Sat. Mar 7th, 2026

ତମିଆ-ମୁଦଲସର ସୁକତେଲ ପୋଲ ଭୁଶୁଡ଼ିବା ଘଟଣାରେ ନିର୍ବାହୀ ଯନ୍ତ୍ରୀ ଆନ୍ଥୋନି କିଶାନ ସସପେଣ୍ଡ୍

230 Views

ବଲାଙ୍ଗୀର/ପାଟଣାଗଡ଼ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ତମିଆ-ମୁଦଲସର ସୁକତେଲ ପୋଲ ଭୁଶୁଡ଼ିବା ଘଟଣାରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏହି ମାମଲାରେ ପାଟଣାଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ ଆନ୍ଥୋନି କିଶାନଙ୍କୁ ସସପେଣ୍ଡ କରାଯାଇଛି। ତାଙ୍କ ସ୍ଥାନରେ ବଲାଙ୍ଗୀର ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ ରାଜେନ୍ଦ୍ର ପ୍ରସାଦ ଆଚାର୍ଯ୍ୟଙ୍କୁ ଅତିରିକ୍ତ ଦାୟିତ୍ବ ଦିଆଯାଇଛି।

କିନ୍ତୁ ସରକାର ଏଯାଏଁ ପ୍ରକୃତ ଦୋଷୀ ବୋଲି କୁହାଯାଉଥିବା ରାମକୁମାର ଅଗ୍ରୱାଲ ଇଞ୍ଜିନିୟରିଂ ପ୍ରାଇଭେଟ ଲିମିଟେଡର ଠିକାଦାର ସଞ୍ଜୟ ଅଗ୍ରୱାଲଙ୍କୁ ଗିରଫ କରି ନ ଥିବା ହେତୁ ଏହି ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି। ଖାଲି ସେତିକି ନୁହେଁ ଏହି କାମ ତଦାରଖ କରୁଥିବା ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀଙ୍କ ବିରୁଦ୍ଧରେ କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି, ତା’ଉପରେ ବି ରହିଛି ଲୋକଙ୍କ ନଜର।

ସୂଚନାଯୋଗ୍ୟ, ଗତ ଏପ୍ରିଲ ୨୯ ତାରିଖରେ କାମ ଚାଲୁଥିବା ସମୟରେ ପାଟଣାଗଡ଼ ତମିଆ-ମୁଦଲସର ପୋଲ ଭୁଶୁଡ଼ି ପଡ଼ିଥିଲା। ଏହି ଦୁର୍ଘଟଣାରେ ଦୁଇ ଶ୍ରମିକଙ୍କ ମୃତ୍ୟୁ ମଧ୍ୟ ହୋଇଥିଲା ଏହାପରେ ପୁଲିସ ସ୍କାନରକୁ ଆସିଥିଲେ ରାମକୁମାର ଅଗ୍ରୱାଲ ଇଞ୍ଜିନିୟରିଂ ପ୍ରାଇଭେଟ ଲିମିଟେଡର ଠିକାଦାର ସଞ୍ଜୟ ଅଗ୍ରୱାଲ।

ସଞ୍ଜୟ ଅଗ୍ରଓ୍ବାଲ

ଖୋଦ୍‌ ଉତ୍ତରାଞ୍ଚଳ ଡିଆଇଜି ଘଟଣା ଦିନ ହିଁ ଠିକାଦାରଙ୍କୁ ଗିରଫ କରିବାକୁ ନିର୍ଦେଶ ଦେଇଥିଲେ। ହେଲେ ଏବେ ପଦାରେ ପଡ଼ିଛି ବଲାଙ୍ଗୀର ପୁଲିସର ପାରିବାପଣିଆ। ପ୍ରାୟ ୧୦ ଦିନ ପରେ ବି କୋଟିପତି ଠିକାଦାର ସଂଜୟ ଅଗ୍ରୱାଲଙ୍କୁ ଖୋଜି ପାଉନି ପୁଲିସ। ଲକ୍‌ଡାଉନ୍‌ ସମୟରେ ସାଧାରଣ ଲୋକଟିଏ ଘରୁ ବାହାରିଲେ ଛକ ଛକରେ ପୁଲିସର ଛାନଭିନ୍‌ ଚାଲିଛି। କିନ୍ତୁ ତାଲାବନ୍ଦ ସମୟରେ ପୁଲିସର ବାଡ଼ ଡେଇଁ ଫେରାର ହେବାରେ ସଫଳ ହୋଇଛନ୍ତି କୋଟିପତି ଠିକାଦାର। ସେ ହାତପାଆନ୍ତାରେ ଥିଲା ସମୟରେ ପୁଲିସ ଚୁପ୍‌ ଥିଲା। ଏବେ ଅଭିଯୁକ୍ତଙ୍କୁ ଧରିବାକୁ ଷ୍ଟଣ୍ଟ୍‌ ସୋ’ କରୁଛି ପୁଲିସ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

By amfnews

Related Post