Sat. Mar 7th, 2026

ତଥାପି ଅସନ୍ତୋଷ ଝାଡ଼ିଲେ ବିରୋଧୀ, ସ୍ମିତାରାଣୀ ପ୍ରସଙ୍ଗରେ ଗୃହରେ ଥୋଇଲେ ପୁଳା ପୁଳା ପ୍ରଶ୍ନ

150 Views

ଭୁବନେଶ୍ବର: ଯଦି ରଙ୍ଗଶାଳାକୁ ୨୦୧୮ ମସିହା ଅଗଷ୍ଟରୁ ଭାଙ୍ଗି ଦିଆଯାଇଛି, ତେବେ ସେ ଘରେ ଆତ୍ମହତ୍ୟା କେମିତି କଲା? ଜଣେ ଆତ୍ମହତ୍ୟା ଦୁଆର ଦେଇ କରେ। ଦୁଆର ଖୋଲି କେହି ଆତ୍ମହତ୍ୟା କରିବାର ନଜିର ଅଛି କି? ସ୍ମିତାରାଣୀ ହତ୍ୟା ମାମଲା ସଂପର୍କରେ ଏମିତି ପୁଳା ପୁଳା ପ୍ରଶ୍ନ ପଚାରି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ନିଜ ଅସନ୍ତୋଷ ଝା଼ଡିଛନ୍ତି। ଯଦିଓ ଆଜି ଗୃହ କାର୍ଯ୍ୟ ସ୍ବାଭାବିକ ହୋଇଛି ଓ ବିରୋଧୀ ଅନ୍ୟ ଆଲୋଚନାରେ ଭାଗ ନେଇଛନ୍ତି, ତଥାପି ଶୂନ୍ୟକାଳରେ ବୈଧାନିକ ପ୍ରଶ୍ନ ଉତ୍ଥାପନ ଛଳରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଏଭଳି ଅଭିଯୋଗ ରଖି ସରକାରଙ୍କୁ ଅଡୁଆକୁ ଟାଣିବାକୁ ଭୁଲିନଥିଲେ। କେବଳ ସେତିକି ନୁହେଁ, ଗତକାଲି ତାଙ୍କୁ କହିବାକୁ ସୁଯୋଗ ନ ଦେଇଥିବା ନେଇ ବାଚସ୍ପତି ଦୁଃଖ ପ୍ରକାଶ କରିଥିଲେ, ତା ସତ୍ତ୍ବେ ଏହି ଆସନର ନିରପେକ୍ଷତା ସଂପର୍କରେ ଏକାଧିକ ଉଦାହରଣ ରଖିଥିଲେ ବିରୋଧୀ ଦଳ ନେତା।

ବାଚସ୍ପତିଙ୍କ ଉଦାରତାକୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇବା ସହ ସଂସଦର ଉଦାହରଣ ଦେଇ ଶ୍ରୀ ନାୟକ କହିଥିଲେ, ଶାସକ ଦଳର ସଂଖ୍ୟା କେତେ ବି ହେଉ, ସେ ସରକାର ନିଜ ଇଚ୍ଛାରେ ଚଳାଇ ପାରନ୍ତି। କିନ୍ତୁ ବିଧାନସଭା ନୁହେଁ। ବାଚସ୍ପତି ବିରୋଧୀଙ୍କୁ ଧର୍ଯ୍ୟର ସହ ଶୁଣିବାକୁ ପଡିବ। ଗୋଟିଏ ସମୟରେ ସଂସଦରେ ସୋମନାଥ ଚାଟାର୍ଜୀ ନିରପେକ୍ଷତା ଅବଲମ୍ବନ କରିବାକୁ ଯାଇ ଦଳ ଛାଡିବାକୁ ପଡିଲା। ବିଧାନସଭାରେ ମଧ୍ୟ ପଣ୍ଡିତ ନୀଳକଣ୍ଠ ଦାସ, ବ୍ରଜମୋହନ ମହାନ୍ତିଙ୍କ ଭଳି ବାଚସ୍ପତି ଆସନ ଅଳଙ୍କୃତ କରିଛନ୍ତି। ସେହିପରି ବିରୋଧୀ ଦଳ ନେତା ପଦରେ ବିଜୁ ବାବୁ, ଜାନକୀ ବାବୁ, ନରସିଂହ ମିଶ୍ର, ଭୂପିନ୍ଦର ସିଂହ ପ୍ରମୁଖ ବସିଥିଲେ। ଏଣୁ ଉଭୟ ପଦର ଗରିମା ରହିଛି। ସ୍ମିତାରାଣୀ ପ୍ରସଙ୍ଗ ଉଠାଇ ବିରୋଧୀ ଦଳ ନେତା କହିଲେ, ଜଣେ ମହିଳା ସରକାରୀ କର୍ମଚାରୀ କେଉଁ ପରିସ୍ଥିତିରେ ଆତ୍ମହତ୍ୟା କରିପାରେ? ଆତ୍ମହତ୍ୟା କରିଥିବା ମହିଳାଙ୍କ ଫଟୋ ଉଠିବା କଥା।

ମାତ୍ର ପୁଲିସକୁ ସୂଚନା ବିନା ତାଙ୍କୁ ଡାକ୍ତରଖାନା ନିଆଗଲା। ରୂପେଶ କଣ ଏକା ନେଲେ? ଡ୍ରାଇଭରଙ୍କୁ କାହିଁକି ତଦନ୍ତ ପରିସରଭୁକ୍ତ କରାଗଲା ନାହିଁ? ଗାଡି କୁଆଡେ ଗଲା? ଆତ୍ମହତ୍ୟା ପରେ କବାଟଭାଙ୍ଗିକି ରୂପେଶ ଉଦ୍ଧାର କଲେ କି? କେଉଁ ପରିସ୍ଥିତିରେ ରଙ୍ଗଶାଳା ଭାଙ୍ଗିଥିବା ନେଇ ରିପୋର୍ଟ ହେଲା? ଯଦି ରିପୋର୍ଟ ହେଲା, ଭଙ୍ଗାଯାଇନଥିଲା କାହିଁକି? ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବନାହିଁ।? କାହିଁକି ରାମକୋ ଅଧିକାରୀଙ୍କ ସମେତ ସେଠାରେ ଥିବା ଅନ୍ୟ ୪ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବନାହିଁ? ଏସପି ଚରିତ୍ର ସଂହାର କରିବେ? ଏମାନେ ସମସ୍ତେ ବିଜେଡି ଛତ୍ରଛାୟା ତଳେ ଅଛନ୍ତି ବୋଲି ବିରୋଧୀ ଦଳ ନେତା ଅଭିଯୋଗ କରିଥିଲେ। ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଦଫା ୩୦୨ରେ ମକଦ୍ଦମା ରୁଜୁ ପାଇଁ ସେ ଦାବି କରିଥିଲେ। ସେହିଭଳି ମହିଳା କମିସନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ମଧ୍ୟ କହିଥିଲେ।

By amfnews

Related Post