Wed. Jan 15th, 2025

ଦିଲ୍ଲୀରେ ଓଡ଼ିଶାର ୧୫ କଂଗ୍ରେସ କର୍ମୀଙ୍କ ମେଳି

By amfnews Nov 20, 2019 #Featured
80 Views

ନୂଆଦିଲ୍ଲୀ: ଦିଲ୍ଲୀରେ ରାଜ୍ୟ କଂଗ୍ରେସର ୧୫ ଜଣ କର୍ମୀ ଓଡ଼ିଶା କଂଗ୍ରେସକୁ ମଜବୁତ କରିବା ଉଦ୍ଦେଶ୍ୟରେ କେନ୍ଦ୍ରୀୟ ନେତୃତ୍ବ ସହିତ ଆଲୋଚନା ସକାଶେ ଆସିଥିବାର ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି। କଂଗ୍ରେସ କର୍ମୀ ମାନଙ୍କୁ ଆଜି ଏଆଇସିସି ପରିସରରେ ଦେଖିବାକୁ ମିଳିଥିଲା। ଦିଲ୍ଲୀ ପହଞ୍ଚିଥିବା କଂଗ୍ରେସ କର୍ମୀମାନେ ଦାବି କରିଛନ୍ତି ସେମାନେ ଆଜି ଏଆଇସିସି ର ସାଧାରଣ ସମ୍ପାଦକ କେ ସି ବେଣୁଗୋପାଳଙ୍କୁ ସାକ୍ଷାତ କରିଛନ୍ତି। ଏତଦ୍ ବ୍ୟତୀତ ଗୁଜୁରାଟ ପ୍ରଭାରୀ ରାଜିବ ଜାଟବ୍, କଂଗ୍ରେସ ସାଂସଦ ବି କେ ହରିପ୍ରସାଦ ଓ କଂଗ୍ରେସର ବରିଷ୍ଠ ନେତା ଜଗଦୀଶ ଟାଇଟଲରଙ୍କୁ ମଧ୍ୟ ସାକ୍ଷାତ କରି ଓଡ଼ିଶାରେ ଦଳକୁ ସୁଦୃଢ କରିବା ପାଇଁ ସେମାନଙ୍କର ସହଯୋଗ ଲୋଡ଼ିଥିବାର ପ୍ରକାଶ କରିଥିଲେ। କଂଗ୍ରେସ କର୍ମୀମାନଙ୍କର କହିବା ଅନୁସାରେ ସେମାନେ କଂଗ୍ରେସର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ମଧ୍ୟ ଭେଟିବା ପାଇଁ ସମୟ ମାଗିଛନ୍ତି। ହେଲେ ସେମାନଙ୍କୁ ବର୍ତ୍ତମାନ ସୁଦ୍ଧା ସମୟ ମିଳିନଥିବା କହିଛନ୍ତି।

ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂହ ସହତି ସେମାନଙ୍କ ସାକ୍ଷାତ ହୋଇପାରିନଥିବାର ସେମାନେ କହିଛନ୍ତି। ଏତଦ୍ ବ୍ୟତୀତ ଅନ୍ୟାନ୍ୟ ବରିଷ୍ଠ କେନ୍ଦ୍ରୀୟ ନେତାଙ୍କୁ ସମୟ ମାଗି ସେମାନଙ୍କ ସହିତ ବିଚାର ବିମର୍ଷ କରିବେ ବୋଲି କହିଛନ୍ତି। ବର୍ତ୍ତମାନ ରାଜ୍ୟରେ କଂଗ୍ରେସର ଅବସ୍ଥା ଶୋଚନୀୟ ଅଛି ଏବଂ ଓଡ଼ିଶାରେ ଦୃଢ ନେତୃତ୍ବର ଆବଶ୍ୟକତା ଅଛି ବୋଲି ସେମାନେ କହିଥିଲେ। ବର୍ତ୍ତମାନ ଓଡ଼ିଶାରେ ଅନ୍ତରୀଣ ପିସିସି ସଭାପତି ଅଛନ୍ତି, ସ୍ଥାୟୀ ପିସିସି ସଭାପତିଙ୍କ ଆବଶ୍ୟକ ରହିଛି, ଯାହାଦ୍ବାରା ରାଜ୍ୟରେ ସଂଗଠନ ମଜବୁତ୍ ହୋଇ ଶାସକ ଦଳ ବିଜେଡି ସହିତ ଲଢେଇ ପାଇଁ ସକ୍ଷମ ହେବ ବୋଲି ପ୍ରଦେଶ କଂଗ୍ରେସ ମାନବାଧିକାର ବିଭାଗର କାର୍ଯ୍ୟକାରୀ ଅଧ୍ୟକ୍ଷ ମହମଦ ଆରିଫ ଉଦ୍ଦିନ ଖାନ କହିଥିଲେ। ଦିଲ୍ଲୀରେ ଡେରା ପକେଇଥିବା କଂଗ୍ରେସ କର୍ମୀଙ୍କ ମଧ୍ୟରେ ପ୍ରଦୀପ ମହାପାତ୍ର, ଦୀପକ ପରିଡ଼ା, ସତ୍ୟାନନ୍ଦ ରାଉତ, ସୁବ୍ରତ ଦାସ, ନିକୁଞ୍ଜ ପସାୟତ, ବିଶ୍ବଜୀତ ଦାସ, ଅବଦୁଲ ବାରିକ୍, ତ୍ରିଲୋଚନ ମହାନ୍ତି, ସନ୍ତୋଷ ବଳ, ତାପସ ମିଶ୍ର ପ୍ରମୁଖ ସାମିଲ ଅଛନ୍ତି।

By amfnews

Related Post