Tue. Mar 10th, 2026

ଡାଏରି ଖୋଲିବ ରହସ୍ୟ : ହତ୍ୟା ପଛରେ ଟଙ୍କା!

244 Views

ଭୁବନେଶ୍ୱର , ଜାନୁଆରୀ ୨୨ : ବାନ୍ଧବୀକୁ ଛୁରି ଭୁସି ହତ୍ୟା କରିବା ଘଟଣାରେ ନୂଆ ମୋଡ଼ ଆସିଛି। ପୁଲିସ ଜବତ କରିଥିବା‌ ମୃତ ଅଳକାଙ୍କ ଡାଏରି ହତ୍ୟାକାଣ୍ଡ ଉପରୁ ପରଦା ଉଠାଇବ ବୋଲି ପୁଲିସ ଆଶା ରଖିଛି। କାରଣ ସେହି ଡାଏରିରେ ଅଳକା ଅନେକ କଥା ଲେଖିଛନ୍ତି। ଡାଏରିରେ କ’ଣ ରହିଛି, ସେ ସମ୍ପର୍କରେ ପୁଲିସ କିଛି କହୁନାହିଁ। କିନ୍ତୁ ଅଳକାଙ୍କ ମୃତ୍ୟୁ ପଛରେ ସନ୍ଦେହ କରାଯାଉଥିବା କାରଣ ସମ୍ପର୍କରେ ଡାଏରି ସ୍ପଷ୍ଟ କରିବ ବୋଲି ଆଶା କରାଯାଉଛି।

ଅଳକାଙ୍କ ପାଇଁ ଅଭିଯୁକ୍ତ ଅନିଷା ହଜାର ହଜାର ଟଙ୍କା ଉଡ଼ାଇଥିଲେ। ଯେତେବେଳେ ଅଲଗା ହେବାର କଥା ଉଠିଲା, ସେତେବେ‌ଳେ ଅଭିଯୁକ୍ତ ସମସ୍ତ ଅର୍ଥ ଫେରାଇବା ପାଇଁ ଦାବି କରିଥିଲେ। ଯେଉଁଥିପାଇଁ ତିକ୍ତତା ବଢ଼ିବା ସହ ହତ୍ୟାକାଣ୍ଡ ଘଟିଥିଲା। ଏଭଳି ଚର୍ଚ୍ଚା ହେଉଥିଲେ ମଧ୍ୟ ଏହାକୁ ଖଣ୍ଡନ କରିଛନ୍ତି ଓକିଲ ସତ୍ୟପ୍ରକାଶ ଶତପଥୀ। ସରକାରୀ ଓକିଲଙ୍କୁ ସହାୟତା କରିବା ପାଇଁ ଆଜି ସତ୍ୟପ୍ରକାଶ କୋର୍ଟରେ ପିଟିସନ ଦେବା ପରେ ପିଟିସନକୁ କୋର୍ଟ ଗ୍ରହଣ କରିଛନ୍ତି। ସତ୍ୟପ୍ରକାଶ କହିଛନ୍ତି, ଅଳକାଙ୍କ ପରିବାର ଆର୍ଥିକ ସ୍ବଚ୍ଛଳ। ଅଳକାଙ୍କ ଉପରେ ସେମାନେ ଆର୍ଥିକ ସହାୟତା ପାଇଁ ନିର୍ଭର କରନ୍ତି ନାହିଁ, ବରଂ ଉଭୟ ରହୁଥିବା ଭଡ଼ାଘର ପାଇଁ ଅଧାରୁ ଅଧିକ ଟଙ୍କା ଦେଉଥିଲେ ଅଳକା। ଅଳକା ଚାଲିଯିବା ପରେ ଅନିଷାଙ୍କୁ ଅଧିକ ଖର୍ଚ୍ଚ ପଡ଼ିବା ଆଶଙ୍କାରେ ଏଭଳି ହୋଇଥାଇପାରେ ବୋଲି ସେ ଆଶଙ୍କା କରିଛନ୍ତି।

ଗତକାଲି ଅଭିଯୁକ୍ତ ଅନିଷାଙ୍କୁ କୋର୍ଟଚାଲାଣ କରାଯାଇଥିଲା। କିନ୍ତୁ କୋର୍ଟରେ ଜାମିନ୍‌ ଖାରଜ ହେବାରୁ ତାଙ୍କୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଅପରପକ୍ଷେ ଅଳକାଙ୍କ ଶବ ବ୍ୟବଚ୍ଛେଦ ହେବା ପରେ ପରିବାରବର୍ଗକୁ ହସ୍ତାନ୍ତର କରାଯାଇଛି। ସୂଚନାଯୋଗ୍ୟ, ଗତ ଦଶ ବର୍ଷ ଧରି ଏକାଠି ରହି ଆସୁଥିବା ଅନିଷା ଓ ଅଳକାନନ୍ଦ ୩ବର୍ଷ ତଳୁ ଭୁବନେଶ୍ବର ଗୌରୀନଗର ଲେନ୍-୫ରେ ଗୋଟିଏ ଘରେ ରହୁଥିଲେ। ୧୯ ତାରିଖ ରାତି ପ୍ରାୟ ୨ଟା ୪୫ରେ ଘରମାଲିକ ଅଳକାଙ୍କ ବିକଟାଳ ଚିତ୍କାର ଶୁଣିବାକୁ ପାଇଥିଲେ। ସେ ଘରେ ପହଞ୍ଚି ଦେଖିବା ବେଳକୁ ରକ୍ତ ଜୁଡ଼ୁବୁଡୁ ଅବସ୍ଥାରେ ଅଳକା ଚେତାଶୂନ୍ୟ ହୋଇପଡ଼ି ରହିଥିଲେ।

ଶେଷ ଫୋନ୍‌‌କଲ୍‌

By amfnews

Related Post