Sat. Mar 7th, 2026

ଡାକ୍ତର ଅଭାବ ନେଇ ବିଧାୟକଙ୍କ ଅସ‌େନ୍ତାଷ : ଡାକ୍ତର ନିଯୁକ୍ତି ପାଇଁ ଦାବି

172 Views

ଭୁବନେଶ୍ବର : ବିଧାନସଭାର ପୂର୍ବ ଅଧିବେଶନଗୁଡ଼ିକ ପରି ଆଜି ମଧ୍ୟ ଡାକ୍ତର ଅଭାବ ପ୍ରସଙ୍ଗ ଉଠିଥିଲା। ପ୍ରଶ୍ନକାଳରେ ସ୍ବାସ୍ଥ୍ୟ ବିଭାଗର ଏକ ପ୍ରଶ୍ନର ଆଲୋଚନା ଚାଲିଥିଲା ବେଳେ ବହୁ ବିଧାୟକ ଡାକ୍ତର ଅଭାବ କଥା କହିଥିଲେ। ଡାକ୍ତର ନିଯୁକ୍ତି ହୋଇ ନ ଥିବାରୁ ସ୍ବାସ୍ଥ୍ୟ ସେବା କିପରି ବିପର୍ଯ୍ୟସ୍ତ ହୋଇପଡ଼ିଛି, ଉଦାହରଣ ଦେଇ ତାହା ଦେଖାଇବାକୁ ଚେଷ୍ଟା କରିଥିଲେ। ସ୍ବାସ୍ଥ୍ୟ ମନ୍ତ୍ରୀ ଚିରାଚରିତ ଢଙ୍ଗରେ ଉତ୍ତର ରଖିଥିଲେ, ଡାକ୍ତର ନିଯୁକ୍ତି ନେଇ ସରକାର ପଦକ୍ଷେପ ନେଉଛନ୍ତି।

ବିଧାୟକ ତାରାପ୍ରସାଦ ବାହିନୀପତି କୋରାପୁଟ ଜିଲ୍ଲାରେ ଡାକ୍ତର ଓ ଅନ୍ୟାନ୍ୟ ପଦବି ଖାଲି ଥିବା ନେଇ ମୂଳ ପ୍ରଶ୍ନ କରିଥିଲେ। ଉତ୍ତରରେ ସ୍ବାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ କହିଥିଲେ, କୋରାପୁଟ ଜିଲ୍ଲାରେ ମୋଟ ମଞ୍ଜୁରୀପ୍ରାପ୍ତ ୩୩୮ଟି ଡାକ୍ତର ପଦବି ମଧ୍ୟରୁ ୧୯୦ଟି ପଦବି ଖାଲି ଅଛି। ସରକାରୀ ଡାକ୍ତରଖାନାର ଅନ୍ୟାନ୍ୟ ମଞ୍ଜୁରୀପ୍ରାପ୍ତ ପଦବି ମଧ୍ୟରୁ କେତେ ଖାଲି ଅଛି, ତାହାର ହିସାବ ମନ୍ତ୍ରୀ ଦେଇଥିଲେ।

ମୂଳ ପ୍ରଶ୍ନକର୍ତ୍ତା ଶ୍ରୀ ବାହିନୀପତି କହିଥିଲେ, ସରକାରୀ ଡାକ୍ତରଖାନାରେ ଭିତ୍ତିଭୂମି ନେଇ କିଛି କାର୍ଯ୍ୟ ହୋଇଛି। କିନ୍ତୁ ଡାକ୍ତର ନିଯୁକ୍ତି ନ ହେଲେ ସ୍ବାସ୍ଥ୍ୟସେବା କିପରି ଠିକ୍ ହେବ ? କୋରାପୁଟରେ ବହୁ ଘାଟି ଉପରୁ ଲୋକ ଖଟରେ ବୁହା ହୋଇ ଡାକ୍ତରଖାନା ଆସୁଛନ୍ତି। ତେଣୁ ସେମାନଙ୍କ ପାଇଁ କିପରି ଆମ୍ବୁଲାନ୍ସ ବ୍ୟବସ୍ଥା କରିହେବ, ସେ ଦିଗରେ ମନ୍ତ୍ରୀ ପଦକ୍ଷେପ ନିଅନ୍ତୁ। ରଘୁନାଥ ଗମାଙ୍ଗୋ କହିଥିଲେ, ଗୁଣୁପୁରରେ ବହୁ ଦାବି ପରେ ଡାକ୍ତର ନିଯୁକ୍ତି ହେଲେ। କିନ୍ତୁ ସେ ସେଠାକୁ ଯାଉ ନାହାନ୍ତି। ମନୋହର ରାନ୍ଧାରୀ ମଧ୍ୟ ସମାନ ଅଭିଯୋଗ କରିଥିଲେ। ମକରନ୍ଦ ମୁଦୁଲି ରାୟଗଡ଼ାରେ ଡାକ୍ତର ଅଭାବ ସମ୍ପର୍କରେ କହିଥିଲେ। ନାଉରୀ ନାୟକ ନିଜ ଅଞ୍ଚଳରେ ଡାକ୍ତର ସମସ୍ୟା ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ। ନିତ୍ୟାନନ୍ଦ ଗଣ୍ଡ ଉମରକୋଟରେ ଆମ୍ବୁଲାନ୍ସ ବ୍ୟବସ୍ଥା ପାଇଁ ଦାବି କରିଥିଲେ। ପ୍ରକାଶ ଚନ୍ଦ୍ର ମାଝୀ କୋରାପୁଟ ମେଡିକାଲ କଲେଜରେ ଟ୍ରମା ସେଣ୍ଟର୍‌ ପ୍ରତିଷ୍ଠା କରିବାକୁ କହିଥିଲେ। ଲତିକା ପ୍ରଧାନ ଅତିରିକ୍ତ ପ୍ରଶ୍ନ କରିଥିଲେ।

ସ୍ବାସ୍ଥ୍ୟ ମନ୍ତ୍ରୀ କହିଥିଲେ, ଡାକ୍ତର ଅଭାବ ସମ୍ପର୍କରେ ସରକାର ସ‌େଚତନ ଅଛନ୍ତି। ଖାଲି ଥିବା ପଦବିଗୁଡ଼ିକରେ ଡାକ୍ତର ନିଯୁକ୍ତି ନେଇ ପ୍ରକ୍ରିୟା ଚାଲିଛି। ଖୁବ୍ ଶୀଘ୍ର ସମସ୍ୟାର ସମାଧାନ ହେବ। ଯେଉଁଠି ଡାକ୍ତର ନିଯୁକ୍ତି ପରେ ସେମାନେ କାର୍ଯ୍ୟରେ ଯୋଗ ଦେଉ ନାହାନ୍ତି, ସେ ସମ୍ପର୍କରେ ଅନୁଧ୍ୟାନ କରାଯିବ।

By amfnews

Related Post