Sun. Mar 8th, 2026

ଡାକ୍ତର ପତ୍ନୀଙ୍କୁ ବୀଭତ୍ସ ହତ୍ୟା

256 Views

ପୁରୀ, ଡିସେମ୍ବର ୧୮: ପୁରୀ ବିଏନ୍‌ଆର ହୋଟେଲ ପଛପଟ ରେଲୱେ କ୍ବାର୍ଟରରେ ରହୁଥିବ‌ା ଡାକ୍ତର ସଂଜୀବ ସାହୁଙ୍କ ପତ୍ନୀ ସୁଜାତା ସାହୁ (୪୪)ଙ୍କୁ ଅତି ନୃଶଂସ ଭାବେ ହତ୍ୟା କରାଯାଇଛି। ମୃତ୍ୟୁର କାରଣ ସମ୍ପର୍କରେ ଜଣା ପଡ଼ିନଥିବାବେଳେ ଏହି ଘଟଣା ପୁରୀ ସହରରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ମିଳିଥିବା ସୂଚନା ଅନୁଯାୟୀ, ବାରିପଦା ବଡ଼ବଜାର ଅଞ୍ଚଳର ବାସିନ୍ଦା ଡାକ୍ତର ସଂଜୀବ ସାହୁ ରେଳବାଇରେ ଡାକ୍ତର ଭାବେ କାର୍ଯ୍ୟରତ ଅଛନ୍ତି। ଗତ ୬ ବର୍ଷ ହେଲା ସେ ପୁରୀରେ ପୋଷ୍ଟିଂ ହୋଇଥିଲେ। ପରିବାର ସହିତ ଡାକ୍ତର ସାହୁ ସ୍ଥାନୀୟ ବିଏନ୍ଆର୍ ହୋଟେଲ ପଛପଟ ରେଳବାଇ କ୍ବାର୍ଟରରେ ରହୁଥିଲେ। ଆଜି ସକାଳେ ଡାକ୍ତରଙ୍କ ସାନ ପୁଅ ଶୁଭମ୍‌ ସ୍କୁଲ୍‌କୁ ଯାଇଥିଲେ। ନିଜେ ଶ୍ରୀ ସାହୁ ୧୦ଟା ସମୟରେ ଡାକ୍ତରଖାନା ଚାଲି ଯାଇଥିଲେ।

ଦିନ ପ୍ରାୟ ୧ଟା ସମୟରେ ଉଭୟ ଫେରିଲା ବେଳକୁ ଗେଟ୍ ବନ୍ଦ ଥିବାରୁ ଡାକ୍ତର ସାହୁ ତାଙ୍କ ପତ୍ନୀଙ୍କ ମୋବାଇଲକୁ ଏକାଧିକ ଥର ଫୋନ କରିଥିଲେ ମଧ୍ୟ ସେ ଫୋନ୍ ଉଠାଇନଥିଲେ। ତେଣୁ ବାଧ୍ୟ ହୋଇ ଡାକ୍ତର ସାହୁ ପୁଅ ଶୁଭମ୍‌କୁ ପାଚେରି ଡିଆଇଁ କ୍ୟାମ୍ପସ ଭିତରକୁ ପଠାଇଥିଲେ। ଶୁଭମ ଗେଟ୍ ଖୋଲିବା ପରେ ଉଭୟ ଘରକୁ ଯାଇଥିଲେ। କବାଟ ଖୋଲିବା ପରେ ପତ୍ନୀ ସୁଜାତାଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ଦେଖି ବାପ ପୁଅ ହତବାକ୍ ହୋଇ ଯାଇଥିଲେ। ପତ୍ନୀ ସୁଜାତାଙ୍କ ନାଡ଼ି ଚିପିବା ପରେ ତାଙ୍କ ପ୍ରାଣବାୟୁ ଉଡ଼ିଯାଇଥିବା ଡାକ୍ତର ସାହୁ ଜାଣିବାକୁ ପାଇଥିଲେ। ଏ ସଂପର୍କରେ ମୃତ ମହିଳାଙ୍କ ଡାକ୍ତର ସାହୁ ସମୁଦ୍ରକୂଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏହି ଘଟଣା ପଛରେ ଜଣେ ନର୍ସଙ୍କ ସ୍ବାମୀଙ୍କୁ ସନ୍ଦେହ କରୁଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି।

By amfnews

Related Post