Sun. Mar 8th, 2026

ତେଲେଙ୍ଗାନାରେ ଫସି ରହିଛନ୍ତି ବାଲେଶ୍ବରର ୫୦ ଦିନ ମଜୁରିଆ

176 Views

ବାଲେଶ୍ବର: ଏକ ଘରୋଇ ସଂସ୍ଥାରେ କାମ କରିବାକୁ ଯାଇ ତେଲେଙ୍ଗାନା ରାଜ୍ୟର ରାଙ୍ଗାରେଡ୍ଡି ଜିଲ୍ଲା ଅନ୍ତର୍ଗତ ନରସିଂହ ଥାନା ଅଞ୍ଚଳରେ ବାଲେଶ୍ବର ଜିଲ୍ଲା ବାଲିଆପାଳ ଓ ବସ୍ତା ଅଞ୍ଚଳର ୫୦ ଜଣ ଦିନ ମଜୁରିଆ ଅଟକି ରହିଛନ୍ତି। ସେଥିରୁ ୧୦ ଜଣ ମହିଳା ଓ ୪/୫ ଜଣ କୁନି ପିଲା ଥିବା କୁହାଯାଇଛି।

କରୋନା ପାଇଁ ଦେଶବ୍ୟାପୀ ଲକଡାଉନ ଘୋଷଣା ହେବା ଦିନଠାରୁ ସେମାନେ ସେଠାରେ ଫସି ରହିଛନ୍ତି। ସମ୍ପୃକ୍ତ ସଂସ୍ଥା କିମ୍ବା ସ୍ଥାନୀୟ ପ୍ରଶାସନ ସେମାନଙ୍କ ଦୁଃଖକଷ୍ଟ କିଛି ବୁଝୁନାହାନ୍ତି। ସମସ୍ତଙ୍କୁ ଘରକୁ ଫେରାଇ ଆଣିବା ପାଇଁ ବାଲେଶ୍ବର ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ସେମାନଙ୍କ ପରିବାର ଲୋକ ନିବେଦନ କରିଛନ୍ତି।


ଅଟକି ରହିଥିବା ଉକ୍ତ ଶ୍ରମିକମାନେ ପାଞ୍ଚମାସ ପୂର୍ବରୁ ତେଲେଙ୍ଗାନାକୁ ଦିନ ମଜୁରିଆ ଭାବେ କାମ କରିବାକୁ ଯାଇଥିଲେ। ଲକଡାଉନ ଘୋଷଣା ହେବା ପରେ ସେମାନେ କାମ କରୁଥିବା ସମ୍ପୃକ୍ତ ସଂସ୍ଥାର ମାଲିକ ତାଲା ପକାଇ ପଳାଇ ଯାଇଛନ୍ତି। ଫଳରେ ନା ଏମାନେ ଠିକ୍ ଭାବେ ଗଣ୍ଡେ ଖାଇପାରୁଛନ୍ତି, ନା ସେଠାରେ ରହିପାରୁଛନ୍ତି। ପାଖରେ ପଇସାପତ୍ର ସରି ଆସୁଥିବା ବେଳେ ରାତିଦିନ ଭୋକ ଉପାସରେ ଦିନ କାଟୁଛନ୍ତି। ସେଠାକାର ପ୍ରଶାସନ ଓ ସମ୍ପୃକ୍ତ ସଂସ୍ଥା ପକ୍ଷରୁ ସେମାନେ କୌଣସି ପ୍ରକାର ସହଯୋଗ ପାଇ ପାରୁ ନଥିବା ହେତୁ ଘରକୁ ଫେରି ପାରୁନଥିବା କହିଛନ୍ତି।

By amfnews

Related Post