Wed. Mar 11th, 2026

ଦେଶର ଅର୍ଥବ୍ୟବସ୍ଥା କିଭଳି ବଦଳିବ? ମତ ରଖିଲେ ଆଇଏମଏଫ ନିର୍ଦ୍ଦେଶକ

300 Views

ନୂଆଦିଲ୍ଲୀ  : ଦେଶର ଅର୍ଥବ୍ୟବସ୍ଥାକୁ ନେଇ କେନ୍ଦ୍ର ସରକାର ନେଉଥିବା ପଦକ୍ଷେପ ବାବଦରେ ଆଇଏମଏଫ୍ (ଇଣ୍ଟରନ୍ୟାସନାଲ ମନିଟାରି ଫଣ୍ଡ) ପକ୍ଷରୁ ପ୍ରତିକ୍ରିୟା ରଖାଯାଇଛି। ଅର୍ଥ ବ୍ୟବସ୍ଥାକୁ ମଜବୁତ କରିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି, ହେଲେ ସମସ୍ୟାର ସମାଧାନ ଆଗ କରିବା ଜରୁରୀ। ଆଇଏମଏଫର ନିର୍ଦ୍ଦେଶକ କ୍ରିଷ୍ଟାଲିନା ଜର୍ଜିଏବା ଓ୍ୱାଶିଂଟନ ଡିସିରେ ପ୍ରତିକ୍ରିୟା ଦେଇ ଏହା କହିଛନ୍ତି। ମୁଖ୍ୟତଃ ଅଣ-ବ୍ୟାଙ୍କିଂ କ୍ଷେତ୍ରରେ ଯେଉଁ ସ୍ଥିତି ଉପୁଜିଛି ସେ ଦିଗରେ ଭାରତ ଧ୍ୟାନ ଦେବା ଦରକାର ବୋଲି ଆଇଏମଏଫର ନିର୍ଦ୍ଦେଶକ କହିଛନ୍ତି।

ଭାରତ ଦୀର୍ଘକାଳୀନ ବିକାଶ ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବା ଦରକାର। ଏଥିପାଇଁ ମାନବ ବିକାଶ ଉପରେ ଗୁରୁତ୍ୱ ଦେବା ଦରକାର। ତାଙ୍କ ଦେଶରେ ଅନେକ ପ୍ରତିଭାସଂପନ୍ନ ମହିଳା ରହିଛନ୍ତି। ହେଲେ ସେମାନେ ଘରେ ରହୁଥିବାରୁ ତାଙ୍କର ବିକାଶ ହୋଇପାରୁନି। ତେଣୁ ଭାରତ ମାନବ ବିକାଶ ଉପରେ ପୁଞ୍ଜି ନିବେଶ କରିବା ଦରକାର ବୋଲି କ୍ରିଷ୍ଟାଲିନା କହିଛନ୍ତି। ଏହାଦ୍ୱାରା ମହିଳାମାନେ ରୋଜଗାରକ୍ଷମ ହେବେ, ଦେଶର ଅର୍ଥବ୍ୟବସ୍ଥା ଆଗକୁ ବଢ଼ିପାରିବ। ସାରା ବିଶ୍ୱରେ ଏବେ ମାନ୍ଦାବସ୍ଥା ରହିଛି। ତେଣୁ ଏହାର ପ୍ରଭାବ ଭାରତ ଭଳି ବଡ଼ ବଜାର ଉପରେ ମଧ୍ୟ ପଡ଼ିଛି। ଭାରତ ଆଗାମୀ ଦିନରେ ଢାଞ୍ଚାଗତ ପ୍ରକ୍ରିୟାରେ ପରିବର୍ତ୍ତନ କରିବ ବୋଲି ସେ ଆଶା ରଖିଛନ୍ତି।

ସୂଚନାଯୋଗ୍ୟ, ମଙ୍ଗଳବାର ଆଇଏମଏଫ ଭାରତର ଅଭିବୃଦ୍ଧି ହାର ବାବଦରେ ରିପୋର୍ଟ ପ୍ରକାଶ କରିଛି। ଚଳିତବର୍ଷ ଦେଶର ଅଭିବୃଦ୍ଧି ହାର ୬.୧ ପ୍ରତିଶତ ରହିବ ବୋଲି ଆକଳନ କରିଛି। ଏପ୍ରିଲ ମାସରେ କିନ୍ତୁ ଭାରତର ଅଭିବୃଦ୍ଧି ହାର ୭.୩ ପ୍ରତିଶତ ରହିବ ବୋଲି ଆଇଏମଏଫ ଆକଳନ କରିଥିଲା ବୋଲି କୁହାଯାଇଛି। ସେହିପରି ଆଗାମୀ ଆର୍ଥିକ ବର୍ଷରେ ଦେଶର ଅଭିବୃଦ୍ଧି ହାର ୭ ପ୍ରତିଶତ ରହିବ ବୋଲି ରିପୋର୍ଟରେ ପ୍ରକାଶ ପାଇଛି। ଏହା ପୂର୍ବରୁ ବିଶ୍ୱବ୍ୟାଙ୍କ ମଧ୍ୟ ଭାରତର ଅଭିବୃଦ୍ଧି ହାର ଆଇଏମଏଫ ପ୍ରକାଶ କରିଥିବା ରିପୋର୍ଟର ପାଖାପାଖି ସମାନ ଥିଲା।

By amfnews

Related Post