ସମ୍ବଲପୁର : ସମ୍ବଲପୁର ମହାନଗର ନିଗମ ୩ ନମ୍ବର ୱାର୍ଡ ଅନ୍ତର୍ଗତ ମଡ଼ିଆଡୁଙ୍ଗୁରି ଗାଁରେ ଦେଖିବାକୁ ମିଳିଛି ‘ଅମୃତ ଯୋଜନା’ର ବିଚିତ୍ର ଚିତ୍ର। ଗାଁକୁ ପଶିଗଲେ ଯେ କେହି ବି ଆଶ୍ଚର୍ଯ୍ୟ ହେବ। ରାସ୍ତାକଡ଼ଠାରୁ ଆରମ୍ଭ କରି ଘର ପାଖ ପର୍ଯ୍ୟନ୍ତ ସବୁଠି ଦେଖିବାକୁ ମିଳିବ ମାଳ ମାଳ ଷ୍ଟାଣ୍ଡପୋଷ୍ଟ୍। ସରକାରୀ ହିସାବରେ ଗାଁରେ ପରିବାର ସଂଖ୍ୟା ୮୦। ମାତ୍ର ଗାଁରେ ଲାଗିଛି ପାଖାପାଖି ୫୦୦ ପାଣି ଟ୍ୟାପ୍। ଗୋଟିଏ ଗୋଟିଏ ସ୍ଥାନରେ ତ ୪ରୁ ୫ଟି ଷ୍ଟାଣ୍ଡପୋଷ୍ଟ ଓ ଟ୍ୟାପ୍ ଲାଗିଛି। ହୀରାକୁଦ ଜଳଭଣ୍ଡାର ଓ ବୁର୍ଲା ପାୱାର ଚାନେଲ ନିକଟରେ ଥାଇ ବି ଏହି ଗାଁ ଖରାଦିନେ ଜଳକଷ୍ଟରେ ରହୁଥିଲା। ମାତ୍ର ସବୁ ଘରକୁ ଜଳଯୋଗାଣ ପାଇଁ ଯେଉଁ ବ୍ୟବସ୍ଥା କରାଯାଇଛି ତାହା ପ୍ରହସନ ଭଳି ହିଁ ଲାଗୁଛି। ଏ ନେଇ ବିଭାଗ ପାଖରେ ବି ଖବର ନ ଥିବା ଜଣାପଡ଼ିଛି। କୌତୂହଳର ବିଷୟ ହେଉଛି ଗ୍ରାମର ଏସବୁ ଷ୍ଟାଣ୍ଡପୋଷ୍ଟ ଓ ଟ୍ୟାପ୍ ଲାଗିବାର ବର୍ଷେ ହୋଇଯାଇଥିଲେ ବି ସେଥିରେ ଏ ପର୍ଯ୍ୟନ୍ତ ପାଣି ଆସିନି। ଗ୍ରାମର ଶେଷ ମୁଣ୍ଡରେ ପମ୍ପ ହାଉସ୍ ନିର୍ମାଣଧୀନ ରହିଛି। ପମ୍ପ ଲାଗି ସାରିଲେ ଜଳଯୋଗାଣ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।
ରବବାର ଦିନ ‘ସମ୍ବାଦ’ ଟିମ୍ ଏହି ଗାଁକୁ ଯାଇଥିବା ବେଳେ ମାଳ ମାଳ ଷ୍ଟାଣ୍ଡପୋଷ୍ଟ ଦେଖିଥିଲେ। ଅନୁସନ୍ଧାନ କରିବାରୁ ଜଣାପଡ଼ିଥିଲା ଯେ, ଅମୃତ ଯୋଜନାର ଡବ୍ଲ୍ୟୁଏସ୍ ୪୬ରେ ପାଇଲଟ୍ ପ୍ରକଳ୍ପ ଭାବେ ଗତ ବର୍ଷ ସମ୍ବଲପୁର ଜିଲ୍ଲାର କେତେକ ସ୍ଥାନରେ ପାଇପ୍ ବିଛାଇବା କାର୍ଯ୍ୟ ଆରମ୍ଭ ହୋଇଥିଲା। ୩ ନଂ ୱାର୍ଡରେ ଥିବା ମଡ଼ିଆଡୁଙ୍ଗୁରି ଗ୍ରାମରେ ବି ଏହି ପାଇଲଟ୍ ପ୍ରକଳ୍ପ କାମ ଆରମ୍ଭ ହୋଇଥିଲା। ଏବେ ଗାଁରେ ଯୁଆଡ଼େ ଚାହିଁଲେ ସିଆଡ଼େ କେବଳ ମାଳମାଳ ଷ୍ଟାଣ୍ଡପୋଷ୍ଟ ଦିଶୁଛି। ସ୍ଥିତି ଏଭଳି ଯେ ଗୋଟିଏ ଗୋଟିଏ ସ୍ଥାନରେ ଦୁଇଟି ଷ୍ଟାଣ୍ଡପୋଷ୍ଟ ମଧ୍ୟରେ ଦୂରତା ୬ ଇଞ୍ଚରୁ ବି କମ୍ ରହିଛି। କାହା