Sun. Jan 12th, 2025

ତାମନପାଲି ଶିଶୁ ମୃତ୍ୟୁ ଘଟଣା; କୋରାପୁଟରୁ ଗଲା ମେଡିକାଲ ଟିମ୍‌

By amfnews Nov 11, 2019 #Featured
141 Views

ମାଲକାନଗିରି ; ୩ ବର୍ଷ ପୂର୍ବେ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକରେ ଜାପାନିଜ ଏନ୍ସେଫାଲାଇଟିସ୍ ରୋଗରେ ୧୦୦ରୁ ଅଧିକ ଶିଶୁଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣା ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା।  ଏହି ଦୁଃଖ ମନରୁ ନ ଲିଭୁଣୁ ପୁଣି ଥରେ ଦେଖାଦେଲାଣି ଅଜଣା ରୋଗ ଆତଙ୍କ। ଏଥର ୧୫ ଦିନରେ ଆଖି ବୁଜିଲେଣି ୬ ଶିଶୁ।  ଆହୁରି ୭ ଶିଶୁ ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି।

ଏହି ଖବର ପ୍ରଚାରିତ ହେବା ପରେ କାଲିମେଳା ବ୍ଲକ MV-୭୯ ତାମନପପାଲିରେ ପହଞ୍ଚିଛନ୍ତି ଡାକ୍ତରୀ ଦଳ।  କୋରାପୁଟ୍ ମେଡିକାଲରୁ ଯାଇଥିବା ସ୍ୱତନ୍ତ୍ର ଡାକ୍ତରୀ ଦଳ ଅସୁସ୍ଥମାନଙ୍କ ଚିକିତ୍ସା ଆରମ୍ଭ କରିଦେଇଛନ୍ତି। ଗୁରୁତରମାନଙ୍କୁ ଏବେ ସଦର ମହକୁମା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଏହି ଡାକ୍ତରୀ  ଦଳ  ଗାଁରେ  ୭ ଦିନ ରହି ଅସୁସ୍ଥମାନଙ୍କ ଚିକିତ୍ସା କରିବେ। ଡାକ୍ତଙ୍କ କହିବାନୁଯାୟୀ, ପାଗ ପରିବର୍ତ୍ତନ ହେତୁ ଶିଶୁଙ୍କୁ ଏପରି ଜ୍ୱର  ହେଉଛି। ରକ୍ତ ନମୁନା ସଂଗ୍ରହ କରାଯାଇଛି। ରିପୋର୍ଟ ଆସିଲେ କାରଣ ଜଣାପଡ଼ିବ।

ସୂଚନାଯୋଗ୍ୟ ଯେ, ଗତ ୧୫ ଦିନ ଭିତରେ ୧ ବର୍ଷରୁ କମ୍ ବୟସର ଶିଶୁମାନେ ଜ୍ୱରରେ ଆକ୍ରାନ୍ତ ହେବା ସହ ସେମାନଙ୍କଠାରେ ଅସ୍ୱାଭାବିକ ଲକ୍ଷଣ ଦେଖାଦେଇଥିଲା।  ଶିଶୁଙ୍କୁ ଜ୍ୱର, କାଶ, ଥଣ୍ଡା ଏବଂ ବାରମ୍ବାର ବାନ୍ତି ହେଉଥିଲା । ଏଥିରେ ୬ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଆଉ ୭ ଜଣ ଆକ୍ରାନ୍ତ ହୋଇଛନ୍ତି।

ଏହି ଅଜଣା ରୋଗ ବ୍ୟାପିବା ହେତୁ ତାମନପାଲି ସମେତ ଆଖପାଖ ଗାଁରେ ମଧ୍ୟ ଭୟର ବାତାବରଣ ଖେଳି ଯାଇଛି।

By amfnews

Related Post