Sun. Nov 3rd, 2024

ଦିଲ୍ଲୀ ଚାଷୀ ଦଙ୍ଗା : ଫସିରହିଥିବା ଓଡ଼ିଆ କଳାକାର ଉଦ୍ଧାର

By amfnews Jan 27, 2021 #Featured
156 Views

ନୂଆଦିଲ୍ଲୀ, ଜାନୁଆରୀ ୨୭ : ଗତ କାଲି (୨୬ ଜାନୁଆରୀ) ସାଧାରଣତନ୍ତ୍ର ଦିବସ ରେ ରାଜଧାନୀ ଦିଲ୍ଲୀରେ ଚାଷୀଙ୍କ ଦ୍ୱାର ହୋଇଥିବା ଦଙ୍ଗା ପୁରା ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଟ୍ରାକ୍ଟର ରାଲି ବଦଳରେ କାଲି ଦିଲ୍ଲୀରେ ଦେଖିବାକୁ ମଳିଥିଲା ଟ୍ରାକ୍ଟର ଟେରର । ଗୋଟିଏ ପଟେ ଗଣତନ୍ତ୍ର ଦିବସର ପରେଡ୍ ଚାଲିଥିଲା ଓ ଅନ୍ୟପଟେ ଆନ୍ଦୋଳନରତ ଚାଷୀଙ୍କ ବିକ୍ଷୋଭ ପୁରା ରାଜଧାନୀକୁ ଅଶାନ୍ତ କରିଦେଇଥିଲା ।

ସ୍ଥିତି ଧିରେ ଅସମ୍ଭାଳ ହେବାରୁ ଦିଲ୍ଲୀ ପୋଲିସ୍ ଓ ଆନ୍ଦୋଳନକାରୀ ମୁହାଁମୁହିଁ ମଧ୍ୟ ହୋଇଥିଲେ । ଯାହାଫଳରେ ଗତ କାଲି ରାଜପଥରେ ପରେଡ୍ ରେ ଭାଗ ନେଇଥିବା ବିଭିନ୍ନ ସାଂସ୍କୃତିକ ଦଳ କଳା ପରିବେଷଣ ସାରି ନିଜ ନିଜ ଗନ୍ତବ୍ୟସ୍ଥଳକୁ ଫେରୁଥିବା ବେଳେ ସେହି ଦଙ୍ଗା ସମୟରେ ଦୀର୍ଘ ସମୟ ଧରି ଫସି ରହିଥିଲେ । ଏମାନଙ୍କ ମଧ୍ୟରେ ଓଡ଼ିଆ କଳାକାର ବା ଓଡ଼ିଶାର ଲୋକକଳା ବାଜାସାଲ ନୃତ୍ୟ ପରିବେଷଣ କରିବାକୁ ଯାଇଥିବା କଳାକାର ମାନେ ମଧ୍ୟ ଫସି ରହିଥିଲେ । ଏମାନଙ୍କ ସହିତ ଅନ୍ୟ କିଛି ଓଡ଼ିଆ କଳାକାରଙ୍କ ସହିତ କିଛି ଛାତ୍ରଛାତ୍ରୀ ମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ଏହି ଦଙ୍ଗା ଭିତରେ ଫସିରହିଥିଲେ ।

ତେବେ ଦୀର୍ଘ ୫ଘଣ୍ଟା ଧରି ଚାଷୀଙ୍କ ବିକ୍ଷୋଭ ପ୍ରଦର୍ଶନ ପରେ ପରିସ୍ଥିତି ଶାନ୍ତ ପଡିବା ପରେ ପ୍ରାୟ ୩୦୦ରୁ ଉର୍ଦ୍ଧ୍ୱ କଳାକାରଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି । ଦଙ୍ଗାରେ ଫସି ରହିଥିବା କଳାହାଣ୍ଡିର ଓଡ଼ିଆ କଳାକାର ମାନଙ୍କୁ ମଧ୍ୟ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।

ଚାଷୀ ମାନଙ୍କ ହଙ୍ଗାମା ମଧ୍ୟରେ ଦିନ ୧୨ ଠାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଏମାନେ ଦଙ୍ଗା ମଧ୍ୟରେ ଫସି ରହିଥିଲେ । ଏହାପରେ ସେମାନଙ୍କୁ ଉଦ୍ଧାର କରାଯାଇ ଦରିଆଗଞ୍ଜ ସ୍ଥିତ ଏକ ମେସ୍ ରେ ରଖାଯାଇଥିବା ଜଣା ପଡିଛି ।

By amfnews

Related Post