ଦୁଆରେ ୪ଟି ତ ଆଉ କାହା ଦୁଆରେ ୧୦ଟି ପର୍ଯ୍ୟନ୍ତ ଷ୍ଟାଣ୍ଡପୋଷ୍ଟ ଓ ଟ୍ୟାପ୍ ଲାଗିଛି। କେତେକ ଷ୍ଟାଣ୍ଡ୍ପୋଷ୍ଟ୍ ଓ ଟ୍ୟାପ୍ର ବ୍ୟବଧାନ ମାତ୍ର କେଇ ଇଞ୍ଚ ରହିଥିବାରୁ ପାଣି ଆସିଲେ ବି ତାକୁ କେହି ବ୍ୟବହାର କରିପାରିବେନି। ପାଣି ପାଇପ୍ ବିଛାଯିବାର ଏହି ଅଜବ ଚିତ୍ର ସମ୍ପର୍କରେ ସୋମବାର ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ବିଭାଗୀୟ ଅଧିକାରୀ ଯାଇ ଘଟଣାର ଯାଞ୍ଚ କରିଛନ୍ତି। ଏ ସମ୍ପର୍କରେ ପିଏଚ୍ଇଡି ଏସ୍ଡିଓ(ବୁର୍ଲା ଡିଭିଜନ)ଙ୍କୁ ପଚାରିବାରୁ ମଙ୍ଗଳବାର ସେ ନିଜେ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବେ ବୋଲି କହିଛନ୍ତି। ସେଠାରେ ଲୋକଙ୍କ ନିଜସ୍ବ ରୋଷେଇ ଘର କି ଶୌଚାଳୟ ନ ଥିବାରୁ ବାହାରେ ଏଭଳି ଟ୍ୟାପ୍ ଲାଗି ଥାଇପାରେ ବୋଲି ସେ ପ୍ରକାଶ କରିଛନ୍ତି।
ଜଳଯୋଗାଣ ବିଭାଗ ଅନୁସାରେ ଗ୍ରାମରେ ୮୦ଟି ପରିବାର ରହୁଛନ୍ତି। ତେବେ ଗାଁ ଲୋକଙ୍କ ଅନୁସାରେ ପରିବାର ସଂଖ୍ୟା ପ୍ରାୟ ୧୨୦। ନିୟମାନୁସାରେ ପ୍ରତି ପରିବାରକୁ ଗୋଟିଏ ଲେଖାଏଁ ଟ୍ୟାପ୍ ଯୋଗାଇ ଦିଆଯିବା କଥା। ଗୋଟିଏ ଟ୍ୟାପ୍ରୁ ଆଉ ଏକ ଟ୍ୟାପ୍ର ସର୍ବନିମ୍ନ ଦୂରତା ୩ ମିଟର ରହିବା କଥା। କିନ୍ତୁ ସବୁ ନିୟମକୁ ଏଠାରେ ଜଳାଞ୍ଜଳି ଦିଆଯାଇଛି। କେଉଁ ସ୍ଥିତିରେ ଓ କଣ ପାଇଁ ଏତେ ଟ୍ୟାପ୍ ଲାଗିଲା ତାହା କେହି କହିପାରୁନାହାନ୍ତି। ବର୍ଷେ ପରେ ବି ବିଭାଗ ନିକଟରେ ଏ ସମ୍ପର୍କରେ କିଭଳି ତଥ୍ୟ ପହଞ୍ଚିନି ତାହା ମଧ୍ୟ ଆଶ୍ଚର୍ଯ୍ୟର ବିଷୟ ହୋଇଛି। ଗୋଟିଏ ଟ୍ୟାପ୍ ପାଇଁ ବିଭାଗ ପକ୍ଷରୁ ୨୫୦୦ ଟଙ୍କାର ଟେଣ୍ଡର କରାଯାଇଥିଲା। ଅଧିକ ପାଇପ୍ ଓ ଟ୍ୟାପ୍ ଖଞ୍ଜାଯାଇଥିବା ଦେଖାଇ ସରକାରୀ ଅର୍ଥ ବାଟମାରଣା କରାଯିବାର ଏହା ଏକ ବାହାନା ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ଅବଶ୍ୟ ପ୍ରକଳ୍ପରେ କାମ କରିଥିବା କଣ୍ଟ୍ରାକ୍ଟରଙ୍କୁ ଅଦ୍ୟାବଧି ବିଲ୍ ପ୍ରଦାନ କରାଯାଇ ନ ଥିବା ଏସ୍ଡିଓ ଶ୍ରୀ ଭୂ୍ୟାଁ କହିଛନ୍ତି।