Wed. Dec 25th, 2024

ଡିୱାଇଏଫ୍ଆଇ ଜିଲା କମିଟି ବୈଠକ ଅନୁଷ୍ଠିତ ମୋଦି ସରକାରଙ୍କ ଯୁବ ତଥା ଦେଶ ବିରୋଧି ନୀତି ବିରୁଦ୍ଧରେ ନଭେମ୍ବର ୩ ପାର୍ଲିଆମେଣ୍ଟ ଘେରାଉ କାର୍ଯ୍ୟକ୍ରମକୁ ସଫଳ କରିବାକୁ ଆହ୍ୱାନ

By amfnews Oct 9, 2018 #Featured
132 Views

ରାଉରକେଲା, ୮ା୧୦  : କେନ୍ଦ୍ରର ମୋଦି ସରକାରଙ୍କ ଯୁବ ତଥା ଦେଶ ବିରୋଧି ନୀତି ବିରୁଦ୍ଧରେ ପ୍ରତିବର୍ଷ ୨ କୋଟି ବେକାରୀଙ୍କୁ ନିଯୁକ୍ତି ଦେବାର ପ୍ରତିଶ୍ରୁତି ମୋଦି ସରକାରଙ୍କ କେନ୍ଦ୍ରରେ ସାଢେ ୪ ବର୍ଷ ଶାସନ ପରେ ଦେଶବାସୀ ତଥା ଯୁବ ସମାଜକୁ ମୋଦି ସରକାର ପ୍ରତାରିତ କରିଥିବା ପ୍ରମାଣିତ ହୋଇଛି । ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦରଦାମ୍ ଆକାଶ ଛୁଆଁ ହୋଇଛି । ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ଦରବୃଦ୍ଧି ସର୍ବକାଳୀନ ରେକର୍ଡ ବୃଦ୍ଧି ମୋଦି ସରକାରଙ୍କ ସମୟରେ ହୋଇଛି ।

ବିଦେଶରୁ କଳାଟଙ୍କା ଫେରାଇ ଆଣି ପ୍ରତ୍ୟେକ ଭାରତୀୟଙ୍କ ବ୍ୟାଙ୍କ ଖାତାରେ ୧୫ ଲକ୍ଷ ଟଙ୍କା ପ୍ରଦାନ କରିବା ମୋଦି ସରକାରଙ୍କ ପ୍ରତିଶ୍ରୁତି ନିର୍ବାଚନୀ ଜୁମ୍ଲାରେ ପରିଣତ ହୋଇଛି । କେନ୍ଦ୍ର ସରକାରଙ୍କ ଅଧିନରେ ବିଭିନ୍ନ ଅଫିସ୍, ଦପ୍ତର, ରାଷ୍ଟ୍ରାୟତ୍ତ ଉଦ୍ୟୋଗ, କେନ୍ଦ୍ର ସରକାରୀ ଶିକ୍ଷାନୁଷ୍ଠାନରେ ଲକ୍ଷ ଲକ୍ଷ ପଦବୀ ଖାଲି ପଡିଥିବା ବେଳେ ସରକାର ତାକୁ ପୂରଣ କରିବା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି । ଅପରପକ୍ଷରେ ମୋଦି ସରକାରଙ୍କ ବିମୁଦ୍ରାୟନ ଯୋଗୁଁ କାମ କରୁଥିବା ଲକ୍ଷ ଲକ୍ଷ ଯୁବକ ଯୁବତୀ କାମ ହରାଇଛନ୍ତି ।

ଜିଏସ୍ଟି ଯୋଗୁ ଦେଶର ଅର୍ଥନୈତିକ ଅବସ୍ଥା ଶୋଚନୀୟ ହୋଇପଡିଛି । ମୋଦି ସରକାରଙ୍କ ଦେଶ ତଥା ଯୁବ ବିରୋଧି ନୀତି ବିରୁଦ୍ଧରେ ଭାରତର ଗଣତାନ୍ତ୍ରିକ ଯୁବ ଫେଡେରେସନ (ଡିୱାଇଏଫ୍ଆଇ) ପକ୍ଷରୁ ଆସନ୍ତା ନଭେମ୍ବର ୩ ତାରିଖ ପାର୍ଲିଆମେଣ୍ଟ ଘେରାଉ ପାଇଁ ଯୁବ ସମାଜକୁ ଆହ୍ୱାନ କରାଯାଇଛି । ଏହାକୁ ସଫଳ କରିବା ପାଇଁ ସଙ୍ଗଠନର ସୁନ୍ଦରଗଡ ଜିଲା କମିଟି ବୈଠକ ସେକ୍ଟର-୧୬ ସ୍ଥିତ ଜିଲା କାର୍ଯ୍ୟାଳୟ ଠାରେ ଜିଲା ସଭାପତି ତଥା ଆଇନ୍ଜୀବୀ ରାଜକିଶୋର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଜିଲାରୁ ଯୁବକ ଯୁବତୀମାନେ ଏହି କାର୍ଯ୍ୟକ୍ରମରେ ସାମିଲ୍ ହେବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ଏଥିସହିତ ଉକ୍ତ ଦାବି ଉପରେ ଅକ୍ଟୋବର ୩୦ ତାରିଖରେ ରାଉରକେଲା ଅତିରିକ୍ତ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯିବାକୁ ନିଷ୍ପତ୍ତି ହୋଇଛି । ଦ୍ୱିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣ ଓ ଆଇଜିଏଚ୍କୁ ସୁପର ମେଡିକାଲ କଲେଜ ଓ ଅନ୍ୟାନ୍ୟ ଦାବିରେ ଯୁବନେତା ମୁକ୍ତିକାନ୍ତ ଓ ଗୋପାଳଙ୍କ ଅନଶନକୁ ସଙ୍ଗଠନ ପକ୍ଷରୁ ସମର୍ଥନ ଘୋଷଣା କରାଯାଇଛି ।

ଏଥିସହ ଆନ୍ଦୋଳନକୁ ତୀବ୍ର କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇ ଆଗାମୀ ଡିସେମ୍ବର ମାସରେ ସଙ୍ଗଠନର ଜିଲା ସମ୍ମିଳନୀ ଓ ବିଭିନ୍ନ ବ୍ଲକ୍ ସ୍ତରୀୟ ଓ ଆଞ୍ଚଳିକ ସମ୍ମିଳନୀ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ବିଶ୍ୱଜିତ ମାଝି, ବିନୟ ବେହୁରିଆ, ଦିବାକର ମହାରଣା, ବୁବୁନ ମାଇତି, ଶେଖର ଶର୍ମା, ପ୍ରଭାତ ମହାନ୍ତି ପ୍ରମୁଖଙ୍କ ସମେତ ଅନ୍ୟମାନେ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ପ୍ରସ୍ତାବମାନ ଉପସ୍ଥାପନ କରିଥିଲେ ।

By amfnews

Related Post