ମୁମ୍ବାଇ: ମହାମାରୀ କୋଭିଡ୍–୧୯ର ଉପଦ୍ରବରୁ ତ୍ରାହି ପାଇବା ପାଇଁ ଗବେଷକମାନେ କୌଣସି ସ୍ଥାୟୀ ପ୍ରତିକାର ବାହାର କରିପାରିନାହାନ୍ତି। ଏହି ମହାମାରୀ ସୃଷ୍ଟି କରୁଥିବା ସାର୍ସ–କୋଭ୍–୨ ନାମକ ଅଭିନବ କରୋନା ଭୂତାଣୁର ଶରୀର ଗଠନ ଏବଂ ଅଦ୍ଭୂତ ବ୍ୟବହାର ହିଁ ଗବେଷକମାନଙ୍କ ପାଇଁ ରୋଗର ଉପଶମ ବାହାର କରିବାରେ ପ୍ରତିବନ୍ଧକ ସାଜିଛି ବୋଲି ଆଲୋଚନା ହେଉଛି। ଏହି ଭୂତାଣୁର ଶରୀର ଗଠନ ଅନ୍ୟାନ୍ୟ ରୋଗଜୀବାଣୁଙ୍କ ଠାରୁ ଭିନ୍ନ ହୋଇଥିବାରୁ ମନୁଷ୍ୟ ଶରୀରର ରୋଗପ୍ରତିରୋଧ ଶକ୍ତି ଏହାକୁ କାବୁ କରିବାରେ ସଫଳ ହେଉନାହିଁ। ଏପରିକି କୌଣସି ଉପଚାର ପ୍ରତି ଏହି ଭୂତାଣୁର ବିଚିତ୍ର ପ୍ରତିକ୍ରିୟା ହିଁ ବହୁବିଧ ଜଟିଳ ଔଷଧ ପ୍ରୟୋଗ କରିବା ପାଇଁ ବାଧ୍ୟ କରୁଥିବା ବେଳେ ସେଥିରୁ ଅନୁକୂଳ ପରିଣାମ ପାଇବା ମଧ୍ୟ କଷ୍ଟକର ହୋଇପଡ଼ିଛି। ତେଣୁ ଏ ପରିପ୍ରେକ୍ଷୀରେ ଭୂତାଣୁମାନଙ୍କର ଶାରୀରିକ ଗଠନ ସମ୍ପର୍କରେ ଜାଣିବା ସମୟୋପଯୋଗୀ ହେବ।
ଜୈବବିଜ୍ଞାନୀଙ୍କ ମତରେ, ସାଧାରଣତଃ ଜୀବଜଗତର କ୍ଷୁଦ୍ରତମ ପ୍ରାଣୀ ଏକକୋଷୀଙ୍କ ଠାରୁ ମଧ୍ୟ ଭୂତାଣୁଗୁଡି଼କ ହେଉଛନ୍ତି କ୍ଷୁଦ୍ର। ଏପରିକି ଜୀବନଧାରଣର କ୍ଷୁଦ୍ରତମ ଏକକ ଭାବେ ପରିଚିତ ଜୀବକୋଷର ସମ୍ପୂର୍ଣ୍ଣତା ଏମାନଙ୍କ ଠାରେ ଦେଖାଯାଏନାହିଁ। ତେବେ ଏମାନେ କେବଳ କିଛି ସଂଖ୍ୟକ ଅଣୁକୁ ନେଇ ଗଠିତ ଏକପ୍ରକାରର ରାସାୟନିକ ଯୌଗିକ ପଦାର୍ଥ। ଏହି ଅଣୁଗୁଡି଼କ ନିଜକୁ ବିଭିନ୍ନ ଢାଞ୍ଚାରେ ସଜେଇ ବିଭିନ୍ନ ଆକାର ଧାରଣ କରିଥାନ୍ତି। କରୋନା ନାମକ ଏହି ନିର୍ଦ୍ଦିଷ୍ଟ ବର୍ଗର ଭୂତାଣୁଗୁଡି଼କ ଏକ ଜାଜୁଲ୍ୟମାନ ଲାଲ୍ ପେଣ୍ତୁ ଭଳି, ଯାହାର ଉପରି ଭାଗରେ ମୁକୁଟରେ ଖଞ୍ଜା ହୋଇଥିବା କାଠି ସଦୃଶ ଅସଂଖ୍ୟ କୀଳା ବାହାରିଥାଏ। ଅନ୍ୟାନ୍ୟ ବୀଜାଣୁ ଓ ଫିମ୍ପି ପରି ରୋଗଜୀବାଣୁ ତୁଳନାରେ ଏହି ଭୂତାଣୁଗୁଡି଼କ ଯଥେଷ୍ଟ କ୍ଷୁଦ୍ର। ତେଣୁ ସେମାନେ ଯେକୌଣସି ସଜୀବ ଦେହରେ ଶିକାର କରି ଜୀବନଧାରଣ କରିଥାନ୍ତି। ଏପରିକି ଅନ୍ୟ ରୋଗ ଜୀବାଣୁଙ୍କ ଦେହକୁ ମଧ୍ୟ ସଂକ୍ରମଣ କରି ସେମାନେ ଦୁର୍ବଳ କରିଦେଇଥାନ୍ତି। ତେବେ କୋଭିଡ୍–୧୯ର କାରଣ ସାଜିଥିବା ସାର୍ସ–କୋଭ୍–୨ ହେଉଛି ଏକ ବଡ଼ ଧରଣର ଭୂତାଣୁ ଯାହାର ଦୈର୍ଘ୍ୟ ୧୨୦ ନାନୋମିଟର ପର୍ଯ୍ୟନ୍ତ ହୋଇଥିବା ବେଳେ ଆମ ଶରୀରର ରକ୍ତକଣିକା ଏହାର ୬୪ ଗୁଣ ବଡ଼। ପ୍ରାୟ ପ୍ରତ୍ୟେକ ଭୂତାଣୁର ମୁଖ୍ୟ ଉପାଦାନ ହେଉଛି ପ୍ରୋଟିନ୍ ଯାହାକି ଅନୁକୂଳ ପରିବେଶ ମିଳିଲେ ଭୂତାଣୁକୁ ବହୁଗୁଣିତ କରିବାରେ ସହାୟକ ହୋଇଥାଏ। ସେମାନେ କୌଣସି ସଜୀବର ଜୀବକୋଷ ଭିତରେ ପଶି ତାହାକୁ ଖାଇଚାଲନ୍ତି ଏବଂ ବାହାରିଲା ବେଳକୁ ତାହାକୁ ଖୋଳ କରି ଭିତରେ ଲକ୍ଷ ଲକ୍ଷ ସଂଖ୍ୟକ ନିଜ ବଂଶଧର ଛାଡ଼ିଆସିଥାନ୍ତି। ଏହିପରି ଭାବେ ସେମାନେ ମନୁଷ୍ୟ ଶରୀରରେ ବିଭୀଷିକା ରଚିଥାନ୍ତି।
ଏବେ ମନୁଷ୍ୟ ଶରୀରରେ ସେମାନଙ୍କ ବ୍ୟବହାର ସମ୍ପର୍କରେ ଜାଣିବା। ଖାଦ୍ୟସାର ପ୍ରୋଟିନ୍ ଶରୀରରେ ମାଂସପେଶୀ ଗଠନ କରିବା ସହ ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ମଧ୍ୟରେ ଯୋଗାଯୋଗ ରଖିଥାଏ। ଶରୀରରେ କୌଣସି ବାହ୍ୟ ଆକ୍ରମଣ(ସଂକ୍ରମଣ)ର ସୂଚନା ମିଳିଲେ, ଏକ ନିର୍ଦ୍ଦିଷ୍ଟ ଶ୍ରେଣୀର ପ୍ରୋଟିନ୍ ଅନ୍ୟମାନଙ୍କୁ ସତର୍କ କରିବା ସହ ପ୍ରତିରକ୍ଷା ବାହିନୀ ପରି ମଧ୍ୟ କାମ କରିଥାଏ। ମନୁଷ୍ୟର ଜୀବକୋଷ ସାଧାରଣତଃ ୨୦,୦୦୦ ପ୍ରକାରର ପ୍ରୋଟିନ୍ ବ୍ୟବହାର କରିଥିବା ବେଳେ କରୋନା ଭୂତାଣୁ ୩୩ ପ୍ରକାର ପ୍ରୋଟିନ୍ ବ୍ୟବହାର କରିଥାଏ। ଅପରପକ୍ଷେ, ଭୂତାଣୁଗୁଡ଼ିକ ନିଜ ସଂରଚନା ଅପେକ୍ଷା ଅନ୍ୟ ଜୀବକୋଷ ଭିତରେ ପଶି ବହୁଗୁଣିତ ହେଉଥିବାରୁ ସେମାନଙ୍କୁ ଧ୍ବଂସ କରିବାକୁ ହେଲେ ବାହକ(ମନୁଷ୍ୟ)ର ଜୀବକୋଷକୁ ପ୍ରଥମେ ମାରିବାକୁ ପଡ଼ିବ। ସୁତରାଂ ସେମାନଙ୍କ ଉପରେ କୌଣସି ଜୀବାଣୁ ବିନାଶକାରୀ(ଆଣ୍ଟିବାୟୋଟିକ୍) କାମ କରେନାହିଁ। କରୋନା ଭୂତାଣୁର ଏହି ବିଚିତ୍ର ଗୁଣ ଆମ ରୋଗପ୍ରତିରୋଧ ପ୍ରକ୍ରିୟାକୁ ଦ୍ବନ୍ଦ୍ବରେ ପକାଇଥାଏ। ଏହି ପ୍ରକ୍ରିୟା ସଂପୃକ୍ତ କରୋନା ଭୂତାଣୁକୁ କୌଣସିମତେ ଠାବ କଲା ବେଳକୁ ତାହା ସମ୍ପୂର୍ଣ୍ଣ ପ୍ରଣାଳୀକୁ ନଷ୍ଟ କରିଦେବା ସହ ଅନ୍ୟଠାରେ ମଧ୍ୟ ସଂକ୍ରମିତ ହୋଇସାରିଥାଏ। ତଥାପି କେମିତି ଏହାକୁ କାବୁ କରିହେବ, ସେଥିପାଇଁ ବିଶ୍ବ ତମାମ ବୈଜ୍ଞାନିକମାନେ ପରୀକ୍ଷାନିରୀକ୍ଷା ଜାରି ରଖିଛନ୍ତି।