Fri. Dec 27th, 2024

ଦିଲ୍ଲୀ ଦରବାରରେ ମହାରାଷ୍ଟ୍ର କସରତ, ସୋନିଆଙ୍କୁ ଭେଟିଲେ ଶରଦ, ଶାହଙ୍କୁ ସାକ୍ଷାତ କଲେ ଫଡନାଭିସ

By amfnews Nov 5, 2019 #Featured
125 Views

ମୁମ୍ୱାଇ: ମହାରାଷ୍ଟ୍ରରେ ବିଜେପି ଓ ଶିବସେନା ମଧ୍ୟରେ ଚାଲିଥିବା କ୍ଷମତା ଯୁଦ୍ଧ ଏବେ ଦିଲ୍ଲୀ ଦରବାରରେ ପହଞ୍ଚି ଯାଇଛି। ଦିଲ୍ଲୀ ଦରବାର ହିଁ ମହାରାଷ୍ଟ୍ର କିଏ ସରକାର ଗଠନ କରିବ ତା’ର ନିଷ୍ପତ୍ତି ନେବ। ମହାରାଷ୍ଟ୍ରବାସୀ ସରକାର ଗଠନ କରିବାକୁ କୌଣସି ଦଳକୁ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ଦେଇ ନଥିବାରୁ କିଏ ମୁଖ୍ୟମନ୍ତ୍ରୀ ହେବ ତା’କୁ ନେଇ ସସପେନ୍ସ ଦିନକୁ ଦିନ ବଢ଼ିବାରେ ଲାଗିଛି।

ତେବେ ସରକାର ଗଠନ କରିବା ପାଇଁ ସବୁ ଦଳ ସୁଯୋଗ ଅପେକ୍ଷାରେ ରହିଛନ୍ତି। ଏହିକ୍ରମରେ ଆଜି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କୁ ତାଙ୍କ ଦିଲ୍ଲୀସ୍ଥିତ ବାସଭବନରେ ସାକ୍ଷାତ କରିଛନ୍ତି। ସେ ଶାହଙ୍କ ସହ ମହାରାଷ୍ଟ୍ର ରାଜନୀତିକ ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି।

ସେହିପରି ଏନ୍‌ସିପି ମଧ୍ୟ ସରକାର ଗଠନ କରିବାକୁ କସରତ ଆରମ୍ଭ କରିଦେଇଛି। ଆଜି ଏନ୍‌ସିପି ମୁଖ୍ୟ ଶରଦ ପାୱାର ସହଯୋଗୀ କଂଗ୍ରେସ ମୁଖିଆ ସୋନିଆ ଗାନ୍ଧିଙ୍କୁ ସାକ୍ଷାତ କରିଛନ୍ତି। ସେ ସୋନିଆଙ୍କ ସହ ଦୀର୍ଘ ସମୟ ଦୀର୍ଘ ସମୟ ଧରି ମହାରାଷ୍ଟ୍ର ରାଜନୀତିକ ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ।

ସୋନିଆଙ୍କୁ ସାକ୍ଷାତ କରିବା ପରେ ଶରଦ ପାୱାର କହିଛନ୍ତି, “ମୁଁ ଆଜି କଂଗ୍ରେସ ମୁଖିଆଙ୍କୁ ଭେଟିଛି। ଦୁଇ ଦଳ ଆଗାମୀ ଦିନରେ ମହାରାଷ୍ଟ୍ରରେ କେଉଁ ଭଳି କାର୍ଯ୍ୟ କରିବେ ସେ ବିଷୟରେ ଆଲୋଚନା କରିଛି। ମୁମ୍ବାଇ କଂଗ୍ରେସ ଓ ଏନ୍‌ସିପି ନେତାମାନେ ଏ ସମ୍ପର୍କରେ ବିସ୍ତୃତ ଆଲୋଚନା କରିବେ। ଆମେ ଆଗକୁ କ’ଣ କରିବୁ, ତା’ ମଧ୍ୟ ଆଜିର ବୈଠକରେ ଆଲୋଚନା ହୋଇଛି। କଂଗ୍ରେସ ନେତୃବୃନ୍ଦ ଯେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ପୁଣିଥରେ ସବୁ କିଛି ବିଚାର କରିବେ ବୋଲି ମୋର ଆଶା।”

ଶିବସେନା ଓ ବିଜେପି ଏକାଠି ନିର୍ବାଚନ ଲଢ଼ୁଥିଲେ ହେଁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦୁଇ ସହଯୋଗୀଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଛି। ଏଥିଯୋଗୁ ଏଯାଏ ସରକାରୀ ଗଠନ କରିବା ପାଇଁ କୌଣସି ଦଳ ରାଜ୍ୟପାଳଙ୍କୁ ଦାବି ଜଣାଇ ପାରିନାହାନ୍ତି।

