Sun. Jun 15th, 2025

ଦେଶଦ୍ରୋହ ଅଭିଯୋଗରେ ଜେଏନ୍‌ୟୁର ପୂର୍ବତନ ଛାତ୍ର ସଂସଦ ସଭାପତି କହ୍ନେୟା କୁମାରଙ୍କ ସମେତ ୩୫ ଜଣଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ

By amfnews Jan 14, 2019 #Featured
167 Views

ନୂଆଦିଲ୍ଲୀ,ଜାନୁଆରୀ ୧୪  : ଜବାହାରଲାଲ ନେହେରୁ ୟୁନିଭରସିଟି(ଜେଏନ୍‌ୟୁ)ର ପୂର୍ବତନ ଛାତ୍ର ସଂସଦ ସଭାପତି କହ୍ନେୟା କୁମାର ଏବଂ ଅନ୍ୟ କେତେ ଜଣ ଛାତ୍ରନେତାଙ୍କ ବିରୋଧରେ ଦେଶଦ୍ରୋହ ଅଭିଯୋଗରେ ଦିଲ୍ଲୀ ପୁଲିସ୍‌ର ସ୍ୱତନ୍ତ୍ର ସେଲ୍‌ ସୋମବାର  ଚାର୍ଜସିଟ୍‌ ଦାଖଲ କରିଛି। ସଂସଦ  ଆକ୍ରମଣର ମାଷ୍ଟରମାଇଣ୍ଡ୍‌ ଅଫଜଲ୍‌ ଗୁରୁଙ୍କୁ ଫାଶୀ ଦିଆଯିବା ପରେ ଏହାର  ବିରୋଧରେ ଏକ ସଭା କରି କହ୍ନେୟା କୁମାର ଓ ତାଙ୍କ ସହଯୋଗୀ ଦେଶବିରୋଧୀ ସ୍ଲୋଗାନ ଦେଇଥିଲେ।

କହ୍ନେୟାଙ୍କ ବ୍ୟତୀତ ଉକ୍ତ ଚାର୍ଜସିଟ୍‌ରେ ଉମର ଖଲିଦ୍‌ ଓ ଅନିର୍ବାଣ ଭଟ୍ଟାଚାର୍ଯ୍ୟଙ୍କ ନାମ ବି ରହିଛି। ଏହି ଚାର୍ଜସିଟ୍‌ରେ ପୁଲିସ୍‌ ଛାତ୍ର ସଂସଦ କାର୍ଯ୍ୟକର୍ତ୍ତା ସିଲା ରସିଦ ଏବଂ ସିପିଆଇ ନେତା ଡି ରାଜାଙ୍କ ଝିଅ ଅପରାଜିତାଙ୍କ ନାମ ମଧ୍ୟ ଉଲ୍ଲେଖ କରିଛି। ଚାର୍ଜସିଟ୍‌ରେ ସ୍ପଷ୍ଟ କୁହାଯାଇଛି ଯେ ସିଲା ରସିଦଙ୍କ ବିିରୋଧରେ ପୁଲିସ୍‌ ନିକଟରେ ସେପରି କୌଣସି ଠୋସ୍ ପ୍ରମାଣ ନାହିଁ। ଦାଖଲ ହୋଇଥିବା ୧୨୦୦ ପୃଷ୍ଟାର ଏହି ଚାର୍ଜସିଟ୍‌ରେ ସମୁଦାୟ ୩୫ ଜଣଙ୍କ ନାମ ରହିଛି।

ଉଲ୍ଲେଖଯୋଗ୍ୟ, ୨୦୧୬ ମସିହାରେ ଜେଏନ୍‌ୟୁରେ ହୋଇଥିବା ଏକ କାର୍ଯ୍ୟକ୍ରମରେ କହ୍ନେୟା କୁମାର, ଉମର ଖଲିଦ, ଅନିର୍ବାଣ ଭଟ୍ଟାଚାର୍ଯ୍ୟଙ୍କ ସମେତ ଆଉ କିଛି ଛାତ୍ର ଦେଶ ବିରୋଧୀ ସ୍ଲୋଗାନ ଦେଇଥିଲେ। ସଂସଦ ଉପରେ ଆକ୍ରମଣ କରିଥିବା ମାଷ୍ଟରମାଇଣ୍ଡ୍‌ ଅଫଜଲ୍‌ ଗୁରୁଙ୍କୁ ଫାଶୀ ଦିଆଯିବା ପରେ ବିରୋଧ କରି ଖଲିଦ ଏବଂ ଭଟ୍ଟାଚାର୍ଯ୍ୟ ଉକ୍ତ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ।

ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କହ୍ନେୟା କୁମାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବାରୁ  ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହା ସହ ସେ ପୁଲିସ୍‌କୁ ବି ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି କି ଘଟଣାର ୩ ବର୍ଷ ପରେ ଚାର୍ଜସିଟ୍‌ ଜାରି ହେବା ଏକ ରାଜନୈତିକ ଷଡ଼ଯନ୍ତ୍ର। ମୁଁ ମୋ ଦେଶର ନ୍ୟାୟପାଳିକା ଉପରେ ଭରସା ରଖିଛି ବୋଲି ସେ ଶେଷରେ କହିଛନ୍ତି।

By amfnews

Related Post