Tue. Dec 24th, 2024

ଦୀପିକା ଇସ୍ପାତ ଶିକ୍ଷାସଦନ ବିଦ୍ୟାର୍ଥୀଙ୍କ ନିମ୍ନପ୍ରାଥମିକ ମେଧାବୃତ୍ତି ଲାଭ

By amfnews Nov 30, 2018 #Featured
186 Views

ରାଉରକେଲା, ୩୦ା୧୧  : ଆର୍ଏସ୍ପି ଦ୍ୱାରା ସ୍ଥାପିତ ତଥା ଦୀପିକା ମହିଳା ସଂଘତି ଦ୍ୱାରା ପରିଚାଳିତ ନିଃଶୁଳ୍କ ବିଦ୍ୟାଳୟ ଦୀପିକା ଇସ୍ପାତ ଶିକ୍ଷାସଦନର ୪ର୍ଥ ଶ୍ରେଣୀର ଛାତ୍ରୀ ସୁପ୍ରଭା ତାଣ୍ଡି ଓ ଅର୍ପିତା ବେହେରା ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦତ୍ତ ପ୍ରାଥମିକ ସ୍ତରୀୟ ନିମ୍ନ ପ୍ରାଥମିକ ମେଧାବୃତ୍ତି ଲାଭ କରିଛନ୍ତି । ସୁପ୍ରଭା ତାଣ୍ଡି ପେଷାରେ ଡ୍ରାଇଭର ଭାବେ କାର୍ଯ୍ୟରତ ନାଭିକ ତାଣ୍ଡି ଓ ସୁସ୍ମିତା ତାଣ୍ଡିଙ୍କ ସୁପୁତ୍ରୀ । ଅର୍ପିତା ଛତୁ ଚାଷ ଓ ବିକ୍ରି କରୁଥିବା ଜଣେ କ୍ଷୁଦ୍ର ବ୍ୟବସାୟୀ ମାୟାଧାର ବେହେରା ଓ ମଞ୍ଜୁବାଳା ବେହେରାଙ୍କ ସୁପୁତ୍ରୀ ।

ଉଭୟ ମେଧାବୀ ଛାତ୍ରୀ ୩ୟ ଶ୍ରେଣୀ ବୃତ୍ତି ପରୀକ୍ଷାରେ ଅବତୀର୍ଣ୍ଣ ହୋଇ ସ୍କ୍ରିନିଂ ଟେଷ୍ଟ ଓ ଚୂଡାନ୍ତ ପରୀକ୍ଷାରେ କୃତ କାର୍ଯ୍ୟ ହୋଇ ସୁନାମ ଅର୍ଜନ କରିଛନ୍ତି । ଉଭୟ ୨ ବର୍ଷ ପାଇଁ ମାସିକ ୧୦୦ ଟଙ୍କାର ଛାତ୍ରବୃତ୍ତି ପାଇବେ । କୃତୀ ଛାତ୍ରଛାତ୍ରୀମାନେ ବୃତ୍ତି ରାଶିକୁ ପାଠ୍ୟକ୍ରମରେ ଉପଯୋଗ କରିବେ ବୋଲି ଇଚ୍ଛାବ୍ୟକ୍ତ କରିଛନ୍ତି । ସୁପ୍ରଭା ଭବିଷ୍ୟତରେ ଜିଲାପାଳ ହୋଇ ଗରିବ ଲୋକଙ୍କୁ ସାହାଯ୍ୟ କରିବା ଲକ୍ଷ୍ୟ ରଖିଥିବା ବେଳେ ଅର୍ପିତା ଆଇପିଏସ୍ ଅଧିକାରୀ ହୋଇ ଶାନ୍ତି ଓ ନ୍ୟାୟ ପାଇଁ କାର୍ଯ୍ୟ କରିବା ପାଇଁ ଜୀବନରେ ଲକ୍ଷ୍ୟ ରଖିଛନ୍ତି ।

ଶିଳ୍ପ ସହରାଞ୍ଚଳର ଅବହେଳିତ ବର୍ଗର ପିଲାମାନଙ୍କୁ ମାଗଣାରେ ଶିକ୍ଷାଦାନ ଲକ୍ଷ୍ୟରେ ରାଉରକେଲା ଇସ୍ପାତ କାରଖାନା ଦ୍ୱାରା ୨୦୦୬ ମସିହାରେ ନିଃଶୁଳ୍କ ବିଦ୍ୟାଳୟ ଦୀପିକା ଇସ୍ପାତ ଶିକ୍ଷାସଦନ ସ୍ଥାପନା କରାଯାଇଥିଲା । ସ୍ଥାପନା ପରଠାରୁ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିଭିନ୍ନ ରାଜ୍ୟ ଓ ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଉଭୟ ପାଠ୍ୟ ଓ ପାଠ୍ୟୋତ୍ତର ବିଷୟକ୍ରମେ ଉକ୍ରର୍ଷତା ହାସଲ କରୁଛନ୍ତି ।

By amfnews

Related Post