Tue. Dec 24th, 2024

ଦିଲ୍ଲୀରେ କରୋନା: ସେପ୍ଟେମ୍ବରରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି, ୨୦୦୦ କଣ୍ଟେନମେଣ୍ଟ ଜୋନ ଚିହ୍ନଟ

By amfnews Sep 25, 2020 #Featured
151 Views

ନୂଆଦିଲ୍ଲୀ, ସେପ୍ଟେମ୍ବର ୨୫ : ଜାତୀୟ ରାଜଧାନୀ ଦିଲ୍ଲୀରେ ପୁଣି ଥରେ କରୋନା ଭାଇରସ ଅଧିକ ବ୍ୟାପିବାରେ ଲାଗିଛି । ମଝିରେ କରୋନା ସଂକ୍ରମିତ ସଂଖ୍ୟା ଦିନକୁ ୧ ହଜାର ତଳକୁ ରହୁଥିଲା । ଏବେ କିନ୍ତୁ ପୁଣି ଥରେ ବଢ଼ିବାରେ ଲାଗିଛି । କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବଢ଼ିବାରୁ ଗୁରୁବାର ରାଜଧାନୀରେ କଣ୍ଟେନମେଣ୍ଟ ଜୋନ ସଂଖ୍ୟା ୨୦୦୦ରେ ପହଂଚିଛି । ଦିଲ୍ଲୀରେ କଣ୍ଟେନମେଣ୍ଟ ଜୋନ ଗୋଟିଏ ପରେ ଗୋଟିଏ ଶେଷ କରି ଦିଆଯାଉଥିଲା । ଏକ ମାସ ମଧ୍ୟରେ ଦିନକୁ ହାରାହାରି  ୪୦ଟି ରେଡ ଜୋନ ଚିହ୍ନଟ କରାଯାଇଛି ।

ଦିଲ୍ଲୀ ସରକାରଙ୍କ ଦ୍ୱାରା ଗତକାଲି ଦିଆଯାଇଥିବା ତଥ୍ୟ ଅନୁସାରେ ୨୪ ଘଣ୍ଟା ମଧ୍ୟରେ ୩ ହଜାର ୮୩୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୬ ଜଣଙ୍କର ମୃତ୍ୟୁ ହୋଇଛି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗୁରୁବାର କହିଛନ୍ତି, ସଂକ୍ରମିତଙ୍କ ସଂଖ୍ୟା ବଢ଼ିଥିବାରୁ ଟେଷ୍ଟିଂ ବଢ଼ାଇ ଦିଆଯାଇଛି । ସେ କହିଛନ୍ତି ଦିଲ୍ଲୀରେ ଏବେ ଦିନକୁ ୬୦ ହଜାର ଲୋକଙ୍କ ନମୁନା ପରୀକ୍ଷା କରାଯିବ । ଏବେ ଦିଲ୍ଲୀରେ କରୋନା ଦ୍ୱିତୀୟ ଥର ପାଇଁ ପିକରେ ରହିଛି । ଅଗଷ୍ଟରେ ଦିଲ୍ଲୀରେ ୫୫୦ କଣ୍ଟେନମେଣ୍ଟ ଜୋନ ଥିଲା ।

ସ୍ୱାସ୍ଥ୍ୟ ବିଭାଗ ଅନୁସାରେ ଦିଲ୍ଲୀରେ ମୋଟ ସକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୬୯ ହଜାର ୬୨୩ । ଏଥିରୁ ୨ ଲକ୍ଷ ୨୪ ହଜାର ୨୭୫ ଜଣ ସୁସ୍ଥ ହୋଇଥିବା ବେଳେ ସୁସ୍ଥତା ହାର ୮୫ ପ୍ରତିଶତ ହୋଇଛି । ଏପର୍ଯ୍ୟନ୍ତ ୫୧୨୩ ଜଣଙ୍କର ମୃତ୍ୟୁ ହୋଇଛି । ବିଗତ ଏକ ସପ୍ତାହ ମଧ୍ୟରେ ଦୈନିକ ମୃତ୍ୟୁ ହାର ୩୫ ରହୁଛି ।

By amfnews

Related Post