Sun. Mar 8th, 2026

ଦିନ ଦ୍ବିପ୍ରହରରେ ଦୁର୍ବୃତ୍ତଙ୍କ ଆତଙ୍କ :ଖଣ୍ଡା ଚୋଟରେ ଯୁବକ ରକ୍ତାକ୍ତ

166 Views

ପୁରୀ  : ପୁଣି ଦୁର୍ବୃତ୍ତଙ୍କ ଆତଙ୍କରାଜ।  ଦିନ ଦ୍ବିପ୍ରହରରେ ଦୁଇ ଜଣ ଯୁବକ ଜେଲ୍ ରୋଡ୍‌ରେ ଆତଙ୍କ ସୃଷ୍ଟି କରିବା ସହ ଜଣେ ଯୁବକଙ୍କୁ ଖଣ୍ଡାରେ ହାଣି ଲହୁଲୁହାଣ କରିଛନ୍ତି। ଏହି ଆକ୍ରମଣରେ କୁମ୍ଭାରପଡ଼ା ଥାନା ଜାଇଗଡ଼ ଯାଗା ଅଞ୍ଚଳର ସେକ୍ ସାବ (୩୫) ଗୁରୁତର ଆହତ ହୋଇଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଶୁ ଚିକିତ୍ସା ପରେ ତାଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି। ମିଳିଥିବା ସୂଚନା ମୁତାବକ, ରବିବାର ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ସେକ୍ ସାବ ସେହି ଅଞ୍ଚଳର ରୋଡ୍ ପାର୍କିଂରେ ବସିଥିଲେ। ଏତିକି ବେଳେ ନରେନ୍ଦ୍ରକୋଣ ହରିଜନ ବସ୍ତିର ମାନସ ଓ ବାଟୁଆ ନାମକ ଦୁଇ ଜଣ ଯୁବକ ଦୁଇଟି ଖଣ୍ଡା ଧରି ସେଠାରେ ପହଞ୍ଚିଥିଲେ।

ସେକ୍ ସାବ କିଛି ବୁଝିବା ପୂର୍ବରୁ ତାଙ୍କୁ ଏହି ଦୁଇ ଜଣ ଖଣ୍ଡାରେ ଆକ୍ରମଣ କରିଥିଲେ। ସେକ୍ ସାବ ହାତ ଦେଖାଇ ଦେବାରୁ ‌ଖଣ୍ଡା ଚୋଟ ତାଙ୍କର ଦୁଇ ହାତରେ ବସିଥିଲା। ଜୀବନ ବିକଳରେ ସେ ଦୌଡ଼ିବା ବେଳେ ତାଙ୍କ ଗୋଡ଼କୁ ହାଣି ପକାଇଥିଲେ ଦୁର୍ବୃତ୍ତ। କୌଣସି ପ୍ରକାର ସେକ୍ ନିଜ ଜୀବନ ବଞ୍ଚାଇବାରେ ସମର୍ଥ ହୋଇଥିବା ବେଳେ ଦୁର୍ବୃତ୍ତଦ୍ବୟ ସେଠାରୁ ଫେରାର ହୋଇ ଯାଇଥିଲେ। ପରେ ସ୍ଥାନୀୟ ଲୋକମାନେ ସେକ୍‌ଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସ୍ବାସ୍ଥ୍ୟବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି। ଅନ୍ୟପଟେ ଏହି ଘଟଣାକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି। କୁମ୍ଭାରପଡ଼ା ଥାନା ନିକଟରେ ଥିବା ନରେନ୍ଦ୍ରକୋଣ ହରିଜନ ବସ୍ତି ଏବଂ ଜାଇଗଡ଼ ଯାଗା ଅଞ୍ଚଳ ରହିଥିବା ବେଳେ ସେକ୍‌ଙ୍କୁ କେଉଁ କାରଣରୁ ମରଣାନ୍ତକ ଆକ୍ରମଣ କରାଗଲା ସେ ନେଇ ଛାନ୍‌ଭିନ୍ ଚଳାଇଛି ପୁଲିସ।

By amfnews

Related Post