋଇନଥିବା ବେଳେ ସେତୁ ନିର୍ମାଣ ନାଟକ କାହା ସ୍ୱାର୍ଥରେ? ସେତୁ ନିର୍ମାଣ ହେଲେ ସହରବାସୀ ସବୁଦିନ ପାଇଁ ୪ କିଲୋ ମିଟର ଅଧିକ ବ୍ୟବହାର କରିବେ କାହିଁକି? ପାନପୋଷ ଠାରେ ରେଳବାଇର ଦ୍ୱିତୀୟ ସେତୁ ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଥିବା ବେଳେ ପାନପୋଷ ଠାରେ ସେତୁ ନିର୍ମାଣର ପ୍ରତିବନ୍ଧକ କେଉଁଠି? ଏ ସମସ୍ତ ଅସାମାହିତ ପ୍ରଶ୍ନ ଜନସାଧାରଣଙ୍କ ମନରେ ଉଙ୍କି ମାରିବା ସ୍ୱାଭାବିକ । ଅଯଥା ରାଜନୀତିକ ହସ୍ତକ୍ଷେପ ଏଥିପାଇଁ ଦାୟୀ ।

ଏହାର ପରିସମାପ୍ତି ହେବା ଆବଶ୍ୟକ । ତେଣୁ ଆମେ ଦାବି କରୁଛୁ ଯେ, ଆଉ ଅଧିକ ନାଟକବାଜୀ ନ କରି ଅବିଳମ୍ବେ ପାନପୋଷ ଠାରେ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣ କରାଯାଉ । ସେତୁ ନିର୍ମାଣରେ ଅହେତୁକ ବିଳମ୍ବ ଯୋଗୁଁ ପ୍ରତିଦିନ ଜନସାଧାରଣ ଅକଥନୀୟ ହଇରାଣ ହରକତ ହେଉଥିବାକୁ ଦୃଷ୍ଟିରେ ରଖି ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯାଉ ଏବଂ ପରଦା ପଛରେ ଥିବା ଦାୟୀ ବ୍ୟକ୍ତିମାନଙ୍କ ମୁଖା ଖୋଲାଯାଉ ନତୁବା ଏହା ବିରୋଧରେ ଦୁର୍ବାର ଆନ୍ଦୋଳନ କରାଯିବ ବୋଲି  ବୀରମିତ୍ରପୁର ବିଧାୟକ ଜର୍ଜ ତିର୍କୀ ଚେତାବନୀ ଦେଇଛନ୍ତି ।

ଆଜିର ଏହି ବିକ୍ଷୋଭରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ହାଲୁ ମୁଣ୍ଡାରୀ, ସିପ୍ରିଆନ କିଡୋ, ଅନୀଲ ଏକ୍କା, ଲେଥା ତିର୍କୀ, ତେଜ କୁମାରୀ ମିଞ୍ଜ, ସୁନୀତା ସିଂ, ଗୋପୀନାଥ ରଣା, ଚୁକା ଓରାମ, ବାନ୍ଦେ ଓରାମ, ଚକ୍ରଧର ମାହାତୋ, ହାରାନ ବାଗେ, ଆଲବର୍ଟ କିଣ୍ଡୋ, ପ୍ରଫୁଲ୍ଲ ଟିଗା, ଖ୍ରୀଷ୍ଟୋଫର ଖେସ୍ ଓ ବହୁ ଆଦିବାସୀ ମୂଳବାସୀ ବଞ୍ଚାଅ ମଞ୍ଚ ଏବଂ ଆଦିବାସୀ ମୂଳନିବାସୀ ଅଧିକାର ସୁରକ୍ଷା ମଞ୍ଚ, ଝାଡଖଣ୍ଡ ମୁକ୍ତିମୋର୍ଚ୍ଚାର ସଦସ୍ୟମାନେ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ ।

Related Post