Fri. Mar 6th, 2026

ଦକ୍ଷିଣ ମେକ୍ସିକୋରେ ଶକ୍ତିଶାଳୀ ଭୂମିକମ୍ପ ଯୋଗୁଁ ଛଅଜଣ ମୃତ

512 Views

ମେକ୍ସିକୋ: ମଙ୍ଗଳବାର ଦିନ ଦକ୍ଷିଣ ମେକ୍ସିକୋର ପ୍ରଶାନ୍ତ ମହାସାଗର ଉପକୂଳରେ ୭. ୪ ତୀବ୍ରତାସମ୍ପନ୍ନ ଭୂମିକମ୍ପ ସଂଘଠିତ ହେବାରୁ ଦୂରାନ୍ତର ଗ୍ରାମମାନଙ୍କରେ ଅନ୍ୟୂନ ଛଅ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟାନ୍ୟ ଅନେକ ସାଙ୍ଘାତିକ ଆହତ ହୋଇଛନ୍ତି। ଭୂମିକମ୍ପର ପ୍ରଭାବରେ ଶହ ଶହ ମାଇଲ୍ ଦୂରରେ ଅବସ୍ଥିତ ମେକ୍ସିକୋ ସହରର ଅନେକ ଅଟ୍ଟାଳିକା ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।

ଭୂମିକମ୍ପ ପରେ ସମ୍ପୃକ୍ତ ଅଞ୍ଚଳରେ ସୁନାମି ଆସିବାର ସତର୍କ ସୂଚନା ଦିଆଯାଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ତାହା ପ୍ରତ୍ୟାହାର କରି ନିଆଯାଇଥିଲା।

ଏହି ଭୂମିକମ୍ପର ଉତ୍ପତ୍ତିସ୍ଥଳ ହେଉଛି ଦକ୍ଷିଣପୂର୍ବ ରାଜ୍ୟ ଓହାକା ଅନ୍ତର୍ଗତ କ୍ରୁଏସିଆ ନିକଟବର୍ତ୍ତୀ ଅଞ୍ଚଳ। ଏହି କମ୍ପନ ଏଡ଼େ ତୀବ୍ର ଥିଲା ଯେ, ୭୦୦ କିଲୋମିଟର ଦୂର ମେକ୍ସିକୋରେ କମ୍ପନ ଅନୁଭୂତ ହୋଇଥିଲା।

ମୃତାହତ ହୋଇଥିବା ଜନସାଧାରଣ ଓହାକା ଅଞ୍ଚଳର। ପାହାଡ଼ୀ ରାଜ୍ୟ ଓହାକା କଫି, ମେଜ୍‌କାଲ୍ ସୁରା ଏବଂ ସ୍ପେନୀୟ ଉପନିବେଶ ସ୍ଥାପତ୍ୟ ପାଇଁ ପ୍ରସିଦ୍ଧ।

ଭୂକମ୍ପନ୍ନ ଯୋଗୁଁ ସେ ଅଞ୍ଚଳର ପ୍ରାୟ ୨୦୦ ଘର ନଷ୍ଟ ହୋଇଯାଇଛି। ସେଥିରୁ ୩୦ଟି ଘରର ଅବସ୍ଥା ଅତି ଖରାପ ବୋଲି ଜଣେ ସ୍ଥାନୀୟ ସରକାରୀ ଅଧିକାରୀ କହିଛନ୍ତି।

ଏହାଛଡ଼ା ମେକ୍ସିକୋ ସହରରେ ୩୦ଟି କୋଠାଘର କ୍ଷତିଗ୍ରସ୍ତ ହେବା ସହ ୨ଜଣ ଲୋକ ଆହତ ହୋଇଛନ୍ତି।

 

By amfnews

Related Post