ନୂଆଦିଲ୍ଲୀ: ଦୁଷ୍କର୍ମ ନିରୋଧୀ ଆଇନ ଠିକ୍ ଅଛି, ଏହାକୁ ଲାଗୁ କରାଯିବାରେ ସମସ୍ୟା ରହିଛି ବୋଲି ଦିଲ୍ଲୀ ଦୁଷ୍କର୍ମ ପୀଡ଼ିତା ନିର୍ଭୟାର ବାପା କହିଛନ୍ତି। ଏହା ପୂର୍ବରୁ ସୋମବାର ସମାଜବାଦୀ ପାର୍ଟି ସାଂସଦ ଜୟା ବଚ୍ଚନ ଦାବି କରିଥିଲେ ଦୁଷ୍କର୍ମ ଅପରାଧୀଙ୍କୁ କୋର୍ଟକୁ ଅଣାନଯାଇ ସାଧାରଣ ଲୋକଙ୍କ ଜିମାରେ ଦେଇଦିଆଯାଉ। ଏହାପରେ ଅନ୍ୟ କିଛି ସାଂସଦ ମଧ୍ୟ ଗୃହରେ ତାଙ୍କ ସହ ତାଳ ଦେଇଥିଲେ। କିନ୍ତୁ ୭ ବର୍ଷ ତଳେ ଦୁଷ୍କର୍ମର ଶିକାର ହୋଇଥିବା ଦିଲ୍ଲୀ ମେଡିକାଲ ଛାତ୍ରୀଙ୍କ ବାପା ଭାରତୀୟ ଆଇନ ଉପରେ ଭରସା କରିଥିବାବେଳେ ଏହାକୁ ଲାଗୁ କରିବାକୁ ଥିବା ବ୍ୟବସ୍ଥା ଉପରେ ସନ୍ଦେହ ପ୍ରକଟ କରିଛନ୍ତି।
ସେ ଏକ ଟିଭି ସାକ୍ଷାତକାରରେ କହିଛନ୍ତି, “ଜଣେ କେହି ଅପାଠୁଆ ଯଦି କହେ ଦୁଷ୍କର୍ମକାରୀକୁ ଲୋକଙ୍କ ଜିମାରେ ଛାଡ଼ିଦିଆଯାଉ ଏବଂ ତାକୁ ମାରିଦିଆଯାଉ, ତାହାଲେ ଠିକ ଅଛି। କିନ୍ତୁ ସଂସଦ ଗୃହରେ ଏପରି କହିବା ଆଗରୁ ଆମ ଦେଶର ଆଇନ ବାବଦରେ ଜାଣିବା ଦରକାର। ଆଇନରେ ଏଭଳି କିଛି ଦଣ୍ଡ ବ୍ୟବସ୍ଥା ଅଛି କି? କିଛି ମୁହୂର୍ତ୍ତର ଉତ୍ତେଜନାରେ ଏସବୁ ଠିକ, କିନ୍ତୁ ମୁଁ ଏହାର ସମର୍ଥନ କରୁନାହିଁ।”
ସୂଚନାଯୋଗ୍ୟ ଯେ, ଜୟାଙ୍କ ମନ୍ତବ୍ୟ ପରେ ତାଙ୍କର କିଛି ସାଂସଦ ସାଥୀ ଏହାକୁ ସମର୍ଥନ ଜଣାଇଛନ୍ତି। ତୃଣମୂଳ କଂଗ୍ରେସର ମିମି ଚକ୍ରବର୍ତ୍ତୀ ମଧ୍ୟ ଏହାକୁ ସମର୍ଥନ କରିଛନ୍ତି।
ତେବେ ନିର୍ଭୟାର ବାପା କହିଛନ୍ତି, “ଆମ ଆଇନରେ କିଛି ତ୍ରୁଟି ନାହିଁ, ଏହାକୁ ଲାଗୁ କରିବାକୁ ଥିବା ଲୋକଙ୍କଠାରେ ସମସ୍ୟା ରହିଛି। ଆମ ମାମଲାରେ ମଧ୍ୟ ପ୍ରଶାସନିକ ବ୍ୟବସ୍ଥା କାରଣରୁ ଦଣ୍ଡରେ ବିଳମ୍ବ ହୋଇଛି।” ସେ କହିଛନ୍ତି ଯେପର୍ଯ୍ୟନ୍ତ ଆଇନକୁ ଲାଗୁ କରିବାରେ ସମସ୍ୟା ରହିଛି ଦୁଷ୍କର୍ମ ବାବଦରେ ଯେତେ ଆଲୋଚନା କଲେ ମଧ୍ୟ କିଛି ହେବାର ନାହିଁ।