ଆଜି ମୁଖ୍ୟମନ୍ତ୍ରୀ ଫଡନାଭିସ୍‌ ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କୁ ଭେଟିବା ପରେ କହିଛନ୍ତି ଯେ “ମୁଁ ଆଜି ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ସହ ଚାଷୀ ସମସ୍ୟା ସମ୍ପର୍କରେ ଆଲୋଚନା କରିଛି। ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ମାନଙ୍କୁ କେମିତି ସହଯୋଗ କରାଯାଇ ପାରିବ ସେ ବିଷୟରେ ଆଲୋଚନା କରିଛି।” ମହାରାଷ୍ଟ୍ର ରାଜନୀତି ସମ୍ପର୍କରେ ମତ ଦେଇ ସେ କହିଛନ୍ତି, “ମହାରାଷ୍ଟ୍ର ରାଜନୀତି ବିଷୟରେ ମୁଁ କିଛି କହିବି ନାହିଁ। କିନ୍ତୁ ନୂଆ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଖୁବ୍‌ଶୀଘ୍ର ଆମେ ମହାରାଷ୍ଟ୍ରରରେ ସରକାର ଗଠନ କରିବୁ। ଏହାକୁ ନେଇ ମୁଁ ନିଶ୍ଚିତ ରହିଛି। ଏଥିରେ କେହି ବି ସନ୍ଦେହ ପ୍ରକାଶ କରିବା ଉଚିତ୍ ନୁହେଁ।”

ଅନ୍ୟପକ୍ଷରେ ଚଳିତ ବିଧାନସଭାର କାର୍ଯ୍ୟକାଳ ଶେଷ ହେବାକୁ ଆଉ ୫ ଦିନ ବାକି ରହିଛି। ନିର୍ବାଚନରେ ବିଜେପି ସର୍ବାଧିକ ଆସନ ଜିତିଥିଲେ ହେଁ ଶିବସେନା ସହଯୋଗ କରୁ ନଥିବାରୁ ଦଳ ସରକାରୀ ଗଠନ କରିବାକୁ ନେଇ ବ୍ୟାକଫୁଟରେ ରହିଛି। ଫଳାଫଳ ବାହାରିବା ପରେ ରାଜ୍ୟପାଳଙ୍କୁ ତିନି ଥର ଭେଟିଥିବା ଶିବସେନା ଆଜି ପୁଣିଥରେ ରାଜ୍ୟପାଳଙ୍କୁ ସାକ୍ଷାତ କରିଛି।

ଆଜି ଶିବସେନା ନେତା ସଞ୍ଜୟ ରାଉତ ଏବଂ ରାମଦାସ କଦମ ରାଜ୍ୟପାଳ ଭଗତ ସିଂହ କୋଶିୟାରୀଙ୍କୁ ଭେଟିଛନ୍ତି। ଭେଟଘାଟ ପରେ ସଞ୍ଜୟ ରାଉତ କହିଛନ୍ତି, ଶିବସେନା ଚାହୁଁଛି ରାଜ୍ୟରେ ସରକାର ଗଠନ କରିବା ପାଇଁ ଯେ କୌଣସି ଦଳ ଆଗକୁ ଆସନ୍ତୁ। ଆମେ ସରକାର ଗଠନ ପାଇଁ କଣ୍ଟା ହୋଇନାହୁଁ ବୋଲି ମୁଁ ରାଜ୍ୟପାଳଙ୍କୁ ଜଣାଇଛି। ଆମେ କାହାର ବି ଗତିରୋଧ କରିବାକୁ ଚାହୁଁନୁ।

ନିର୍ବାଚନ ଫଳାଫଳ ପରେ ରାଜ୍ୟର ପରିବର୍ତ୍ତୀତ ରାଜନୀତିକ ସ୍ଥିତି ବାବଦରେ ମଧ୍ୟ ମୁଁ ରାଜ୍ୟପାଳଙ୍କ ସହ ଆଲୋଚନା କରିଛି। ଯାହା ପାଖରେ ବହୁମତ ରହିବ ସେ ହିଁ ସରକାର ଗଢ଼ିବ। ରାଜ୍ୟପାଳଙ୍କୁ ମୁଁ ପରାମର୍ଶ ଦେଇପାରିବି ନାହିଁ। ସରକାର ଗଢ଼ିବା ପାଇଁ କାହାକୁ ଡକାଯିବ ସେ ନିଷ୍ପତ୍ତି ରାଜ୍ୟପାଳଙ୍କର ବୋଲି ସଞ୍ଜୟ ରାଉତ କହିଛନ୍ତି।

ମହାରାଷ୍ଟ୍ର ବିଧାନସଭାର ୨୮୮ଟି ଆସନରୁ ବିଜେପି ୧୦୫ଟି, ଶିବସେନା ୫୬, କଂଗ୍ରେସ ୪୪, ଏନସିପି ୫୪ ଓ ଅନ୍ୟାନ୍ୟ ଦଳ ୨୯ଟି ଆସନରେ ଜିତିଛନ୍ତି। ସରକାର ଗଢ଼ିବା ପାଇଁ ମ୍ୟାଜିକ ନମ୍ୱର ୧୪୫ ରହିଛି। କଂଗ୍ରେସ ଓ ଏନସିପି ମିଶି ୯୮ ଆସନ ଜିତିଛନ୍ତି। ତେଣୁ ଶିବସେନାକୁ ଏହି ଏନସିପି-କଂଗ୍ରେସ ମେଣ୍ଟ ସମର୍ଥନ କରିବ ତାହେଲେ ଶିବସେନା ସରକାର ଗଢ଼ିପାରିବ। ଏଥିସହ ୨୯ ଅନ୍ୟାନ୍ୟ ବିଧାୟକଙ୍କ ମଧ୍ୟରୁ କିଛି ଶିବସେନାକୁ ସମର୍ଥନ ଦେଇସାରିଛନ୍ତି।

By amfnews

Related Post