Sun. Mar 8th, 2026

ତାମନପାଲି ଗାଁରେ ୧୫ ଦିନରେ ୬ ଶିଶୁଙ୍କ ମୃତ୍ୟୁ

179 Views

ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ୍‌ର ତାମନପାଲି ଗାଁରେ ଅଜଣା ରୋଗର ଆତଙ୍କ ଦେଖାଦେଇଛି। ଗତ ୧୫ ଦିନ ମଧ୍ୟରେ ଗାଁରେ ଅଜଣା ରୋଗରେ ୬ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଆକ୍ରାନ୍ତ ହୋଇଛନ୍ତି। ଏନେଇ ଖବର ପାଇ ଡାକ୍ତରୀ ଟିମ୍‌ ଗାଁରେ ପହଞ୍ଚି  ଚିକିତ୍ସା ଆରମ୍ଭ କରିଛନ୍ତି। ତା’ସହିତ ଯେଉଁମାନଙ୍କ ଅବସ୍ଥା ଗୁରୁତର ରହିଛି, ସେମାନଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଛି।

ଗାଁ ଲୋକଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରଥମେ ଶିଶୁଙ୍କୁ ଥଣ୍ଡା, ଜର, ବାନ୍ତି ଏବଂ କାଶ ହେବା ପରେ ଦୁଇରୁ ତିନି ଦିନ ମଧ୍ୟରେ ସେମାନଙ୍କ ମୁତ୍ୟୁ ଘଟୁଛି। ତେବେ ପାଗରେ ପରିବର୍ତ୍ତନ ଯୋଗୁ ପିଲାଙ୍କୁ ଏଭଳି ଜର ହେଉଥିବା ଡାକ୍ତର କହିଛନ୍ତି। ଶିଶୁମାନଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇଛି। ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡ଼ିବ।

ଏହି ଘଟଣା ପରେ ତାମନପାଲୀ ଗାଁରେ ଭୟର ଆତଙ୍କ ଦେଖିବାକୁ ମିଳିଛି। ଏମିତିକି ଆଖପାଖ ଗାଁଲୋକେ ମଧ୍ୟ ଭୟଭୀତ ହୋଇପଡ଼ିଛନ୍ତି। ଗତ ଦୁଇ ବର୍ଷ ତଳେ ଜିଲ୍ଲାରେ ଜାପାନୀ ଏନ୍‌ସେଫାଲାଇଟିସ୍‌ ରୋଗରେ ୧୦୦ରୁ ଅଧିକ ଶିଶୁଙ୍କ ମୃତ୍ୟୁ ଘଟିଥିଲା।

By amfnews

Related Post